ଚାଲ ନାଟକ କରିବା

 

 

 

 

 

 

 

 

ଚାଲ ନାଟକ କରିବା

ଉମା ଆନନ୍ଦ

 

ଅନୁବାଦ

ଚିତ୍ତରଞ୍ଜନ ଦାସ

 

ଯେଉଁ ଡାକରେ କୁହୁକ ଥାଏ

 

ଘାସ ଉପରେ ଲମ୍ବ ହୋଇ ଦୀପକ କ’ଣ ଗୋଟାଏ କମିକ୍ ଛବି ବହି ପଢ଼ୁଥିଲା । ତା’ର ସ୍କୁଲ ଠିକ୍ ସେଇଦିନ ଛୁଟି ହୋଇଥାଏ ଓ ସେ ସାଙ୍ଗେ ସାଙ୍ଗେ ସ୍କୁଲରୁ ଘରକୁ ଆସିଥାଏ । ସ୍କୁଲରେ ତା’ର ପଡ଼ିଶାଘରର ସାଙ୍ଗ ରଫିକ୍‌କୁ ସେ ତା’ ନିଜ କମିକ୍ ବହିଟି ଦେଇ ବଦଳରେ ତାଠାରୁ ଗୋଟାଏ ନୂଆ କମିକ୍ ବହି ଆଣିଥାଏ । ତାର ବୋଉ ସନ୍ଧ୍ୟା ପାଞ୍ଚଟା ବେଳେ କାମ ସାରି ଘରକୁ ଫେରନ୍ତି । ତା ପୂର୍ବରୁ ଅନ୍ତତଃ ବହିଟା ପଢ଼ି ଶେଷ କରିଦେବା ଚାହି; କାରଣ ସେ ଖାଲି କମିକ୍ ବହି ପଢ଼ି ତାର ଛୁଟିଦିନସବୁ ଏମିତି ନଷ୍ଟ କରିଦେଉ, ତାର ମାଆଙ୍କୁ ଏ କଥା ମୋଟେ ଭଲ ଲାଗୁ ନ ଥିଲା ।

Image

“ପିଇଇ.......ପିଇଇହା......ପାପିଇଇ !’’

 

ଦୀପକର ଧ୍ୟାନ ଚାଉଁକରି ଭାଙ୍ଗିଗଲା । ସେ ସଙ୍ଗେ ସଙ୍ଗେ ଉଠିପଡ଼ି ବସିଲା ଓ ଗୋଟାଏ ନୂଆପ୍ରକାରର ଜୋର୍ ହୁଇସିଲ୍ ଶବ୍ଦ ଶୁଣିପାରିଲା ।

 

“ପିଇଇ...ପିଇଇହା...ପାପିଇଇ !’’ ସେଇ ଅଦ୍‌ଭୂତ ଶବ୍ଦଟା ପୁଣି ଆସି କାନ ପାଖରେ ବାଜିଉଠିଲା । ଦୀପକ ଫକ୍‌କରି ଉଠି ଠିଆହେଲା ଓ ଫାଟକ ଆଡ଼କୁ ଦଉଡ଼ିଗଲା । ଫାଟକ ପରେ ସରୁଆ ଗଳିଟି, ଠିକ୍ ତାଙ୍କ ଘର ସାମନାରେ । ଗଳିଟିକୁ ବୁଲିପଡ଼ି ସେ ଗୋଟାଏ ଡେଙ୍ଗାସରସର କାଳିଆ ମଣିଷ ଦେଖିଲା । ଏଡ଼େ ଏଡ଼େ ନିଶ, ଦେଖିଲା ବେଳକୁ ଡର ଲାଗୁଚି । ଆଖି ଦୁଇଟା ଜୁଳୁଜୁଳୁ କରୁଛନ୍ତି । ଲୋକଟା ତାଆଡ଼କୁ ଅନାଇ ମୁରୁକି ହସିଲା । ତା ମୁଣ୍ଡରେ ହଳଦିଆ ପଗଡ଼ି ଢିଲାହୋଇ ବନ୍ଧାହୋଇଚି; ଧଳା ଧୋତି ଉପରେ ସେ ଖଣ୍ଡେ କଳା କୁରୁତା ପିନ୍ଧିଚି । ତା କାନର ନୋଳି ଦୁଇଟା ଚିକ୍‌ଚିକ୍ କରୁଚି । ପିଠି ଉପରେ କେଡ଼େ ବଡ଼ ଗୋଟାଏ ବୁଜୁଳା । ସାଙ୍ଗରେ ଦିଜଣ ପିଲା; ଜଣେ ଟିକିଏ ବଡ଼, ଆଉ ଜଣେ ତାଠାରୁ ଟିକିଏ ସାନ । ସେମାନେ ମଧ୍ୟ ଠିକ୍ ଆର ଲୋକଟି ଭଳିଆ ପୋଷାକ ପିନ୍ଧିଚନ୍ତି; କେବଳ ଯାହା ସାନ ପିଲାଟି ଗୋଟିଏ ସବୁଜ ରଙ୍ଗର ପଗଡ଼ି ମୁଣ୍ଡରେ ଗୁଡ଼ାଇଚି ।

 

“ପିଇଲ...ପିଇଇହା...ପାପିଇଇ !’’ –ଡେଙ୍ଗା ମଣିଷଟା ଚିତ୍କାର କରିବା ପରି ପୁଣି ହୁଇସିଲ୍ ଦେଲା । ଦୀପକ ଦେଖିଲା, ଲୋକଟା ଆପଣାର ମୁହଁଭିତରେ ହୁଇସିଲ୍ ଭଳି କ’ଣ ଗୋଟାଏ ଜିନିଷ ଧରିଚି ।

 

ସଙ୍ଗେ ସଙ୍ଗେ ବୁଲିପଡ଼ି ଦୀପକ ଘରଆଡ଼େ ଦଉଡ଼ିଲା । ତାଙ୍କର ଓ ପଡ଼ିଶାଘର ବଗିଚା ମଝିରେ ଯେଉଁ ସାନ ବାଡ଼ଟି ଅଛି, ସେଇଠି ଯାଇ ପହଞ୍ଚିଲା ।

 

“ଡିଡ଼ୋ !’’ –ସେ ସତେ ଅବା ଭାରି ଉଚ୍ଛନ୍ନ ହେଲାପରି ଡାକିବାକୁ ଲାଗିଲା ।

 

“ଡିଡ଼ୋ, ତୁ କୋଉଠି ? ବାହାରକୁ ଆ, ଜଲ୍‌ଦି ବାହାରକୁ ଆ !’’

 

“ଆସୁଚି !’’ ସେପାଖରୁ ଉତ୍ତର ଶୁଭିଲା ଓ ତାପରେ ଡେଙ୍ଗା ପାତଳା ପିଲାଟିଏ ଘରଭିତରୁ ଦଉଡ଼ିକରି ବାହାରିଆସିଲା । ଇଏ ହେଉଚି ରଫିକ୍, ଦୀପକର ସବୁଠାରୁ ବଡ଼ ସାଙ୍ଗ । ତାର ସାଙ୍ଗମାନେ ତାକୁ ରଫିକ୍‍ ନ ଡାକି ‘ଡିଡ଼ୋ’ ବୋଲି ଡାକନ୍ତି ।

 

“ଆସୁଚି !’’ –ତାପଛକୁ ଆଉ ଜଣେ ପିଲା; ବେଶ୍ ଲମ୍ବା ଓ ସରୁଆ ଗଳାରେ କହିଲା ଏବଂ ତାପରେ ସୁନ୍ଦର ଗୁଲଗୁଲିଆ ଝିଅଟିଏ ଘରଭିତରୁ ଦଉଡ଼ି ଆସିଲା । ତାର ବାଳଗୁଡ଼ିକ କୁଞ୍ଚୁ କୁଞ୍ଚୁ, ହସିଲା ବେଳକୁ ଗାଲ ଭିତରକୁ ପଶିଯାଉଥାଏ ।

 

“ସର୍ବନାଶ !’’ –ଦୀପକ ଆପତ୍ତି କଳାପରି କହିଲା, “ପାର, ମୁଁ ତ ତୋତେ ମୋଟେ ଡାକିନାହିଁ !’’

 

ସାନ ଝିଅଟିର ହସ ବନ୍ଦ ହୋଇଗଲା । ତା’ର ନାଆଁ ପରବୀଣ୍, ସିଏ ରଫିକ୍‌ର ଭଉଣୀ-। ରଫିକ୍‌ର ସବୁ କଥାକୁ ତା’ର ପ୍ରଶଂସା । ମୋଟେ ଦଶବର୍ଷର ହେଲେ କ’ଣ ହେବ, ଭାଇ ଯାହା କିଛି କରେ, ସିଏ ମଧ୍ୟ ଠିକ୍ ସେଇଆ କରିବାକୁ ଇଚ୍ଛା କରୁଥାଏ । ରଫିକ୍ ଓ ଦୀପକ ଦୁହିଁଙ୍କର ବୟସ ବାରବର୍ଷ । ଏଇ ପାର ସବୁବେଳେ ସବୁ କଥାରେ ସେମାନଙ୍କର ପଛରେ ଗୋଡ଼ାଇଥିବ ଓ ସେମାନଙ୍କର ସବୁ ମଜାକୁ ନଷ୍ଟ କରିଦେଉଥିବ, ଏକଥା ଦୀପକକୁ ମୋଟେ ଭଲ ଲାଗୁନଥିଲା-। ଘରେ ଝିଅଟିକୁ ସମସ୍ତେ ପାର ବୋଲି ଡାକୁଥିଲେ ।

 

“ଆସୁ !’’ ସେ ଆସିଲେ ତୋ’ର କ’ଣ ଖରାପ ହୋଇଯାଉଚି ?’’ –ଡିଡ଼ୋ ଦୀପକକୁ କହିଲା, “ମତେ ତୁ କାହିଁକି ଡାକୁଥିଲୁ କହିଲୁ ?’’

 

“ଆମ ଗଳିକୁ କଣ୍ଢେଇନାଟ ଆସିଚି । ମୋର ଅନୁମାନ, ସେମାନେ ଏଇଠି କୋଉଠି ବଜାର ଭିତରେ କଣ୍ଢେଇନାଟ ଦେଖାଇବେ । ଚାଲ୍, ଆମେ ବି ସେଠାକୁ ଯିବା । ଭାରି ମଜା ହେବ-।’’

 

Image

 

“ମତେ ବି ସାଙ୍ଗରେ ନିଅ ନା !’’ ପିଲାମାନେ ଦଉଡ଼ିଗଲାବେଳେ ସେମାନଙ୍କ ପଛରେ ଦଉଡ଼ି ଯାଉ ଯାଉ ସକେଇ ହୋଇ କହିଲା ପାର ।

 

“ମ-ତେ-ବି !’’ ତା’ପଛକୁ ଆଉ ଗୋଟିଏ କୁନି ପୁଅ ବି କହିଲା ଓ ପାର ପଛରେ ଦଉଡ଼ିବାକୁ ଲାଗିଲା । ଗାଲ ଦୁଇଟା ଗୋଲଗୋଲ, ଦେହଟା ମୋଟା-ସତେ ଯେପରି ବଲ୍ ପରି ଦେଖାଯାଉଥାଏ ।

 

“ତୋ’ କହିବାର ଫଳ ଏଥର ପାଇଲୁ ?’’ –ଦୀପକ ପାଟି କରି କହିଲା, ବର୍ତ୍ତମାନ ଟପ୍‌ପୋକୁ ବି ସାଙ୍ଗରେ ନେବାକୁ ପଡ଼ିବ ।’’

 

“ଚାଲ, ଆମେ ଚାରିହେଁ ଯାକ ଯିବା ।’’ –ଡିଡ଼ୋ ଉତ୍ତର ଦେଇ କହିଲା । ସର୍ବଦା ସବୁକଥାର ଭଲ ପାଖଟାକୁ ଦେଖିବା ତା’ର ପ୍ରକୃତି । “ପାର, ମୋ’ ହାତକୁ ଧରିଥା–” ସେ ନିଜ ଭଉଣୀକୁ ଡାକି କହିଲା ।

 

“ଟପ୍‌ପୋ, ତୁ ମୋ’ ପିଠିରେ ନାଉ ହୋଇ ବସିବୁ, ଆ !’’ -ଅବସ୍ଥାଟାକୁ ଯେକୌଣସି ପ୍ରକାରେ ଚଳାଇ ନେଇ ଦୀପକ କହିଲା ଓ ତା’ର ପାଞ୍ଚବର୍ଷର ସାନଭାଇକୁ ପିଠି ଉପରକୁ ଉଠାଇନେଲା ।

 

ଅଳ୍ପ ସମୟ ପରେ ସେମାନେ ବଜାର ଛକରେ ଯାଇ ପହଞ୍ଚିଲେ । ସେତେବେଳକୁ ସେଠାରେ କେତେ ଲୋକ ଆସି ଜମା ହେଲେଣି । “ପିଇଲ...ପିଇଇହା...ପାପିଇଇ !’’ –କଣ୍ଢେଇବାଲାର ହୁଇସିଲ୍‌ଟା ଚିଇଁଚିଇଁ ହୋଇ ଚାଲୁଥାଏ । “ଦୁମ୍-ତା-ତା-ଦୁମ୍” -ବଡ଼ପିଲାଟା ଢୋଲ ବଜାଉଥାଏ ।

 

ପିଲା ଚାରିହେଁ ଭିଡ଼ ଭିତରେ ଠେଲିପେଲି ଆଗରେ ଯାଇ ପହଞ୍ଚିଲେ; ଅନ୍ୟ ଦର୍ଶକମାନଙ୍କ ଭିତରେ ଆଗରେ ଯାଇ ବସିଲେ । କଣ୍ଢେଇବାଲା ବାକ୍‌ସ ଭଳି ଦେଖାଯାଉଥିବା ଗୋଟିଏ ସାନ ଷ୍ଟେଜ୍ ତିଆରି କରିସାରିଥିଲା । ତାହାରି ପଛପଟେ ରହି ସେ ଲମ୍ବା ଲମ୍ବା ସୂତା ସାହାଯ୍ୟରେ କଣ୍ଢେଇମାନଙ୍କୁ ନଚାଉଥିଲା । ସୂତାଗୁଡ଼ାକ ତା’ର ଆଙ୍ଗୁଠିରେ ଯାଇ ବନ୍ଧାହୋଇଥାଏ-

 

ଷ୍ଟେଜ୍ ଉପରେ ରାଜଦରବାରର ଅଭିନୟ ହେଉଥାଏ । ରାଜା ଆମରସିଂହ ରାଠୋର ଓ ତାଙ୍କ ରାଣୀ ହାଦୀରାଣୀ ସିଂହାସନ ଉପରେ ବସିଥାନ୍ତି । କାଠ କଣ୍ଢେଇ ଦୁଇଟିକୁ ଭାରି ସୁନ୍ଦରଭାବରେ ସଜାଇ ତିଆରି କରାଯାଇଥିଲା । ରାଜାଙ୍କର ନିଶଦୁଇଟା ଭାରି ବଡ଼ ବଡ଼ ଦିଶୁଥାଏ–ଠିକ୍ କଣ୍ଢେଇବାଲାର ନିଶ ପରି ।

 

Image

ରାଜାଙ୍କର କାନରେ ବି ଛୋଟିଆ ନୋଳି ଝୁଲୁଥାଏ । ମୁଣ୍ଡରେ ସୁନା ମୁକୁଟ । ରାଣୀ ଲାଲ ଓ ସୁନେଲି ରଙ୍ଗର ପୋଷାକ ପିନ୍ଧିଥିଲେ । ତାଙ୍କର ବେକରେ କେତେଭଳି ମଣିମୁକ୍ତା ଖାଲି ଚିକ୍‌ଚିକ୍ କରୁଥାଏ । ସେମାନଙ୍କ ଆଗରେ ସବାତଳେ ଜଣେ ନର୍ତ୍ତକୀ ନାଚୁଥାଏ । ବଡ଼ କୌଶଳର ସହିତ ଦଉଡ଼ି ଟାଣି କଣ୍ଢେଇବାଲା ନର୍ତ୍ତକୀକୁ ନଚାଉଥାଏ । ସିଏ ଖାଲି ସାଇଁ ସାଇଁ ବୁଲିବାରେ ଲାଗିଥାଏ ଓ ତା’ର ଘାଗରାଟା ଖାଲି ଫଡ଼୍ ଫଡ଼୍ ହୋଇ ଉଡ଼ୁଥାଏ ।

 

“ପିଇଲ...ପିଇଇହା...ପାପିଇଇ !’’ –ଚିଇଁଚିଇଁ ହୋଇ ହୁଇସିଲ୍ ବାଜୁଥାଏ । “ଦୁମ୍-ତା-ତା-ଦୁମ୍”– ଢୋଲର ଶବ୍ଦ ଅଜାଡ଼ି ହୋଇ ପଡ଼ୁଥାଏ । ତା’ପରେ ଗୋଟିଏ ସାପୁଆକେଳା ଷ୍ଟେଜ୍ ଉପରକୁ ଆସିଲା । ସେ ତୁମ୍ବୀ ବଜାଉଥାଏ ଏବଂ ଏହି ସମୟରେ ତୁମ୍ଭୀର ଶବ୍ଦ ଶୁଣି ଗୋଟାଏ ସାପ ପେଡ଼ି ଭିତରୁ ଫଣା ଟେକି ବାହାରିପଡ଼ିଲା । ତେଣେ ଧଳା ଓ କଳା ମିଶା କୁକୁରଟାଏ ସାଧନ ଭାଙ୍ଗିବାରେ ଲାଗିଥାଏ । ହଠାତ୍ ଦରବାରରେ ଜଣେ ଦୂତ ଆସି ଉପସ୍ଥିତ ହେଲା । ଦେଶ ଉପରେ ଶତ୍ରୁ ଆକ୍ରମଣ କରିବାକୁ ଆସୁଚି ! ରାଜା ଅମରସିଂହ ରାଠୋର ସିଂହାସନରୁ ଉଠି ଠିଆହେଲେ, ହାତରେ ଖଣ୍ଡା ଧରିଲେ ଓ କାଳିଆ ଘୋଡ଼ାରେ ଚଢ଼ି ତତ୍‌କ୍ଷଣାତ୍ ପ୍ରସ୍ଥାନ କଲେ ।

 

ଦୃଶ୍ୟ ବଦଳିଗଲା । ବର୍ତ୍ତମାନ ଯୁଦ୍ଧଭୂମିର ଦୃଶ୍ୟ ଆସିଲା । ଅମରସିଂହ କଳା ଘୋଡ଼ାରେ ଚଢ଼ି ନାଲିଆ ଘୋଡ଼ା ଉପରେ ଚଢ଼ିଥିବା ତାଙ୍କର ଶତ୍ରୁ ସହିତ ଯୁଦ୍ଧ କରୁଥାନ୍ତି । ଘୋଡ଼ାଦୁଇଟା ସାଇଁ ସାଇଁ ହୋଇ ପରସ୍ପର ପାଖକୁ ଦଉଡ଼ି ଆସୁଥାନ୍ତି । ଦୁଇ ଯୋଦ୍ଧାଙ୍କର ଖଣ୍ଡା ଏକାଠି ବାଜି ଝଣଝଣ୍ ଶୁଭୁଥାଏ । “ଦୁମ୍-ତା-ତା-ଦୁମ୍, ଦୁମ୍-ତା-ତା-ଦୁମ୍” ଢୋଲ ପିଟାହେଉଥାଏ-

 

Image

 

“ପିଇଲ...ପିଇଇହା...ପାପିଇଇ !’’ -ହୁଇସିଲ୍ ବାଜିଉଠୁଥାଏ ।

 

ଯୁଦ୍ଧରେ ଅମରସିଂହଙ୍କର ଜୟ ହେଲା । ନାଲିଆ ଘୋଡ଼ାରେ ଚଢ଼ିଥିବା ରାଜା ତଳେ ପଡ଼ିଗଲେ ଓ ମରିଗଲେ ।

 

ଲୋକମାନେ ଉଲ୍ଲାସରେ ତାଳି ବଜାଇଲେ । ତା’ପରେ ସବୁଜ ପଗଡ଼ି ପିନ୍ଧିଥିବା ପିଲାଟି ଉଠି ଠିଆହେଲା ଓ ମାଟିଥାଳୀଟିଏ ହାତରେ ଧରି ଚାରିଆଡ଼େ ବୁଲିଆସିଲା । ଲୋକମାନେ ଥାଳୀ ଭିତରକୁ ପଇସା ପକାଇଲେ ।

 

ଦୀପକ ବ୍ୟସ୍ତ ହେଲାପରି କହିଲା, “ବଡ଼ ଅଡ଼ୁଆ କଥା ହେଲା । ମୋ’ ପାଖରେ ତ ଗୋଟିଏ ବୋଲି ପଇସା ନାହିଁ ! ଡିଡ଼ୋ, ତୋ’ପାଖରେ କିଛି ଅଛି କିରେ ?’’

 

“ଉଁ-ହୁଁ,” -ଡିଡ଼ୋ କିଛି ନକହି ମୁଣ୍ଡ ହଲାଇଲା ।

 

“ମୋ’ ପାଖରେ ଅଛି”–ପାର ପଛରୁ ଥାଇ କହିଲା । ନିଜ ପକେଟ୍‌ରୁ ସେ ସୁଉକିଟିଏ ବାହାର କରି ଦେଖାଇଲା ।

 

“ରକ୍ଷା ହେଲା ! ତୁ ତାକୁ ସୁଉକିଟି ଦେଇଦେ ।’’ ଦୀପକ କହିଲା । ଅସୁବିଧା ପଡ଼ିଲେ ଏଇ ଝିଅଗୁଡ଼ାକ ବି ବେଳେବେଳେ କାମରେ ଆସନ୍ତି–ସେ ମନେମନେ ଭାବୁଥାଏ ।

 

ପାର ସୁଉକିଟିକୁ ବାହାର କରି ଥାଳୀ ଭିତରକୁ ପକାଇଦେଲା ଏବଂ ପିଲାଏ ଘରକୁ ବାହାରିଲେ । ଜମା ହୋଇଥିବା ଭିଡ଼ଟା ମଧ୍ୟ ଭାଙ୍ଗିଗଲା ।

 

Image

 

ଡିଡ଼ୋ କହିଲା, “ଜଲ୍‌ଦି ଚାଲ, ଦୀପକ ! ତେଣେ ଘରେ ଆମକୁ ସମସ୍ତେ ବ୍ୟସ୍ତ ହୋଇ ଖୋଜୁଥିବେ !’’

 

ଚାରିଜଣଯାକ ଗଳିବାଟ ଦେଇ ଦଉଡ଼ିବାକୁ ଲାଗିଲେ ।

 

ବାଟରେ ଦୀପକ କହୁଥାଏ, ‘ଆମେ ବି କାହିଁକି ଏହିଭଳି ନାଟକ ଦେଖାଇନପାରିବା-?’’

 

“କିନ୍ତୁ ଏସବୁ କଣ୍ଢେଇ କୁଆଡ଼ୁ ଆସିବ ?’’ –ଡିଡ଼ୋ ପଚାରିଲା ।

 

“ବୋକା, ଆମର କଣ୍ଢେଇ କାହିଁକି ଦରକାର ହେବ ? ଆମେ ନିଜେ ନିଜେ ନାଟକରେ ବାହାରିବା ।’’ –ଦୀପକ ଉତ୍ତର ଦେଇ କହୁଥାଏ । “ମୁଁ ଅମରସିଂହ ରଠୋର ହେବି”–ଗୋଟିଏ ହାତରେ ସତେ ଯେପରି ଖଣ୍ଡା ଧରିଥିବାପରି ସେ ବହୁ ଦୁଇଟାକୁ ଉପରକୁ ଟେକି ଦେଇ କହିଲା–“ଅବଶ୍ୟ ଯଦି ତୁ ମଧ୍ୟ ଅମରସିଂହ ହେବାକୁ ନଚାହୁଁ !’’

 

ଡିଡ଼ୋ କହିଲା, “ନାଇଁ–ନାଇଁ, ଯୋଉ ରାଜା ଲଢ଼େଇରେ ହାରିଗଲା, ମୁଁ ସେଇ ରାଜା ହେବି । ମରିବା ଦୃଶ୍ୟ ଅଭିନୟ କରିବାକୁ ମୋତେ ଅଧିକ ମଜା ଲାଗିବ ।’’ –କହିଲାବେଳକୁ ସେ ଆଖି ଦୁଇଟାକୁ ଜୁଳୁଜୁଳୁ କରି ଆଣିଲା, ବାହା ଦୁଇଟାକୁ ଜୀବନ ନଥିଲା ପରି ତଳକୁ ଝୁଲାଇଦେଲା ଓ ଏମିତି ଭଙ୍ଗୀରେ ଦୁଲ୍‌କରି ତଳେ ପଡ଼ିଗଲା ଯେ ପିଲାଗୁଡ଼ାକ ସମସ୍ତେ ହସିଉଠିଲେ ।

 

“ମୁଁ–ଉ–ଉ-ବି !’’ –ଡିଡ଼ୋ ଉପରେ ନାଉ ହୋଇ ବସିଥିବା ମୋଟା ଟପ୍‌ପୋ ବି ପାଟିକରି ଉଠିଲା ।

 

“ଡିଡ଼ୋ, ଠିଆହୋଇ ଯା !’’ –ପାର ପାଟିକରି କହିଲା । ଦୀପକ ଟପ୍‌ପୋକୁ ଡିଡ଼ୋର ପିଠିଉପରୁ ଓହ୍ଲାଇଦେଲା । “ଦୀପକ, ଦେଖିଲୁଣି, ତୁମ ଫାଟକ ପାଖରେ ଗୋଟିଏ ଟ୍ୟାକ୍‌ସି ଠିଆହୋଇଚି ଓ ତୋ’ର ବୋଉ ମଧ୍ୟ ମୋତେ ଡାକୁଚନ୍ତି ।’’

 

ତେଣୁ ଏକ ବ୍ୟସ୍ତକଣ୍ଠରୁ କଥା ଶୁଭିଲା, “ତୁ ଏତେବେଳଯାଏ କୁଆଡ଼େ ଯାଇଥିଲୁ, ଦୀପକ ? ହେ ଭଗବାନ୍, ସେ ଦୁଷ୍ଟ ଟପ୍‌ପୋ ବି ସେମାନଙ୍କ ସାଙ୍ଗରେ ଯାଇଥିଲା ! ତୋତେ ଘରେ ନଦେଖି ମୁଁ ବଡ଼ ବ୍ୟସ୍ତ ହୋଇପଡ଼ିଥିଲି । ଆଜି ସନ୍ଧ୍ୟାବେଳେ ପ୍ରେମମାମୁ ବମ୍ବେରୁ ଆସି ପହଞ୍ଚିବେ ବୋଲି କ’ଣ ତୋ’ର ମନେନଥିଲା ? ସେ ଆସି ପହଞ୍ଚିଲାବେଳେ ତୁମେ ସବୁ ଏଠି କେହିହେଲେ ନଥିଲ ।’ ଦୁଇ ପୁଅଙ୍କୁ ଗାଳି ଦେଉଦେଉ ଦୀପକର ମାଆ ଫାଟକ ବାହାରକୁ ଆସିଲେ ।

 

“ମୋର ଦୋଷ ହୋଇଚି, ମାଆ ! ସେକଥା ମୁଁ ବିଲକୁଲ୍ ଭୁଲିଯାଇଥିଲି । ଆମେ ସମସ୍ତେ କଣ୍ଢେଇନାଚ ଦେଖିଯାଇଥିଲୁ । ମାମୁ, ଆପଣ ମୋର ଦୋଷ କ୍ଷମା କରିବେ !’’ –ଦୀପକ କହୁଥାଏ । ଟ୍ୟାକ୍‌ସି ଭିତରୁ ଜଣେ ଡେଙ୍ଗା ପୁରୁଷଲୋକ ବାହାରିଆସି ତାକୁ ବଡ଼ ଆଦରରେ ପାଖକୁ ଟାଣିନେଲେ ।

 

“ସେଥିରେ କିଛି ଦୋଷ ନାହିଁ ଦୀପକ ! କଣ୍ଢେଇବାଲା ତ ଠିକ୍ କୁହୁକ କଲାପରି କଣ୍ଢେଇମାନଙ୍କୁ ନଚାଏ । ତେଣୁ ତୁ ଯେ ତା’ର କୁହୁକ ଭିତରେ ପଡ଼ିଯାଇଥିବୁ, ସେକଥା ମୁଁ ବେଶ୍ ଭଲକରି ବୁଝିପାରୁଚି ।’’ –ସେ କହିଲେ, “ଇଏ ହେଉଛି ତୋ’ର ଅପା ଅନୁ ।’’ ସେ ଏକଥା କହିଲାବେଳେ ଷୋଳବର୍ଷର ଝିଅଟିଏ ଟ୍ୟାକ୍‌ସିରୁ ଓହ୍ଲାଇ ବାହାରକୁ ଆସିଲା ।

ଟିକିଏ ଲଜ୍ଜିତ ହେଲାପରି ଦୀପକ କହିଲା, “ଅନୁ ଅପା, ନମସ୍କାର । ତୋ’ କଥା ଆଉ ମୋଟେ ମନେ ପଡ଼ୁନାହିଁ ।’’

“କିନ୍ତୁ ମୋର ଠିକ୍ ମନେଅଛି ।’’ –ଅନୁ ହସି ହସି ଉତ୍ତର ଦେଲା । ଦୀପକକୁ ପ୍ରତିନମସ୍କାର ଜଣାଇଲା ।

“ମ...ତେ...ବି, ମ...ତେ...ବି !’’ ଟପ୍‌ପୋ ପାଟିକରି ଉଠିଲା ।

“ହଁ, କୁନିପୁଅ, ତତେ ବି !’’ କହୁ କହୁ ଅନୁ ଟପ୍‌ପୋକୁ ତଳୁ ଉଠାଇ କାଖ କଲା ।

ଦୀପକର ମାଆ କହିଲେ, “ପିଲାଏ, ଜିନିଷପତ୍ର ଘର ଭିତରକୁ ନେଇଆସ । ଡିଡ଼ୋର ମାଆ ଆମପାଇଁ ଚାହା ଆଉ କେତେ କଅଣ ତିଆରି କରି ରଖିଚନ୍ତି । ସେଠି ସମସ୍ତଙ୍କର ନିମନ୍ତ୍ରଣ ରହିଚି ।’’

Image

“ଭାରି ମଜା !’’ ପିଲାଏ ପାଟିକରି ଉଠିଲେ । ବାକସ୍ ଓ ଆଉସବୁ ଜିନିଷପତ୍ର ଉଠାଇ ସେମାନେ ସଙ୍ଗେ ସଙ୍ଗେ ଘର ଭିତରକୁ ନେଇଗଲେ ।

Image

 

ପର୍ଦ୍ଦା ଉଠାଅ !

 

ବଡ଼ ଓ ସାନମାନେ ତାପରେ ଯାଇ ପଡ଼ିଶାଘର ଦାଣ୍ଡବଖରାଟିରେ ରୁଣ୍ଡ ହେଲେ ଓ ଟେବୁଲ ଚାରିପାଖରେ ବସିଲେ । ସେଇଠି ବସି ଡିଡ଼ୋର ମାଆ ବେଗମ୍ ଅନୱାର୍ ବଡ଼ମାନଙ୍କ ପାଇଁ ପିଆଲାକୁ ପିଆଲା ଚାହା ସଜାଡ଼ିଦେବାରେ ଓ ସାନମାନଙ୍କ ପାଇଁ ଗିଲାସ ମାନଙ୍କରେ ଦୁଧ ଢାଳିବାରେ ଲାଗିଥାନ୍ତି । ବେଗମ୍ ଅନୱାର୍ ଅବିକଳ ତାଙ୍କର ଝିଅ ପର୍‌ବୀଣର ଏକ ବୃହତ୍ତର ସଂସ୍କରଣ ପରି ଦେଖାଯାଉଥାନ୍ତି–ଠିକ୍ ସେମିତି ମୋଟା ଓ ଗୋଲଗାଲ୍ । ଗରମ ଜଲିପି ଆଉ ପକୁଡ଼ିର ଥାଳିମାନ ଏପାଖରୁ ସେପାଖ ହେବାରେ ଲାଗିଥାଏ; ସମସ୍ତେ ମହା ଖୁସିରେ ଗପ କରୁଥାନ୍ତି ଓ ତା’ ସହିତ ଖାଇବାରେ ବି ଲାଗିଥାନ୍ତି ।

 

ମାମୁଙ୍କୁ ଦେଖିବାବେଳଠାରୁ ଦୀପକର ମନ ଭିତରଟା ସମସ୍ତଙ୍କରଠାରୁ ଅଧିକ ଛନଛନ ଓ ଅଧୀର ହୋଇପଡ଼ିଥାଏ । ମାମୁ ତା’ ମାଆଙ୍କର ଏକମାତ୍ର ଭାଇ–ସାଙ୍ଗରେ ଏକ ନାଟଦଳ ଧରି ନିଖିଳ ଭାରତ ନାଟକ ଉତ୍ସବରେ ଭାଗ ନେବାକୁ ଏଇ ପ୍ରେମମାମୁ ସିଧା ବମ୍ବେରୁ ଆସି ପହଞ୍ଚିଥାଆନ୍ତି । ତାଙ୍କ ଦଳଟିର ନାଆଁ ହେଉଚି ହିନ୍ଦ୍ ମଞ୍ଚ (ଭାରତୀୟ ମଞ୍ଚ); ଦଳରେ ପ୍ରାୟ କୋଡ଼ିଏ ଜଣ ମଣିଷ । ଅନ୍ୟାନ୍ୟ ଦଳଗୁଡ଼ିକ ସହିତ ଏହି ଦଳର ଲୋକମାନେ ଗୋଟିଏ ହୋଟେଲରେ ରହିଥାନ୍ତି; ମାତ୍ର ନିଜର ଭଉଣୀଘର ଏହି ସହରରେ ହୋଇଥିବାରୁ ପ୍ରେମମାମୁ ଓ ତାଙ୍କର ଝିଅ ଅନୁ ତାଙ୍କ ଭିଣୋଇ ଘରେ ରହିବାଲାଗି ଏଠାକୁ ଆସିଥାନ୍ତି । ଅନୁ ଏବେ ଉଚ୍ଚମାଧ୍ୟମିକ ପରୀକ୍ଷା ଦେଇଥାଏ ଓ ଫଳ ବାହାରିବା ପର୍ଯ୍ୟନ୍ତ ତାକୁ ଏକ ଲମ୍ବା ଛୁଟି ମିଳିଯାଇଥାଏ । ଫଳ ବାହାରିବା ପରେ ଯାଇ ସିନା ସେ କଲେଜରେ ନାଆଁ ଲେଖାଇବ ! ତେଣୁ ହିନ୍ଦ୍ ମଞ୍ଚ ଦଳ ଯେଉଁ ଦୁଇଟି ନାଟକ ଅଭିନୟ କରିବାଲାଗି ପ୍ରସ୍ତୁତ ହୋଇ ଆସିଥାନ୍ତି, ସେଥିରୁ ଗୋଟିକରେ ଅନୁ ମଧ୍ୟ ପାଟ୍ ନେଇଥାଏ ।

 

“ମାମୁ, ତୁମ ଦଳ କି କି ନାଟକ ଦେଖାଇବେ ?’’ –ଦୀପକ ପଚାରିଲା ।

 

ପ୍ରେମମାମୁ ଉତ୍ତର ଦେଲେ, “ଆମେ ଦୁଇଟି ନାଟକ ଅଭିନୟ କରିବୁ ବୋଲି ତିଆରି ହୋଇ ଆସିଛୁ । ଗୋଟିଏ ହେଉଚି ଏକ ଐତିହାସିକ ନାଟକ ‘ତୋଗଲକ୍’ । ଏହାକୁ ଜଣେ ଭାରତୀୟ ଲେଖକ ଲେଖିଚନ୍ତି । ଜଣେ ବିଖ୍ୟାତ ଭାରତୀୟ ବାଦଶାହଙ୍କ ବିଷୟରେ ନାଟକଟି ଲେଖାହୋଇଚି ।’’

 

“ତୁମେ ସେ ପାଗଳ ତୋଗଲକ୍‍ଙ୍କ କଥା କହୁଚ କି ?’’ –ଡିଡ଼ୋ ପଚାରିଲା । ଇତିହାସରେ ତାର ଭାରି ଆଗ୍ରହ ।

 

“ହଁ, ମହମ୍ମଦ ତୋଗଲକ୍‌ଙ୍କୁ ଅନେକ ସମୟରେ ପାଗଳ ବୋଲି କୁହାଯାଉଥିଲା । ତାଙ୍କୁ ଅତ୍ୟନ୍ତ ପ୍ରତିଭାଶାଳୀ ବୋଲି ମଧ୍ୟ କୁହାଯାଉଥିଲା । ଏହି କୁଶଳୀ ଶାସକ କିପରି କ୍ରମେ ଜଣେ ନିର୍ଦ୍ଦୟ ଶାସକରେ ପରିଣତ ହେଲେ, ଏପରିକି ପ୍ରାୟ ବୁଦ୍ଧି ହରାଇବସିଲାପରି ଜୀବନର ଶେଷକାଳକୁ ପ୍ରଜାମାନଙ୍କ ଉପରେ ନାନା ଉତ୍ପୀଡ଼ନ କରିବାକୁ ଲାଗିଲେ, ନାଟକରେ ସେହି କଥା କୁହାଯାଇଚି ।’’

Image

 

“ଆଉ ଆର ନାଟକଟିରେ ?’’ –ଦୀପକ ପଚାରିଲା ।

 

“ଆର ନାଟକଟି ମୁଁ ନିଜେ ଲେଖିଚି । ଏଥିରେ ଆଧୁନିକ ଜୀବନକୁ ଲକ୍ଷ୍ୟ ରଖି ଏକ ମିଳନାନ୍ତକ କାହାଣୀର ବର୍ଣ୍ଣନା କରାଯାଇଚି ।’’

 

“ଏଇଟି ପ୍ରକୃତରେ ବଡ଼ ରସରସିଆ ହୋଇଚି” –ହସିକରି ଅନୁ କହିଲା । ତାର ବାପା କହିଲେ, “ସେଥିରେ ତୋର ପାଟ୍‌ଟା ବି ଭାରି କଉତୁକିଆ ହୋଇଚି ।’’

 

“ଅନୁ ଅପା, ସେଥିରେ ତୁ ବି ପାଟ୍ ନେଇଚୁ ?’’ –ସତେ ଅବା ଈର୍ଷା କରୁଥିବା ପରି ଦୀପକ ପଚାରିଲା ।

 

ପ୍ରେମମାମୁ ଉତ୍ତର ଦେଇ କହିଲେ, “ହଁ ହଁ, ନେଇଚି ଏବଂ ସିଏ ଭାରି ବଢ଼ିଆ ଅଭିନୟ ବି କରୁଚି ।’’

 

ଦୀପକ ବଡ଼ପାଟିରେ କହିଲା, ବି ଜଣେ ଅଭିନେତା ହେବାକୁ ଭାରି ମନ ଅଛି । ମାମୁ, ତୁମେ ହିନ୍ଦ୍ ମଞ୍ଚରେ ମୁଁ ଜଣେ ଅଭିନେତା ହୋଇପାରନ୍ତି ନାହିଁ ?’’

 

“ସବୁକଥା ଧୀରେ ଧୀରେ ହୁଏ, ଦୀପକ ! ଆଗ ସ୍କୁଲପଢ଼ା ସାରୁ । ଅନୁ ବି ଆଉ କେତେ ଦିନ ଗଲେ କଲେଜକୁ ଯିବ । ସେ ଅଭିନେତ୍ରୀ ହେବ, କୌଣସି ସ୍କୁଲରେ ପାଠ ପଢ଼ାଇବ, ସମ୍ବାଦିକ ହେବ କି ଆଉ କଣ କରିବ, ତା’ପରେ ଯାଇ ସେକଥା ସ୍ଥିର କରିପାରିବ । କିନ୍ତୁ ଦୀପକ, ତୋ ବାପାଙ୍କ ପରି ଜଣେ ଉଡ଼ାଜାହାଜଚାଳକ ହେବାଲାଗି କଣ ତୋ’ର ଇଚ୍ଛା ନାହିଁ ?’’ –ମାମୁ ଦୀପକକୁ କହିଲେ ।

 

ଏତିକିବେଳେ ବେଗମ୍ ଅନୱାର ଦୀପକର ମାଆଙ୍କ ଆଡ଼କୁ ହଠାତ୍ ବୁଲିପଡ଼ି ଥରେ ଅନାଇଦେଲେ ଚିତ୍କାର କଲାପରି କହିଉଠିଲେ, “ନା-ନା, କେଭେ ନୁହେଁ !’’ ମାତ୍ର ଦୀପକର ମାଆ କିଛି ନ କହି ଚୁପ୍ ରହିଥାନ୍ତି । ହଠାତ୍ ଏକ ଅପ୍ରୀତିକର ନୀରବତା ଆସି ସମସ୍ତଙ୍କୁ ମାଡ଼ିବସିଲା ପରି ଲାଗିଲା ଓ ସମସ୍ତେ ଅସ୍ଵସ୍ତି ବୋଧ କରିବାକୁ ଲାଗିଲେ । ଅଳ୍ପ କେତେ ବର୍ଷ ପୂର୍ବେ ଆପଣା ଦେଶକୁ ରକ୍ଷା କରିବାକୁ ଯାଇ ଦୀପକର ବାପା ଓ ଜଣେ ସାହସୀ ଉଡ଼ାଜାହାଜଚାଳକ ଫ୍ଲାଇଙ୍ଗ ଅଫିସର୍ ଅର୍ଜ୍ଜୁନ ଦାସ ଆପଣା ପ୍ରାଣ ହରାଇଥିଲେ । ବିଧବା ହେବା ପରେ ଶ୍ରୀମତୀ ଦାସ ଏକ ମହିଳା କଲେଜରେ ଅଧ୍ୟାପିକା କାମ କଲେ । ସେ କାମକୁ ଯାଇଥିବାବେଳେ ପଡ଼ିଶାରେ ଥିବା ଅନୱାର ପରିବାର ତାଙ୍କ ସାନପୁଅ ଟପ୍‌ପୋକୁ ରଖିବାରେ ସାହାଯ୍ୟ କରୁଥାନ୍ତି । ପ୍ରକୃତରେ କହିବାକୁ ଗଲେ ଶ୍ରୀମତୀ ଦାସଙ୍କୁ ବେଶୀ ସମୟଯାଏ କଲେଜରେ ରହିବାକୁ ପଡ଼ୁଥିବାବେଳେ ବେଗମ୍ ଅନୱାର ତାଙ୍କର ଦୁଇଟିଯାକ ପୁଅଙ୍କର ଖବର ବୁଝନ୍ତି ।

 

“ଆଗରୁ ମୋର ଉଡ଼ାଜାହାଜଚାଳକ ହେବାକୁ ଇଚ୍ଛା ଥିଲା; କିନ୍ତୁ ବର୍ତ୍ତମାନ ମୁଁ ଜଣେ ଅଭିନେତା ହେବାକୁ ଚାହୁଁଚି ।’’ –ଦୀପକ କହିଲା, “କଣ୍ଡେଇ ନାଚ ପରି ଗୋଟାଏ ନାଟକ କରିବାକୁ ଆମେ ସବୁ ବର୍ତ୍ତମାନ କଥାବାର୍ତ୍ତା ହେଉଥିଲୁ ଏବଂ ସେଥିରେ ମୋର ଅମରସିଂହ ରାଠୋର ହେବାରେ କଥା ଠିକ୍ ହୋଇଥିଲା ।’’

 

“ଆଉ ମୁଁ ହୋଇଥାନ୍ତି ଆହତ ସେନାପତି ।’’ –ଡିଡ଼ୋ ସଙ୍ଗେ ସଙ୍ଗେ କହିଲା । ସେ ତତ୍‌କ୍ଷଣାତ୍ ବସିଥିବା ଚଉକିଟି ଉପରେ ମଲାଙ୍କ ପରି ଫାଁ-ଗାଳି ପଡ଼ିଗଲା ଓ ହାତ ଦୁଇଟାକୁ ଦୁଇପାଖକୁ ଲମ୍ବାଇଦେଲା । ସମସ୍ତେ ଏକାବେଳକେ ହସିଉଠିଲେ ।

 

“ମୁଁ-ଉ-ବି, ମୁଁ-ଉ-ବି !’’ –ଟପ୍‌ପୋ ମଧ୍ୟ ଡିଡ଼ୋପରି ଚଉକି ଉପରେ ପଡ଼ିଯିବାର ଚେଷ୍ଟା କଲା; ମାତ୍ର ସଙ୍ଗେ ସଙ୍ଗେ ଚଉକିରୁ ଟଳିପଡ଼ି ଭୂଇଁ ଉପରେ ଆସି ପଡ଼ିଲା ।

 

“ତୁ ଭାରି ଦୁଷ୍ଟ ହେଲୁଣୁ, ଟପ୍‌ପୋ !’’ –ଶ୍ରୀମତୀ ଦାସ ପାଟିକରି ଉଠିଲେ । ଏଣେ ସମସ୍ତେ ଠୋ’ ଠୋ’ ହୋଇ ହସିବାରେ ଲାଗିଥାନ୍ତି ଓ ଅନୁ ବିଚରା ଆହତ ସେନାପତିଙ୍କୁ ତଳୁ ଉଠାଇଆଣୁଥାଏ ।

 

“ଆମ ନାଟକରେ ତୁମେ ଆମକୁ ସାହାଯ୍ୟ କରିବ, ମାମୁ !’’ –ଦୀପକ ପଚାରିଲା ।

 

“ନିଶ୍ଚୟ କରିବି । କିନ୍ତୁ ମୋତେ ଆଗ ମୋ’ ନିଜଟିର କଥା ବୁଝିବାକୁ ହେବ ।’’ ଅନୁ ଚାଲ୍‍, ଅନେକ ଡେରି ହୋଇଗଲାଣି । ଏଥର ଥିଏଟରକୁ ଯିବାକୁ ହେବ ।’’

 

“କଣ ସାଙ୍ଗେ ସାଙ୍ଗେ ଯିବାକୁ ହେବ ? ତୁମେ ତ ମୋଟେ ଏଇକ୍ଷଣି ଆସି ପହଞ୍ଚିଲ” –ଶ୍ରୀମତୀ ଦାସ କହିଲେ ।

 

ଭାଇ ଉତ୍ତର ଦେଇ କହିଲେ, “ତୁ ତ ଜାଣୁ, ଏଥିଲାଗି ଆଗରୁ କିପରି ପ୍ରସ୍ତୁତ ହେବାକୁ ପଡ଼େ । ସେଇଠି ମୁଁ ମୋର ମଞ୍ଚ-ପରିଚାଳକଙ୍କୁ ଯାଇ ଭେଟିବି ବୋଲି ଜବାବ ଦେଇଥିଲି ।’’

 

“ଆମେ ସବୁ ତୁମ ସାଙ୍ଗରେ ଯାଇପାରିବୁ ?’’ –ଡିଡ଼ୋ ପଚାରିଲା ।

 

“ନିଶ୍ଚୟ !’’

 

“ମୁଁ-ଉ-ବି !’’ ଟପ୍‌ପୋ ଏଡ଼େ ପାଟିରେ କହିଲା ।

 

“ନାଇଁ, ନାଇଁ ଟପ୍‌ପୋ !’’ -ଟପ୍‌ପୋର ମାଆ କହିବାକୁ ଯାଉଥିଲେ ।

 

“ସିଏ ବି ଚାଲୁ, ଅପା !’’ –ବାଧା ଦେଇ ଅନୁ କହିଲା । “ମୁଁ ନିଜେ ତାକୁ ସମ୍ଭାଳି କରି ରଖିବି ।’’

 

“ଆମର ବେଶୀ ଡେରି ହେବନାହିଁ ।’’ –ମାମୁ କହିଲେ, “ଆଜି ମୁଁ ଷ୍ଟେଜ୍‌ ବିଷୟରେ କେବଳ ଏକ ଧାରଣା କରିନେବି । ଆଲୁଅର କିପରି ବ୍ୟବସ୍ଥା ଅଛି, ସେକଥା ମଧ୍ୟ ଦେଖିବି ।’’

 

“ଚାଲନ୍ତୁ, ମୁଁ ଆପଣମାନଙ୍କୁ ନେଇ ଥିଏଟର ପାଖରେ ଛାଡ଼ିଦେଇ ଆସିବି ।’’ –ଶ୍ରୀଯୁକ୍ତ ଅନୱାର ପ୍ରସ୍ତାବ କଲେ । ଭାରି ଚୁପଚାପ୍ ଲୋକ, ଏପର୍ଯ୍ୟନ୍ତ ପଦେ କଥା ବି କହି ନ ନଥିଲେ । "ସିଆଡ଼େ ମୋର ମଧ୍ୟ ଗୋଟାଏ ଜାଗାକୁ ଯିବାକୁ ଅଛି । ପ୍ରାୟ ଘଣ୍ଟାକ ପରେ ମୁଁ ଆପଣମାନଙ୍କୁ ପୁଣି ଗାଡ଼ିରେ ଘରକୁ ନେଇଆସି ପାରିବି ।"

 

ଶ୍ରୀଯୁକ୍ତ ଅନୱାର୍ ସେମାନଙ୍କୁ ସେଣ୍ଟ୍ରାଲ ଥିଏଟର ପାଖରେ ଛାଡ଼ିଦେଇ ଗଲେ । ପ୍ରେମମାମୁଙ୍କୁ ଦେଖି ଜଣେ ମୋଟା ଭଦ୍ରଲୋକ ତାଙ୍କ ଆଡ଼କୁ ଦଉଡ଼ିଆସିଲେ ଓ ତାଙ୍କ ସହିତ କରମର୍ଦ୍ଦନ କଲେ । ‘‘ଆପଣଙ୍କର ସାକ୍ଷାତ ଲାଭକରି ମୁଁ ବଡ଼ ଖୁସି ହେଲି ।" –ସେ କହିଲେ, ଆପଣଙ୍କର ଷ୍ଟେଜ୍-ପରିଚାଳକ ଶ୍ରୀଯୁକ୍ତ କେତ୍‌କର୍ ଭିତରେ ଆପଣଙ୍କ ଲାଗି ଅପେକ୍ଷା କରୁଛନ୍ତି ।" ସେ ସେମାନଙ୍କୁ ଗୋଟିଏ ଖୋଲା କକ୍ଷ ଭିତରକୁ ନେଇଗଲେ । ସେଠାରେ ଦୁଇଟା ବଡ଼ କବାଟ ମେଲା ହୋଇ ରହିଥିଲା । ସେମାନେ ଭିତରକୁ ଗଲେ ।

 

କକ୍ଷ ଭିତରେ କେବଳ କ୍ଷୀଣ ଆଲୁଅଟିଏ ଜଳୁଥିଲା । ଧାଡ଼ି ଧାଡ଼ି ବସିବା ଥାନଗୁଡ଼ିକ ଖାଲିପଡ଼ିଥାଏ । କକ୍ଷର ସେପାଖରେ ଯାଇ କଳା ରଙ୍ଗର ଗୋଟିଏ ଭାରି ପର୍ଦ୍ଦା ଷ୍ଟେଜ୍‌କୁ ଆବୋରି ରହିଥିଲା ।

 

“ପର୍ଦ୍ଦା ଉଠାଅ !’’ –ପ୍ରେମମାମୁ ହଠାତ୍ ପାଟିକରି କହିଲେ ।

 

କକ୍ଷରେ ଏକ ଅଦ୍ଭୂତ ଘିଡ଼ି ଘିଡ଼ି ଶବ୍ଦ ହେଲା । ମଖମଲର ପର୍ଦ୍ଦାଗୁଡ଼ିକ ଧୀରେ ଧୀରେ ଅଲଗା ହୋଇ ଦୁଇପାଖକୁ ଚାଲିଗଲା । ଦୀପକ ଅବାକ୍ ହୋଇ ସତେ ଅବା ଗୋଟିଏ ନିଶ୍ଵାସରେ ଅନେଇ ରହିଥାଏ । ତା’ର ଆଖିଆଗରେ ଅନ୍ଧାର ଓ ନୀରବ ହୋଇ ଷ୍ଟେଜ୍‌ଟା ଆଁ କରି ଅନାଇଥାଏ-। ସେ ଆଉ ନିଜକୁ ଅଟକାଇ ରଖିପାରିଲା ନାହିଁ; ସେ ଆଗକୁ ଦଉଡ଼ିଗଲା ଓ ଷ୍ଟେଜ ଉପରକୁ ପଡ଼ିଥିବା ଧାଡ଼ିଏ ପାହାଚ ଉଠିବାକୁ ଲାଗିଲା ।

 

“ଷ୍ଟେଜ୍‌ର ଆଲୁଅଗୁଡ଼ିକ ଜଳାଇଦିଅ ।’’ –ପ୍ରେମମାମୁ ଡାକିକରି କହିଲେ ।

 

କ୍ଷଣକ ଭିତରେ କେଡ଼େ ଉଜ୍ଜ୍ଵଳ ଆଲୁଅରେ ଷ୍ଟେଜ୍‌ଟାଯାକ ଝଲସି ଉଠିଲା । ଖାଲି ପଟାଗୁଡ଼ାକର ମଝିରେ ଗୋଟିଏ କ୍ଷୁଦ୍ର ମନୁଷ୍ୟମୂର୍ତ୍ତି ଦୀପକ ଠିଆହୋଇ ରହିଥାଏ । କ୍ଷୀଣଭାବରେ ଆଲୋକିତ ହୋଇଥିବା କକ୍ଷଆଡ଼କୁ ଆଖିପକାଇ ସେ ଅନାଇରହିଥାଏ ।

 

"ସାବାସ୍ !" -ଡିଡ଼ୋ ତାଳିମାରି ପାଟିକରି ଉଠିଲା । ଦୀପକ ବଡ଼ ଗମ୍ଭୀରଭାବରେ ମୁଣ୍ଡ ନୁଆଇଁ ଆଣୁଥାଏ । ପିଲାଯାକ ତାଳିମାରି ହସିବାରେ ଲାଗିଥାନ୍ତି ।

 

"ମୁଁ-ଉ-ବି" –ଟପ୍‌ପୋ ପାଟିକରି କହିଲା ।

 

"ତୁମେ ସମସ୍ତେ ମୋ' ସାଙ୍ଗରେ ଆସ ।"–ପ୍ରେମମାମୁ ଡାକିକରି କହିଲେ । "ଚାଲ, ଆମେ ସମସ୍ତେ ଷ୍ଟେଜ୍ ଉପରକୁ ଯାଇ ସେହି ନାୟକଟି ସହିତ ଏକାଠି ଠିଆହେବା ।"

Image

 

ଅଭିନେତାର ଘର

 

ଦୀପକ ଏକାକୀ ଷ୍ଟେଜ୍ ଉପରେ ଠିଆହୋଇ ରହିଥାଏ । ଏତିକିବେଳେ ଆଲୁଅଗୁଡ଼ାକ ଏକାବେଳକେ ଜଳିଉଠିଲା । ଉଦ୍‌ଭାସିତ ସେହି କ୍ଷଣଟିପାଇଁ ଦୀପକ ତା'ଆଗରେ ଥିବା ଏଡ଼େ ବଡ଼ ଅନ୍ଧାର କକ୍ଷଟିଆଡ଼କୁ ଦୃଷ୍ଟିପାତ କରିବା ମାତ୍ରକେ ଆପଣା ଭିତରେ ହଠାତ୍ ସତେ ଯେପରି କେତେ ଖୁସି ଓ କେତେ ଶକ୍ତି ଅନୁଭବ କରିବାକୁ ଲାଗିଲା । ତା'ପରେ ଡିଡ଼ୋ 'ସାବାସ୍' ବୋଲି ଚିତ୍କାର କରି ସେହି କୁହୁକମୟ ମୁହୂର୍ତ୍ତଟିର ଆବେଶଟିକୁ ଭାଙ୍ଗିଦେଲା ଓ ଦୀପକ ମୁଣ୍ଡ ନୁଆଇଁ ତାହାର ପ୍ରତ୍ୟୁତ୍ତର ଜଣାଇଲା । ମାତ୍ର ଠିକ୍ ସେହି ସମୟରେ ଆପଣା ନିକଟରେ ମନେ ମନେ ଗୋଟିଏ ପ୍ରତିଜ୍ଞା ବି କରିନେଲା–ସିଏ ଦିନେ ନା ଦିନେ ଏହିପରି ଗୋଟିଏ ଷ୍ଟେଜ୍ ଉପରେ ନିଶ୍ଚୟ ଆସି ଠିଆହେବ–ଷ୍ଟେଜ୍‌ଟି ଆଲୋକରେ ଉଜ୍ଜ୍ଵଳ ହୋଇ ରହିଥିବ ଓ ସେତେବେଳେ ଏକ ପ୍ରକୃତ ଦର୍ଶକମଣ୍ଡଳୀ ସମ୍ମୁଖରେ ସତକୁ ସତ ମୁଣ୍ଡ ନୁଆଇଁ ସେ ସେମାନଙ୍କ କରତାଳିର ଉତ୍ତର ଦେବ ।

 

ତା'ପରେ ସମସ୍ତେ ଷ୍ଟେଜ୍ ଉପରକୁ ଆସିଲେ ।

 

ପ୍ରେମମାମୁ କହିଲେ, ‘‘ଷ୍ଟେଜ୍ ଆଉ ଷ୍ଟେଜ୍ ପଛରେ ଥିବା ଜାଗାତକ ହେଉଚି ଅଭିନେତାର ପ୍ରକୃତ ଘର । ଷ୍ଟେଜ୍ ଉପରେ ଅଭିନୟ କରୁଥିବାବେଳେ ହିଁ ସେ ସବୁଠାରୁ ଅଧିକ ପ୍ରଫୁଲ୍ଲ ହୋଇ ରହିଥାଏ । ଯେତେବେଳେ କକ୍ଷମଧ୍ୟକୁ ଅନାଇ ସେ ଦର୍ଶକମଣ୍ଡଳୀର କରତାଳି ଶୁଣିବାକୁ ଲାଗେ, ସେତିକିବେଳେ ତାକୁ ତାର ପ୍ରକୃତ ପୁରସ୍କାର ମିଳିଯାଏ । ସେ ଆଉ ଅଧିକ କିଛି ମାଗେ ନାହିଁ ।"

 

ଦୀପକ ମଧ୍ୟ ସେତେବେଳେ ଠିକ୍ ସେଇ କଥା ଭାବୁଥିଲା । ସବୁ ଅଭିନେତା ଯେ ଠିକ୍ ତାହାରି ପରି ଏକା କଥା ଭାବନ୍ତି, ଏ କଥା ଶୁଣି ସେ ବଡ଼ ଆଶ୍ଚର୍ଯ୍ୟ ହୋଇଗଲା ।

Image

ପ୍ରେମମାମୁ ପୁଣି କହିବାକୁ ଲାଗିଲେ, "ମାତ୍ର ସେହି ଶ୍ରେଷ୍ଠ ମୁହୂର୍ତ୍ତଟି ଆସି ପହଞ୍ଚିବା ପୂର୍ବରୁ ଅନେକ ଲୋକଙ୍କୁ ସାମୂହିକଭାବରେ କଠିନ କାର୍ଯ୍ୟ କରିବାକୁ ପଡ଼ିବ । ତୋତେ ମୁଁ ଆଗ ଷ୍ଟେଜ୍ ବିଷୟରେ ସବୁକଥା ବୁଝାଇଦେଉଚି । ଷ୍ଟେଜ୍‌ଟି ତିନିଭାଗରେ ବିଭକ୍ତ: ମଝି ଷ୍ଟେଜ୍, ଉପର ଷ୍ଟେଜ୍ ଓ ତଳ ଷ୍ଟେଜ୍ । ପୁଣି ପ୍ରତ୍ୟେକଟି ଭାଗ ମଝି, ବାମ ଓ ଡାହାଣ ଏହିପରି ତିନୋଟି ଉପଭାଗରେ ବିଭକ୍ତ । ଅଭିନେତାର ଅଭିନୟକୁ ଦୃଷ୍ଟିରେ ରଖି ଏହିସବୁ ଭାଗ ଓ ଉପଭାଗ କରାଯାଇଥାଏ । ମୁଁ ବର୍ତ୍ତମାନ ଏହିସବୁ କଥା ତୋତେ କାର୍ଯ୍ୟକ୍ଷେତ୍ରରେ ଦେଖାଇଦେବାକୁ ଯାଉଚି-। ଦୀପକ, ଏଠିକି ଆ !’’

 

“ମ...ତେ...ବି !’’ –ଅନୁର କାଖରେ ଥାଇ ଟପ୍‌ପୋ ପାଟିକରି ଉଠିଲା ।

 

“ଆଚ୍ଛା, ତେବେ ପ୍ରଥମେ ଟପ୍‌ପୋ ଦେଖିବ । ଅନୁ, ତୁ ତାକୁ ନେଇ ଷ୍ଟେଜ୍‌ରେ ଠିକ୍ ମଝିରେ ଠିଆ କରିଦେଲୁ !’’

 

ଅନୁ ଟପ୍‌ପୋକୁ ନେଇ ଠିକ୍ ମଝି ମଞ୍ଚରେ ଠିଆକରିଦେଲା । ଟପ୍‌ପୋ ସତେ ଅବା କେଡ଼େ ଗର୍ବର ସହିତ ସେଠାରେ ଠିଆହୋଇ ରହିଥାଏ ।

 

“ଦୀପକ, ବର୍ତ୍ତମାନ ତୁ ମଝି-ଡାହାଣ ଭାଗରେ ଯାଇ ଛିଡ଼ା ହ’–ଅର୍ଥାତ୍ ହଲ୍ ଆଡ଼କୁ ଅନାଇଲେ ତୁ ଟପ୍‌ପୋର ଡାହାଣକୁ ଠିଆହୋଇଥିବୁ । ଡିଡ଼ୋ, ତୁ ବାଆଁ ପାଖକୁ ଆ’ !’’

 

ପିଲା ଦୁହେଁ ଯାଇ ନିର୍ଦ୍ଧାରିତ ସ୍ଥାନରେ ଠିଆହେଲେ ।

 

“ଆଚ୍ଛା, ପିଲାଏ ! ବର୍ତ୍ତମାନ ତୁମେମାନେ ତଳ-ବାମ ଓ ତଳ-ଡାହାଣ ଜାଗାକୁ ଯାଅ !’’

 

“କୁଆଡ଼କୁ ମୁହଁ କରି ?’’–ଡିଡ଼ୋ ପଚାରିଲା ।

 

“ଦର୍ଶକଙ୍କ ଆଡ଼କୁ ମୁହଁକରି ।" ପିଲାଦୁହେଁ ସ୍ଥାନ ପରିବର୍ତ୍ତନ କଲେ । ଦୀପକ ତଳ-ଡାହାଣକୁ ଗଲା ଓ ଡିଡ଼ୋ ତଳ-ବାଆଁକୁ ଗଲା ।

 

"ପାର, ବର୍ତ୍ତମାନ ତୁ କୋଉଠି ଅଛୁ ?" –ପ୍ରେମମାମୁ ପଚାରିଲେ ।

 

"ଏଠି !" –ଧୀର ସ୍ଵରରେ ପାର ଉତ୍ତର ଦେଲା । ପାର ଭାବୁଥିଲା, ତାକୁ ଯେପରି କେହିହେଲେ ପଚାରୁନାହାନ୍ତି । ସେଥିଲାଗି ତା'ର ମନଟା ଭାରି ପିତା ହୋଇଯାଇଥାଏ ।

 

"ଷ୍ଟେଜ୍ ଉପରକୁ ଯାଇ ତୁ ଟପ୍‌ପୋ ପଛକୁ ଠିଆ ହ' । ନାଇଁ, ଷ୍ଟେଜ୍ ଉପରେ ତୁ ଯେତେଦୂର ପଛକୁ ଯାଇପାରୁଚୁ, ସେତେ ପଛରେ ଯାଇ ଠିଆ ହ !’’

 

ପାର ଷ୍ଟେଜ୍ ଉପରକୁ ଦଉଡ଼ିଗଲା ଓ ଷ୍ଟେଜ୍ ମଝିରେ ଯେତେଦୂର ପଛକୁ ଯାଇପାରିଲା, ସେଇଠାରେ ଯାଇ ଠିଆହେଲା । ‘‘ଏଠି ତ କାନ୍ଥଟାଏ ଅଛି । ମୁଁ ଆଉ ଅଧିକ ପଛକୁ ଯାଇପାରୁନାହିଁ’’–ସେ ପାଟି କରି ଉଠିଲା । ଷ୍ଟେଜ୍ ପଛରେ ଈଷତ୍ ବଙ୍କାହୋଇ ଗୋଟାଏ କାନ୍ଥ ଠିଆହୋଇ ରହିଥିଲା ।

 

‘‘ତୁ ଯାହାକୁ କାନ୍ଥ ବୋଲି କହିଲୁ, ସେଇଟା ହେଉଚି ମଞ୍ଚବୃତ୍ତ’’ –ପ୍ରେମମାମୁ ବୁଝାଇଦେଇ କହିଲେ, ‘‘ତାହାରି ଉପରେ ଆଲୁଅ ପକାଇ କେତେପ୍ରକାର ରଙ୍ଗ ଓ ଆକୃତିର କେଡ଼େ ଚମତ୍କାର ଆବେଶମାନ ସୃଷ୍ଟି କରାଯାଇପାରିବ । ଡିଡ଼ୋ, ବର୍ତ୍ତମାନ ତୁ ଆରପାଖକୁ ଚାଲିଯା' ଓ ଉପର-ଷ୍ଟେଜ୍ ଡାହାଣ ପାଖକୁ ଠିଆ ହ' !’’

 

ଡିଡ଼ୋ ଠିକ୍ କ'ଣ କରିବ, ହଠାତ୍ ସେକଥା ବୁଝିପାରିଲା ନାହିଁ । ଅନୁ ମୁଣ୍ଡରେ ଠାରିଦେଇ ତାକୁ ବାଟ ବତାଇଦେଲା । ସେ ତତ୍‌କ୍ଷଣାତ୍ ଠିକ୍ କଣିଆ ହୋଇ ତଳ-ଷ୍ଟେଜ୍ ବାଆଁ ପାଖରୁ ଦୀପକ ପଛରେ ଥିବା ସେ କଣ ଯାଏ ଚାଲିଗଲା ।

 

"ଦୀପକ, ତୁ ଉପର ଷ୍ଟେଜ୍ ବାଆଁ ପାଖକୁ ଯା !"

ଆରପାଖକୁ ଦଉଡ଼ିବାରେ ଦୀପକ ପାରର ବାଆଁପାଖରେ ଠିଆହେଲା ।

"ଜଣେ ନିର୍ଦ୍ଦେଶକ ଯେତେବେଳେ ଅଭିନେତାମାନଙ୍କୁ ଷ୍ଟେଜ୍ ଉପରେ ଗୋଟାଏ ସ୍ଥାନରୁ ଆଉ ଗୋଟାଏ ସ୍ଥାନକୁ ଯିବାକୁ ଚାହେ, ସେତେବେଳେ ସେ ସେମାନଙ୍କୁ ଏହିପରି ନିର୍ଦ୍ଦେଶମାନ ଦିଏ । ଆଲୋକସଜ୍ଜା ଦାୟିତ୍ଵରେ ଥିବା ଲୋକକୁ ମଧ୍ୟ ସେ ସେହିପରି ନିର୍ଦ୍ଦେଶମାନ ଦେଇଥାଏ । ଅଭିନେତା କଦାପି ଆପଣାର ଖୁସି ଅନୁସାରେ ଷ୍ଟେଜ୍ ଉପରେ ଏପାଖ ସେପାଖ ହୋଇପାରେ ନାହିଁ; କେବଳ ଦରକାର ହେଲେ ସେ ଗୋଟାଏ ଜାଗାରୁ ଆଉ ଗୋଟାଏ ଜାଗାକୁ ଯାଇପାରେ ।"

‘‘କିନ୍ତୁ ଯେତେବେଳେ ଉତ୍ତେଜନାମୂଳକ କୌଣସି ଯୁଦ୍ଧର ଦୃଶ୍ୟ ଥାଏ, ସେତେବେଳେ କ’ଣ ହୁଏ ?’’ –ଦୀପକ ପଚାରିଲା । ସେ ବର୍ତ୍ତମାନ ମଧ୍ୟ ଅମରସିଂହ ରାଠୋର ପାଟ୍ କରିବାର ସ୍ଵପ୍ନ ଦେଖୁଥିଲା ।

‘‘ଯୁଦ୍ଧର ଦୃଶ୍ୟରେ ମଧ୍ୟ ଚାଲ୍‌ଗୁଡ଼ିକ ବଡ଼ ଯତ୍ନସହକାରେ ସ୍ଥିର କରି ରଖିବାକୁ ହୁଏ । ଯଦି ପ୍ରତ୍ୟେକ ଅଭିନେତା କୌଣସି ନିୟମ ନମାନି କେବଳ ମନଇଚ୍ଛା ଏପାଖରୁ ସେପାଖ ହେବାରେ ଲାଗନ୍ତି, ତେବେ ସବୁକଥା ଏପରି ଗଣ୍ଡଗୋଳିଆ ହୋଇଯିବ ସେ ମଞ୍ଚ ଉପରେ ପ୍ରକୃତରେ କ'ଣ ସବୁ ଘଟୁଚି, ଦର୍ଶକମାନେ ତାହାର କୌଣସି ସୂତ୍ର ବା ଖିଅ ପାଇପାରିବେ ନାହିଁ । ଜଣେ ଅଭିନେତା ଯେପରି ଆଉ ଜଣେ ଅଭିନେତାକୁ ଉଢ଼ାଳ କରି ତା'ର ଆଗରେ ଠିଆହୋଇ ନରହେ, ସେ ବିଷୟରେ ସିଏ ଭାରି ସାବଧାନ ରହିଥିବ । ଆମ ଭାଷାରେ ଆମେ ଏହାକୁ ଜଣେ ଆଉ ଜଣଙ୍କୁ ଢାଙ୍କିଦେବା ବୋଲି କହିଥାଉ । ଆଉ ଜଣେ ଅଭିନେତା କୌଣସି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଗୋଟାଏ ଜାଗାରୁ ଆଉ ଗୋଟାଏ ଜାଗାକୁ ଯାଉଥିବାବେଳେ ସେ ଯେପରି ଗୋଟାଏ ଜାଗାରେ ଥିରହୋଇ ଠିଆହୋଇରହେ । କାରଣ ତା’ ନହେଲେ ଦର୍ଶକମାନଙ୍କର ଦୃଷ୍ଟି ଓ ଧ୍ୟାନରେ ବାଧା ଆସି ପହଞ୍ଚିବ । ଦୀପକ, ଅଳପରେ କହିଲେ ପ୍ରତ୍ୟେକ ଅଭିନେତା ଶୃଙ୍ଖଳା ମାନି ଚଳିବେ ଓ ଅନ୍ୟମାନଙ୍କ ସହିତ ସହଯୋଗ ରଖି କାର୍ଯ୍ୟ କରିବେ । ମାତ୍ର ବର୍ତ୍ତମାନ ସେତିକି ଥାଉ । ଚାଲ୍, ତୋତେ ମୁଁ ଷ୍ଟେଜ୍‌ର ଅନ୍ୟାନ ଭାଗଗୁଡ଼ିକ ବିଷୟରେ ସବୁକଥା ବୁଝାଇଦେବି ।’’

ସେଇଠୁ ପ୍ରେମମାମୁ ପିଲାମାନଙ୍କୁ କେତେକ ବଡ଼ ବଡ଼ ପଟାର ପଛରେ ଥିବା ଷ୍ଟେଜ୍‌ର ବାଆଁ ପାଖକୁ ନେଇ କହିଲେ, ‘‘ଏଗୁଡ଼ାକୁ ଉଇଙ୍ଗସ୍ କହନ୍ତି । ଏହା ଷ୍ଟେଜ୍‌ର ଉଭୟ ପାଖରେ ଥାଏ, ମାତ୍ର ଦର୍ଶକମାନେ ତାହା ଦେଖିପାରନ୍ତି ନାହିଁ । କୌଣସି ଦୃଶ୍ୟରେ ଅଭିନୟ କରିବାଲାଗି ଆସିବା ପୂର୍ବରୁ ଅଭିନେତାମାନେ ଏଇଠାରେ ଅପେକ୍ଷା କରିଥାନ୍ତି । ଷ୍ଟେଜ୍ ପଛରେ କାମ କରୁଥିବା ଲୋକମାନେ ଅଭିନୟରେ ଆବଶ୍ୟକ ହେଉଥିବା ଜିନିଷଗୁଡ଼ିକୁ ସଜାଡ଼ି ରଖିଥାନ୍ତି । ଏଗୁଡ଼ାକ 'ସହାୟକ' ସାମଗ୍ରୀ ବୋଲି କୁହାଯାଏ । ଗୋଟାଏ ବ୍ୟାଗ୍ କିମ୍ବା ଗୋଟାଏ ଛତା ଏହିପରି ଏକ ସହାୟକ ସାମଗ୍ରୀ ହୋଇପାରେ ।’’

‘‘ବା ଗୋଟାଏ ଖଣ୍ଡା ବି ହୋଇପାରେ ।’’ -ଡିଡ଼ୋ ମଝିରେ ଥାଇ କହିଲା ।

‘‘ହଁ, ଗୋଟିଏ ଖଣ୍ଡା ଯାହାକୁ କି କୌଣସି ଅଭିନେତା କୌଣସି ଦୃଶ୍ୟର ଅଭିନୟରେ ଦରକାର କରିପାରେ ।"

‘‘ସେଇଟା କ'ଣ ?’’ –ସୁଇଚ୍, ତାର ଓ ବଡ଼ ବଡ଼ କାଠ ହ୍ୟାଣ୍ଡଲ୍‌ରେ ଭର୍ତ୍ତି ହୋଇ ରହିଥିବା ଗୋଟାଏ ମସ୍ତବଡ଼ ପଟାଆଡ଼କୁ ଆଙ୍ଗୁଠି ଦେଖାଇ ପାର ପଚାରିଲା । ପଟା ଆଗରେ ଗୋଟାଏ ବଡ଼ ଟୁଲ୍ ପଡ଼ିଥିଲା ।

 

‘‘ଏଇଟା ହେଉଚି ଆଲୁଅ ଜଳାଇବାର ଓ ଆଲୁଆକୁ କ୍ଷୀଣ କରି ଦେବାର ବୋର୍ଡ଼’’ –ପ୍ରେମମାମୁ ବୁଝାଇ ଦେଇ କହିଲେ । ‘‘ଯିଏ ଯୋଉ ଆଲୁଅଟି ନିୟନ୍ତ୍ରଣ କରୁଚି, ସେହି ଅନୁସାରେ ସୁଇଚ୍‌ଗୁଡ଼ିକର ନମ୍ବର ଦିଆହୋଇଚି ।’’

 

‘‘ହ୍ୟାଣ୍ଡଲ୍‌ଗୁଡ଼ାକ ପୁଣି କେଉଁ କାମରେ ଲାଗେ ?’’ –ଦୀପକ ପଚାରିଲା ।

 

ପ୍ରେମମାମୁ ଉତ୍ତର ଦେଲେ, ‘‘ଏଇ ହ୍ୟାଣ୍ଡଲ୍‌ଗୁଡ଼ାକ ଆଲୁଅକୁ କ୍ଷୀଣ କରିଦିଏ । ସେଗୁଡ଼ାକୁ ତଳକୁ ଟାଣିଧରିଲେ କିମ୍ବା ଉପରକୁ ଠେଲିଦେଲେ ଗୋଟାଏ ପୂରା ଧାଡ଼ି ଆଲୁଅକୁ କ୍ଷୀଣ କରି ଆଣିବା କିମ୍ବା ଅଧିକ ଉଜ୍ଜ୍ୱଳ କରିଦେବା ସମ୍ଭବ ହୁଏ । ବର୍ତ୍ତମାନ ସମସ୍ତେ ଷ୍ଟେଜ୍ ଉପରକୁ ଫେରିଆଅ ଓ ଉପରକୁ ଅନାଅ ।’’

 

ପିଲାଏ ଷ୍ଟେଜ୍ ଉପରକୁ ଦଉଡ଼ିଗଲେ ଓ ଉପରକୁ ଅନାଇଲେ । ଟପ୍‌ପୋ ତା'ର ମୁଣ୍ଡଟାକୁ ଏତେ ବେଶୀ ବଙ୍କା କରି ରଖିବାକୁ ଚେଷ୍ଟା କଲା ଯେ ସେ ଭୁଷ୍‌କିନା ତଳେ ପଡ଼ିଗଲା ଓ ଅନୁ ତାକୁ ପୁଣି ତଳୁ ଉଠାଇ ଆଣିଲା ।

 

ଷ୍ଟେଜ୍ ଉପର ଛାତଟା ଏତେ ଉଚ୍ଚ ଥିଲା ଯେ ତଳୁ ଅନାଇଲେ ପ୍ରାୟ କିଛି ଦେଖାଯାଉ ନଥିଲା । ଷ୍ଟେଜ୍ ଉପରେ ଅନେକ ଉଚ୍ଚରେ ଧାଡ଼ି ଧାଡ଼ି ଆଲୁଅ କେଡ଼େ ଉଜ୍ଜ୍ଵଳ ହୋଇ ଜଳୁଥାଏ । ଦୀପକ ଏତେଗୁଡ଼ାଏ ବଲବ୍ ଏକାଠି ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥାଏ ।

 

ବୋର୍ଡ଼ର ଗୋଟିଏ ସୁଇଚ୍ ଗୋଟିଏ ଧାଉଡ଼ି ଆଲୋକକୁ ନିୟନ୍ତ୍ରଣ କରେ ।

 

‘‘ସେଠି ସେ ବଡ଼ ବଡ଼ କଳା ଆଲୁଅଗୁଡ଼ାକ କ'ଣ ?’’ –ବଡ଼ ବଡ଼ ବଲ୍‌ବ ଭିତରେ ଜଳୁଥିବା ଅଲଗା ଅଲଗା ଆଲୁଅକୁ ଦେଖାଇ ଡିଡ଼ୋ ପଚାରିଲା ।

 

‘‘ସେଗୁଡ଼ାକ ସ୍ପଟ୍‌ଲାଇଟ୍ । ସେସବୁର ଶକ୍ତି ଅନେକ ବେଶୀ; ମାତ୍ର ବଡ଼ ସେଗୁଡ଼ିକ ଷ୍ଟେଜ୍‌ର କେବଳ ଏକ ଛୋଟ ଆୟତନକୁ ହିଁ ଆଲୋକିତ କରିଥାଏ ।’’

Image

 

Image

‘‘ଏହି ଧାଉଡ଼ି ଓ ସ୍ପଟ୍‌ଲାଇଟ୍‌ଗୁଡ଼ାକୁ ଏକାବେଳକେ କ୍ଷୀଣ କରାଯାଇ ପାରିବ କି ?’’ –ଦୀପକ ପଚାରିଲା ।

 

‘‘ନିଶ୍ଚୟ ! ମୁଁ ତୁମମାନଙ୍କୁ ଦେଖାଇଦେବି, ଆସ !’’

 

ପ୍ରେମମାମୁ ସୁଇଚ୍‌ବୋର୍ଡ଼ ପାଖକୁ ଗଲେ । ଅତି ଧୀରଭାବରେ ସେ ହ୍ୟାଣ୍ଡଲ୍ ମୋଡ଼ିଦେଲେ ଏବଂ ଗୋଟିଏ ପୂରା ଧାଡ଼ି ଆଲୁଅ କ୍ରମେ କ୍ରମେ କ୍ଷୀଣହୋଇ ଶେଷରେ ନିଭିଗଲା-। ସଙ୍ଗେ ସଙ୍ଗେ ଏକ ଉଜ୍ଜ୍ଵଳ ଆଲୁଅ ଜଳିଉଠି ଷ୍ଟେଜ୍ ଉପରେ ଗୋଟିଏ ନିର୍ଦ୍ଦିଷ୍ଟ ଅଂଶ ଆଲୋକିତ କଲା । ପୁଣି ପ୍ରେମମାମୁ ଯେମିତି ଆଉ ଗୋଟିଏ ହ୍ୟାଣ୍ଡଲ୍ ମୋଡ଼ିବାକୁ ଆରମ୍ଭ କଲେ, ସେମିତି ସେଇଟି ମଧ୍ୟ କ୍ରମଶଃ କ୍ଷୀଣହୋଇ ନିଭିଗଲା ।

 

ହଠାତ୍ ପ୍ରେମମାମୁ ଡାକି କହିଲେ, ‘‘କେତ୍‌କର୍, ତୁମେ ସେଇ ଲାଲ ପରଦାଟିକୁ ପକାଇଦେଇ ପାରିବ କି ?"

 

‘‘ନିଶ୍ଚୟ ?’’ –ଉପରେ ଥିବା ଦଉଡ଼ା ଓ କଡ଼ିକାଠ ଭିତରୁ କାହାର କଣ୍ଠସ୍ଵର ଉତ୍ତର ଦେଇ କହିଲା । ଗୋଟାଏ ଘିଡ଼ିଘିଡ଼ି ଶବ୍ଦ ହେଲା ଓ ତତ୍‌କ୍ଷଣାତ୍ ମଝି ଷ୍ଟେଜ୍ ଉପରେ ଗୋଟାଏ ଲାଲ ପରଦା ଧୀରେ ଧୀରେ ଆସି ପଡ଼ିଗଲା; ଫଳରେ ଷ୍ଟେଜ୍‌ର ପଛ ଅଂଶଟି ଆଉ ବାହାରକୁ ଦେଖାଗଲା ନାହିଁ ।

 

‘‘ବର୍ତ୍ତମାନ ଷ୍ଟେଜ୍‌ର କେବଳ ଆଗ ଅଧଟିରେ ଏକ ଦୃଶ୍ୟର ଅଭିନୟ କରିବା ସମ୍ଭବ ହେବ ।’’ –ପ୍ରେମମାମୁ କହିଲେ, ‘‘ଏବଂ ସେହି ସମୟ ମଧ୍ୟରେ ଷ୍ଟେଜ୍‌କର୍ମୀମାନେ ପରଦା ପଛରେ ରହି ପରବର୍ତ୍ତୀ ଦୃଶ୍ୟଟି ଲାଗି ସବୁ ଠିକ୍ କରି ରଖିଦେଉଥିବେ । ପରଦାଟି ଉଠାଅ ।’’

 

ଲାଲ ପରଦାଟା ଉଠିଯିବାକୁ ଆରମ୍ଭ କଲା ।

 

‘‘ମୁଁ-ଉ-ବି !" ଟପ୍‌ପୋ, ପାଟିକରି ଉଠିଲା । ଅନୁର କାଖରୁ ଓହ୍ଲାଇପଡ଼ି ସେ ଦଉଡ଼ିଗଲା ଓ ପରଦାଟିକୁ ଧରିବାକୁ ଚେଷ୍ଟା କଲା ।

 

‘‘ହେ ଟପ୍‌ପୋ, ତୋର ସେଠି କିଛି କାମ ନାହିଁ ।’’ ଅନୁ ବଡ଼ପାଟିରେ କହିଲା ।

 

‘‘ଅଭିନେତାମାନେ ଷ୍ଟେଜ୍‌ରେ ଉଡ଼ିଲା ପରି ଉପର ତଳ ହୋଇପାରିବେ କି ?’’ –ଦୀପକ ଭାରି ଗର୍ବରେ ଥିଏଟରର ପ୍ରକୃତ ଶବ୍ଦଗୁଡ଼ିକ ବ୍ୟବହାର କରୁଥିଲା ।

 

‘‘ନିଶ୍ଚୟ ! ମୁଁ ନିଜେ ଜଣେ ଯୁବକକୁ କ୍ରସ୍‍ବାର ଉପରେ ଝୁଲିଝୁଲି ଶେଷରେ ସେଠୁ ଷ୍ଟେଜ୍ ଉପରକୁ ଫକ୍ କରି ଡେଇଁବାର ବି ଦେଖିଚି ।’’

 

‘‘କେଡ଼େ ମଜା ନ ହେଉଥିବ; ମୁଁ ନିଜେ ମଧ୍ୟ ସେପରି କରିବାକୁ ଚେଷ୍ଟା କରନ୍ତି କି !’’ ଡିଡ଼ୋ ବଡ଼ ଉତ୍ସାହରେ କହିଲା ।

 

ଷ୍ଟେଜ୍ ସହିତ ସମତଳ ହୋଇଥିବା ଦୁଆରଟିକୁ ଉଠାଇଦେଲେ ଷ୍ଟେଜ୍ ତଳର କଠୋରୀକୁ ପାହାଚ ପଡ଼ିଚି ।

 

‘‘ଆରେ ବାଃ ! ଏକ ପଳାୟନ-ଦୃଶ୍ୟ ପାଇଁ ପ୍ରକୃତରେ କେଡ଼େ ବଢ଼ିଆ ବ୍ୟବସ୍ଥା !’’ –ଦୀପକ ପାଟିକରି ଉଠିଲା ।

 

‘‘ବର୍ତ୍ତମାନ ଷ୍ଟେଜ୍ ପଛ ଦେଇ ଗ୍ରୀନ୍‌ରୁମ୍‌କୁ ଆସ !’’

 

Image

ଉଇଙ୍ଗ୍‌ସ୍‌ ବାଟ ଦେଇ ପଛକୁ ଯାଇ ସେମାନେ ତିନୋଟି କୋଠରୀ ଦେଖିଲେ । ଗୋଟିଏ କୋଠରୀରେ ଆଲମାରି ଓ ବାକ୍‌ସମାନ ଭର୍ତ୍ତି ହୋଇ ରହିଥିଲା । ଏଥିରେ ବେଶପୋଷାକ ରହୁଥିଲା । ଆର ଦୁଇଟାଯାକ କୋଠରୀରେ ଧାଡ଼ି ଧାଡ଼ି ହୋଇ ବେଶ ହେବାର ଟେବୁଲ୍ ପଡ଼ିଥିଲା ଓ ସେଥିରେ ବଡ଼ ବଡ଼ ଦର୍ପଣମାନ ଖଞ୍ଜାହୋଇ ରହିଥିଲା ।

 

“କାହିଁ ଏହି କୋଠରୀଗୁଡ଼ାକ ମୋଟେ ଗ୍ରୀନ୍ ଦିଶୁନାହିଁ ତ ।’’ ଧଳା କାନ୍ଥଗୁଡ଼ିକୁ ଅନାଉ ଅନାଉ ପାର ଏଡ଼େ ପାଟିରେ କହିଲା ।

 

‘‘ଗ୍ରୀନ୍‌ରୁମ୍‌ର ଅର୍ଥ ହେଲା ବେଶ ହେବାର ରୁମ୍ ।’’ –ତାକୁ ପ୍ରେମମାମୁ ବୁଝାଇଦେଇ କହିଲେ ଗୋଟିଏ କୋଠରୀ ଅଭିନେତାମାନଙ୍କ ପାଇଁ ଓ ଆଉ ଗୋଟିଏ ଅଭିନେତ୍ରୀମାନଙ୍କ ପାଇଁ-।’’

 

ଠିକ୍ ସେତିକିବେଳେ ବାହାରୁ ଦୁଇତିନିଥର ମଟର ଗାଡ଼ିର ହର୍ଣ୍ଣ ଶୁଭିଲା ।

 

ଡିଡ଼ୋ କହିଉଠିଲା, “ହେଇ, ଆମ ଗାଡ଼ି ଆସିଲାଣି ।’’

 

“ତେବେ ଏଥର ଚାଲ ।’’ –ପ୍ରେମମାମୁ କହିଲେ, “ଏପର୍ଯ୍ୟନ୍ତ ତୁମେମାନେ ଜଣେ ଅଭିନେତାର ଘର ବୁଲି ଦେଖୁଥିଲ ଏବଂ ବର୍ତ୍ତମାନ ତୁମ ନିଜ ଘରକୁ ଯିବାର ସମୟ ହୋଇଗଲା । କାଲି ପୁଣି ଏଠାକୁ ଆସିବା ଓ ଗୋଟାଏ ନାଟକର ରିହାଲସଲ ଦେଖିବା ।’’

Image

ସେମାନେ ସମସ୍ତେ ଘରକୁ ଯିବାଲାଗି ଗାଡ଼ି ପାଖରେ ଆସି ଜମାହେଉଥିବା ସମୟରେ ଦୀପକ ମନେମନେ ସେହି ଦିନଟି କଥା ଭାବୁଥିଲା, ଯେଉଁଦିନ ଥିଏଟର ତାର ପ୍ରକୃତ ଘରରେ ପରିଣତ ହୋଇପାରିବ !

 

ମୂଳରୁ ଆରମ୍ଭ କରିବା

 

ତହିଁ ଆରଦିନ ସକାଳେ ସେମାନେ ପୁଣି ଥିଏଟରଆଡ଼େ ଯାଉଥାନ୍ତି । ବାଟରେ ପାର ପଚାରିଲା, “ମାମୁଁ, ଗୋଟାଏ ନାଟକ କରିବାକୁ ଗଲେ ତୁମେମାନେ ତାହା କିପରି କର ?’’

 

“କେଡ଼େ ବୋକାଙ୍କ ପରି ପ୍ରଶ୍ନଟା ପଚାରୁଚି !’’ –ଥଟ୍ଟାକରି ଦୀପକ କହିଲା ।

 

“ମୋଟେ ନୁହେଁ !’’ –ପ୍ରେମମାମୁ କହିଲେ, “ଶୁଣ୍ ପାର, ଆମର ମୂଳରୁ ଆରମ୍ଭ କରିବା-। ପ୍ରଥମେ ଦଳେ ଲୋକଙ୍କୁ ଏକାଠି କରିବାକୁ ପଡ଼ିବ, ଯେଉଁମାନଙ୍କର କି ଥିଏଟରରେ କାମ କରିବାଲାଗି ଓ ଅଭିନୟ କରିବାକୁ ବିଶେଷ ଆଗ୍ରହ ଥିବ । ସେମାନଙ୍କ ଛଡ଼ା ଆହୁରି ଅନେକ ଲୋକଙ୍କୁ ଯୋଗାଡ଼ କରି ଆଣିବାକୁ ପଡ଼ିବ, ଯେଉଁମାନଙ୍କର ବେଶପୋଷାକ ସମ୍ବନ୍ଧରେ ଧାରଣା ଥିବ, ଆଲୋକସଜ୍ଜା ଓ ଶବ୍ଦ ବ୍ୟବସ୍ଥା ପ୍ରଭୃତି ମଞ୍ଚ-ପରିଚାଳନାର ନାନାଦି କାର୍ଯ୍ୟରେ ମଧ୍ୟ ଆଗ୍ରହ ରହିଥିବ । ତା’ପରେ ଗୋଟାଏ ଭଲ ନାଟକ ବହି ବାଛିବାକୁ ପଡ଼ିବ ।’’

 

“କିମ୍ବା ଲେଖିବାକୁ ପଡ଼ିବ” –ଡିଡ଼ୋ କହିଲା ।

 

“କିମ୍ବା ଲେଖିବାକୁ ପଡ଼ିବ, ମାତ୍ର ସେଇଟା ଅଧିକ କଷ୍ଟକର କାମ ଓ ସେଥିପାଇଁ ଅନେକ ସମୟ ଲାଗିବ । ଅଭିନୟ ସକାଶେ କେଉଁ ନାଟକଟି ବଛାଯିବ, ସେଇଟା ଭାରି ଗୁରୁତ୍ଵପୂର୍ଣ୍ଣ କଥା । ଏହା ଏକ ଦୁଃଖାନ୍ତକ ନାଟକ ବି ହୋଇପାରେ !’’

 

“ଗୋଟାଏ ଦୁଃଖାନ୍ତକ ନାଟକ ?’’ –ଦୀପକ ପଚାରିଲା ।

 

“ହଁ, କିମ୍ବା ଗୋଟାଏ କଉତୁକିଆ ନାଟକ ।’’

 

“କଣ ଗୋଟିଏ କମିକ୍ ?’’ –ପାର ପଚାରିଲା ।

 

“ବୋକା, କମିକ୍ ନୁହେଁ ।’’ –ଡିଡ଼ୋ କହିଲା, “ଗୋଟାଏ କମେଡ଼ି ବା ମିଳନାନ୍ତକ ନାଟକ । ମୁଁ ଠିକ୍ କହିଲି ନା ମାମୁଁ ?’’

 

“ହଁ, ସରସ ହେଉ କିମ୍ବା ବିରସ ହେଉ, ଆଗକାଳର କୌଣସି କାହାଣୀ ହେଉ କି ଆଧୁନିକ ଯୁଗର ହେଉ, ଯେଉଁ ନାଟକଟିକୁ ବଛାଯିବ, ତାହା ଦର୍ଶକମାନଙ୍କ ମନରେ ଆଗ୍ରହ ଜନ୍ମାଇପାରୁଥିବ । ନହେଲେ ସେମାନେ କେହି ସେଇଟିକୁ ଦେଖିବାଲାଗି ଆସିବେ ନାହିଁ । ତା’ପରେ ଦେଖିବାକୁ ହେବ ଯେ ନାଟକଟିରେ ଯେତୋଟି ପାଟ୍ ରହିଚି, ସେଥିଲାଗି ତୁମପାଖରେ ଯଥେଷ୍ଟ ସଂଖ୍ୟାରେ ଅଭିନେତା ଅଛନ୍ତି କି ନାହିଁ ।’’

 

“ତାହାକୁ ଭୂମିକା-ବଣ୍ଟନ ବା କାଷ୍ଟିଙ୍ଗ୍ କୁହାଯାଏ”–ଅନୁ କହିଲା ।

 

“ଦଳଟିଏ ଏକାଠି କରିବା ପରେ ଜଣକୁ ନିର୍ଦ୍ଦେଶକରୂପେ ବାଛିବାକୁ ପଡ଼େ । ତା’ପରେ ସମସ୍ତେ ବସି ନାଟକଟିକୁ ମୂଳରୁ ଶେଷଯାଏ ପଢ଼ନ୍ତି । ହୁଏତ ଏହିପରି କେତେଟା ନାଟକ ପଢ଼ାହେବା ପରେ ସେଥିରୁ ଗୋଟାକୁ ଅଭିନୟ ଲାଗି ବଛା ବି ଯାଇପାରେ । ଅଭିନେତାମାନେ ନିଜେ ଯେଉଁ ପାଟ୍ ନେବାକୁ ଇଚ୍ଛା କରୁଥିବେ, ସେମାନେ ଇଚ୍ଛା କଲେ ପାଳି କରି ନାଟକର ସେହି ଅଂଶଗୁଡ଼ିକୁ ବି ପଢ଼ିପାରିବେ । ମାତ୍ର ପ୍ରକୃତରେ କିଏ କେଉଁ ପାଟ୍ ନେବ, ନିଜେ ନିର୍ଦ୍ଦେଶକ ହିଁ ସେହି ବିଷୟରେ ଶେଷ ନିଷ୍ପତ୍ତି କରିବେ ।’’

 

“ନାୟକ-ନାୟିକାଠାରୁ କ’ଣ ନିର୍ଦ୍ଦେଶକଙ୍କର ଗୁରୁତ୍ଵ ବେଶୀ ?’’ –ଦୀପକ ପଚାରିଲା ।

 

“ପ୍ରତ୍ୟେକେ ଏକାଠି ମିଶି ଗୋଟିଏ ଦଳ ପରି କାମ କରିବେ; ତେଣୁ ପ୍ରତ୍ୟେକଙ୍କର ନିଶ୍ଚୟ ଗୁରୁତ୍ଵ ରହିଚି । ମାତ୍ର ନିର୍ଦ୍ଦେଶକ ହେଉଚନ୍ତି ଏହି ଦଳର ନେତା” –ପ୍ରେମମାମୁ ଉତ୍ତରଦେଇ କହିଲେ । “ନିଜେ ନିର୍ଦ୍ଦେଶକ ହିଁ ଅଭିନେତାମାନଙ୍କର ଭାବଭଙ୍ଗୀ ଭାବିଚିନ୍ତି ଠିକ୍ କରିବେ ଏବଂ ସେମାନେ ଯେପରି ଆପଣାର ପାଟ୍‌ଗୁଡ଼ିକୁ ବଢ଼ିଆରୁ ବଢ଼ିଆ ଭାବରେ ଅଭିନୟ କରିପାରିବେ, ସେଥିରେ ନିର୍ଦ୍ଦେଶକ ସେମାନଙ୍କୁ ସାହାଯ୍ୟ କରୁଥିବେ ।’’

 

ତେବେ ଜଣେ ଅଭିନେତା ହେବାଠାରୁ ଜଣେ ନିର୍ଦ୍ଦେଶକ ବନିବା କାହିଁକି ଅଧିକ ଭଲ କଥା ନହେବ– ଦୀପକ ସେଇ କଥା ଭାବୁଥିଲା । ସେ ପଚାରିଲା, “ନିର୍ଦ୍ଦେଶକ କଣ ନିଜେ ବି ନାଟକରେ ଅଭିନୟ କରିପାରିବେ ?’’

 

“ଯଦି ନିତାନ୍ତ ଦରକାର ପଡ଼େ । ନିର୍ଦ୍ଦେଶକ ନିଜେ ଅଭିନୟ ନ କଲେ ସବୁଠାରୁ ଭଲ; କାରଣ ତାଙ୍କୁ ଏକାବେଳକେ ଅନେକ କାର୍ଯ୍ୟରେ ବ୍ୟସ୍ତ ରହିବାକୁ ପଡ଼ିବ । ଅନ୍ୟମାନଙ୍କର ଅଭିନୟରେ ସେ ନିର୍ଦ୍ଦେଶ ଦେବେ; ଆଲୁଅ ଓ ଶବ୍ଦର ବ୍ୟବସ୍ଥା ଦେଖିବେ; ସାଜସବୁ ଠିକ୍ ଅଛି ଓ ପ୍ରତ୍ୟେକ ଅଭିନେତା ପିନ୍ଧିଥିବା ପୋଷାକମାନ ଯେପରି ପରସ୍ପର ସହିତ ଖାପ ଖାଉଚି, ତାଙ୍କୁ ସେ କଥା ମଧ୍ୟ ଦେଖିବାକୁ ପଡ଼ିବ ।’’

 

ଦୀପକର ମନଟା ଦୁଃଖ ହୋଇଗଲା । କୌଣସି ଖେଳାଳି ଦଳର ଅଧିନାୟକ ହେବା ଅବଶ୍ୟ ଭଲ; ମାତ୍ର ଖେଳାଳିଙ୍କ ଭିତରେ ନଥିବା ଆଉ ଜଣେ ଯଦି ଦଳର ଅଧିନାୟକ ହେବାକୁ ଆସେ, ତେବେ ତାକୁ ଖେଳର ଅଧିକାଂଶ ମଜା ହରାଇବାକୁ ପଡ଼ିବ–ସେ ଏହି କଥା ଭାବୁଥିଲା ।

 

“ନିର୍ଦ୍ଦେଶକଙ୍କ ପରେ ଦଳରେ ସବୁଠାରୁ ଅଧିକ ଗୁରୁତ୍ଵ କାହାକୁ ଦିଆଯାଏ ?’’ –ସେ ପଚାରିଲା ।

 

“ତା’ପରେ ମଞ୍ଚର ପରିଚାଳକ ।’’ –ତାକୁ ପୁଣି ଆଶ୍ଚର୍ଯ୍ୟ କରି ମାମୁ ଉତ୍ତର ଦେଲେ ।

 

“ମଞ୍ଚ-ପରିଚାଳକ ନାଟକ ଅଭ୍ୟାସ କରାଇବ । ଅଭିନେତାମାନେ ନିଜ ନିଜ ପାଟ୍‌ଗୁଡ଼ିକୁ ଠିକ୍ ଠିକ୍ ଶିଖୁଛନ୍ତି କି ନାହିଁ, ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଡ଼ ହେଲା କି ନାହିଁ, ନାଟକଲାଗି ହଲ୍‌ଟିଏ ମିଳିଲା କି ନାହିଁ, ଟିକେଟ ସବୁ ବିକ୍ରି ହେଲା କି ନାହିଁ, –ସବୁକଥା ଦେଖିବ । ମୋଟ କଥା ହେଲା ଯେ, ସିଏ ସମୁଦାୟ ଦଳଟିର ପ୍ରକୃତ ପରିଚାଳକ ହୋଇ ରହିବ । ତଥାପି ଥିଏଟରରେ କାମ କରୁଥିବା ସବୁ ଲୋକଙ୍କ ମଧ୍ୟରେ ତାକୁ ଅଧିକ ନିଃସ୍ଵାର୍ଥପର ଭାବରେ କାର୍ଯ୍ୟ କରିବାକୁ ପଡ଼ିବ; କାରଣ ତାକୁ ପ୍ରକୃତରେ କେବେହେଲେ ମଞ୍ଚ ଉପରକୁ ଆସିବାକୁ ପଡ଼େନାହିଁ ଓ ଖୁବ୍ କମ୍ ଲୋକ ତା’ କାମର ପ୍ରକୃତ ଗୁରୁତ୍ଵ କେତେ ତାହା ହୃଦୟଙ୍ଗମ କରିଥାନ୍ତି ।’’

 

ଦୀପକ ଭଲକରି ବୁଝିସାରିଥିଲା ଯେ ଜଣେ ମଞ୍ଚପରିଚାଳକ ହେବାଲାଗି ତାର ଆଦୌ ଇଚ୍ଛା ନାହିଁ ।

 

“କିନ୍ତୁ ନାଟକ କିପରି କରିବାକୁ ହୁଏ ?’’ –ପାର ପୁଣି ପଚାରିଲା ।

 

“ପାଟ୍ ବଣ୍ଟାସରିଲାପରେ ନାଟକ-ଅଭ୍ୟାସ ଆରମ୍ଭ ହୁଏ । ନାଟକଟା ଯଦି ବଡ଼ ହୋଇଥିବ, ତେବେ ପ୍ରଥମେ ଥରକରେ କେବଳ ଅଳ୍ପ କେତୋଟି ଦୃଶ୍ୟର ଅଭିନୟ କରିବାକୁ ପଡ଼େ । ଅଧିକାଂଶ ନାଟକରେ ଅଂଶ ବା ଅଙ୍କ ରହିଥାଏ । ଗୋଟିଏ ଅଙ୍କରେ ଏକାଧିକ କେତୋଟି ଦୃଶ୍ୟ ଥାଏ । ଅଭିନେତାମାନେ ଆଗ୍ରହୀ ଓ ଭଲ ହୋଇଥିଲେ ସେମାନେ ଆପଣାର ପାଟ୍ ବା ଧାଡ଼ିଗୁଡ଼ିକୁ ଅଳ୍ପ ସମୟରେ ଶିଖିନିଅନ୍ତି । ତା ପରେ ନିର୍ଦ୍ଦେଶକ ବତାଇ ଦେଉଥିବା ବିଭିନ୍ନ ଅଭିନୟକୁ ମଧ୍ୟ ସେମାନେ ଶୀଘ୍ର ଆୟତ୍ତ କରିପାରନ୍ତି । କଷ୍ଟ ଦୃଶ୍ୟଗୁଡ଼ିକୁ ବାରମ୍ବାର ଅଭ୍ୟାସ କରିବାକୁ ହୁଏ । ଖାଲି ନିଜର ପାଟ୍‌ଟିକୁ ନିର୍ଭୁଲ କରି ଶିଖିବାରେ ନୁହେଁ; ମାତ୍ର ଅନ୍ୟ ଅଭିନେତାମାନଙ୍କୁ ମଧ୍ୟ ସାହାଯ୍ୟ କରିବାପାଇଁ ପ୍ରତ୍ୟେକ ଅଭିନେତାର ଧୈର୍ଯ୍ୟ ରହିଥିବା ଆବଶ୍ୟକ ।’’

 

ଦୀପକ କ୍ରମେ ବୁଝିବାକୁ ଆରମ୍ଭ କରୁଥାଏ ଯେ ସିଏ ଆଗରୁ ଯେପରି କଳ୍ପନା କରିଥିଲା, ଜଣେ ଅଭିନେତା ହୋଇପାରିବା ଆଦୌ ସେପରି ସହଜ ନୁହେଁ ।

 

“ନାଟକରେ ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଭିନେତା କାହାକୁ କୁହାଯିବ ?’’ –ସେ ପଚାରିଲା ।

 

“ଯେକୌଣସି ପ୍ରକୃତ ଭଲ ଥିଏଟର ଦଳରେ କୌଣସି ଅଭିନେତା ଆଉ ଜଣେ ଅଭିନେତାଠାରୁ କଦାପି କମ୍ ବା ଅଧିକ ମହତ୍ତ୍ଵପୂର୍ଣ୍ଣ ନୁହେଁ । କେତେକ ପାଟ୍ ଅବଶ୍ୟ ଅନ୍ୟ ପାଟ୍‌ଗୁଡ଼ିକ ତୁଳନାରେ ଅଧିକ ଲମ୍ବ ବା ଅଧିକ କଷ୍ଟସାଧ୍ୟ ହୋଇପାରେ; ମାତ୍ର ଷ୍ଟେଜ୍ ଉପରେ ଅଭିନୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିର ସମାନ ମହତ୍ତ୍ଵ ରହିଚି । ଅଭିନୟ ଦିଗରେ ଯେଉଁମାନଙ୍କର ସବୁଠାରୁ ଅଧିକ ପ୍ରତିଭା ରହିଚି, ସେହିମାନଙ୍କୁ ହିଁ ସବୁଠାରୁ ଭଲ ପାଟ୍ ବା ଭୂମିକାଗୁଡ଼ିକ ଅଭିନୟ କରିବାକୁ ଦିଆଯାଏ । ଯଦି ଅଭିନୟରେ ଭଲ ତାଲିମ ନଥାଏ କିମ୍ବା ତା’ ଉପରେ ଯଥେଷ୍ଟ ଦୃଷ୍ଟି ଦିଆଯାଇ ନଥାଏ, ତେବେ ଏକ ଦୂତର ବା ଏକ ବଜାର ଦୃଶ୍ୟରେ ଜମା ହୋଇଥିବା ଭିଡ଼ଭିତରେ କୌଣସି ଜଣେ ବ୍ୟକ୍ତିର ଭୂମିକା ମଧ୍ୟ ପୂରା ନାଟକଟିକୁ ଭଣ୍ଡୁର କରିଦେଇପାରିବ । ବୁଝିଲୁ ଦୀପକ-!’’

 

ପ୍ରେମମାମୁ ମୁରୁକି ହସି କହିଲେ, “ଯେଉଁ ଅଭିନେତାମାନେ ସାନ ସାନ ଅଭିନେତାମାନଙ୍କ ଲାଗି ଅଧିକ ସମୟ ଓ ଅଧିକ ଦୃଷ୍ଟି ଦିଅନ୍ତି, ଆମେ ସେଇମାନଙ୍କୁ ହିଁ ଯୋଗ୍ୟତମ ଅଭିନେତା ବା ଅଭିନେତ୍ରୀ ବୋଲି କହିବା । ପ୍ରକୃତରେ ଆମ ହିନ୍ଦୀ ମଞ୍ଚଦଳରେ ଆମେ ସବୁ ନାଟକରେ ସେଇ ଏକା ଲୋକଙ୍କୁ ସବୁଠାରୁ ଭଲ ପାଟ୍‌ଗୁଡ଼ିକ ନଦେବାପାଇଁ ହିଁ ଏକ ନିୟମରୂପେ ଗ୍ରହଣ କରିଥାଉ । ଗୋଟାଏ ନାଟକରେ ଜଣେ ଅଭିନେତା ନାୟକର ପାଟ୍ ନେଇପାରେ, ପରବର୍ତ୍ତୀ ନାଟକରେ ସେ ଜଣେ ବୁଢ଼ାର ପାଟ୍ ନେଇପାରେ ଓ ପରେ ଅନ୍ୟ ଗୋଟିକରେ ସେ ସାଧାରଣ ଜଣେ ବାଟୋଇ ହୋଇ ବି ବାହାରିପାରେ ।’’

 

ଦୀପକ ଲଜ୍ଜିତ ହେଲା । ପାଟି ବାଜିଲାପରି କହିବାକୁ ଚେଷ୍ଟା କଲା, “ନାଇଁ, ନାଇଁ, କେବଳ ମୁଇଁ ସବୁ ନାଟକରେ ନାୟକ ହେବାକୁ କହୁନାହିଁ ।’’ ସମସ୍ତେ ହସିଉଠିଲେ ।

 

“କିନ୍ତୁ ନାଟକ କିପରି କରାଯାଏ ?’’ –ପାର ପୁଣି ପଚାରିଲା । ଏପର୍ଯ୍ୟନ୍ତ ଯାହାସବୁ କୁହାହେଉଥିଲା, ସିଏ ସତେ ଯେପରି ତାହାର ଆଠପଣ ବି ବୁଝି ପାରୁ ନଥିଲା ।

 

“ହଁ, ନାଟକର ସବୁ ଦୃଶ୍ୟଗୁଡ଼ିକର ଅଭ୍ୟାସ ସରିଗଲେ ତାପରେ ପୂରା ନାଟକଟିକୁ ବେଶ୍ କେତେଥର ଲାଗି ଅଭ୍ୟାସ କରିବାକୁ ପଡ଼େ । ସେତେବେଳକୁ ଯଦି ସାଜ ଓ ବେଶ ପୋଷାକ ଯୋଗାଡ଼ ହୋଇଯାଇଥାଏ, ତେବେ ଅଭିନେତାମାନେ ନିଜନିଜର ପୋଷାକ ପିନ୍ଧିବାଲାଗି ବି ଏକ ସୁଯୋଗ ପାଆନ୍ତି ଏବଂ ପ୍ରସ୍ତୁତ ମଞ୍ଚଉପରେ ନାଟକଟିର ଅଭିନୟ କରନ୍ତି । ଏହି ଅଭିନୟ ପାଇଁ ଥିଏଟରଟିଏ ଭଡ଼ା କଲେ ଅନେକ ପଇସା ଖର୍ଚ୍ଚ ହେବ; ତେଣୁ ନାଟକରେ ଅଂଶ ନେଉଥିବା ଦଳଟି ହୁଏତ ମାତ୍ର ଥରେ ବା ଦୁଇଥର ପାଇଁ ମଞ୍ଚଉପରେ ଅଭ୍ୟାସ କରିବାକୁ ସମର୍ଥ ହୋଇଥାଏ । ଏହାକୁ ‘ବେଶ ପିନ୍ଧି ନାଟକର ଅଭ୍ୟାସ’ ବା ରିହାର୍‌ସଲ୍ କରିବା ବୋଲି କୁହାଯାଏ । ବର୍ତ୍ତମାନ ଆମେ ଥିଏଟର ପାଖରେ ଆସି ପହଞ୍ଚିଲେଣି; ବର୍ତ୍ତମାନ ଏଠାରେ ବେଶ ପିନ୍ଧି ଯେଉଁ ନାଟକଟିର ଅଭ୍ୟାସ ହେଉଚି, ତୁମ୍ଭେମାନେ ସେଇଟିକୁ ବି ଦେଖିପାରିବ । ସେଠାରେ ବିଲକୁଲ୍ ଚୁପ୍ ହୋଇ ଧୈର୍ଯ୍ୟର ସହିତ ବସିବାକୁ ପଡ଼ିବ, କାରଣ ଅଭିନେତାମାନେ ମଞ୍ଚ ସହିତ ଭଲଭାବରେ ଅଭ୍ୟସ୍ତ ହୋଇଗଲା ପର୍ଯ୍ୟନ୍ତ ଆମକୁ ଗୋଟିଏ ଗୋଟିଏ ଦୃଶ୍ୟକୁ ହୁଏତ ଥରକରୁ ବେଶୀ ଅଭିନୟ କରିବାକୁ ପଡ଼ିବ । ତେଣେ ଆଲୁଅର ବ୍ୟବସ୍ଥା ଠିକ୍ ଅଛି କି ନାହିଁ, ସେକଥା ଦେଖିବାକୁ ପଡ଼ିବ ।’’

 

“ଭଲ ହୋଇଚି, ଟିପ୍‌ପୋ ଆମ ସାଙ୍ଗରେ ଆସିନାହିଁ । ନହେଲେ ସିଏତ ସବୁକଥାକୁ ନିଜେ କରିବାକୁ ବାହାର ପଡ଼ିଥାନ୍ତା ।’’ –ଅନୁ ହସି କରି କହିଲା ।

Image

 

ବେଶ ପିନ୍ଧି ନାଟକ ଅଭ୍ୟାସ

 

ଥିଏଟର ଭିତରେ ପ୍ରବେଶ କରିବା ମାତ୍ରକେ ସେମାନେ ଢଂ କରି ଗୋଟାଏ ବଡ଼ ଶବ୍ଦ ଶୁଣିଲେ । ଷ୍ଟେଜ୍ ଖୋଲାଥିଲା ଓ ସେଠାରେ ଅନେକ ଲୋକ ଉପର ତଳ ହେଉଥିଲେ । ବଢ଼େଇମାନେ ହାତୁଡ଼ି ଧରି କଣ୍ଟା ପିଟୁଥିଲେ, କେତେଜଣ ଗୋଟାଏ ସିନ୍ ଟାଙ୍ଗୁଥିଲେ । ବିଜୁଳି-ମିସ୍ତ୍ରୀ ଆଲୁଅସବୁ ଠିକ୍ ଅଛି କି ନାହିଁ ଦେଖୁଥିଲେ ଏବଂ ଟେପ୍ ରେକର୍ଡର୍ ସାହାଯ୍ୟରେ ଜଣେ ଲୋକ ଶବ୍ଦ-ସରବରାହ ପରୀକ୍ଷା କରି ଦେଖୁଥିଲା ।

 

“ହଲ୍ ମଝିକୁ ଯାଇ ତୁମେମାନେ ଚତୁର୍ଥ କିମ୍ବା ପଞ୍ଚମ ଧାଡ଼ିରେ ବସ ।’’ –ପ୍ରେମମାମୁ ପିଲାମାନଙ୍କୁ କହିଲେ, “ମୋତେ ତେଣେ ଟିକିଏ ବ୍ୟସ୍ତ ରହିବାକୁ ପଡ଼ିବ; କିନ୍ତୁ ଅନୁ ତୁମମାନଙ୍କ ପାଖରେ ବସିବ ଓ ସବୁକଥା ବୁଝାଇଦେଉଥିବ ।’’

 

ଅନୁର ଦୁଇ ପାଖରେ ଦୀପକ ଓ ଡିଡ଼ୋ ବସିଲେ । ପାର ତା’ର ଭାଇପାଖରେ ବସିଲା-

 

“ବାସ୍, ବର୍ତ୍ତମାନ ସମସ୍ତେ ଷ୍ଟେଜ୍ ଉପରୁ ବାହାରକୁ ଚାଲିଆସନ୍ତୁ ।’’ –ପ୍ରେମମାମୁ ପାଟିକରି କହିଲେ । “କେତ୍‌କର୍, ତୁମେ ପ୍ରସ୍ତୁତ ?’’

 

“ନିଶ୍ଚୟ !’’ –ଉତ୍ତରଟା ଭିତରୁ କେଉଁଠାରୁ ଆସିଲା କିଛି ଜଣା ପଡ଼ିଲା ନାହିଁ ।

 

“ଆଲୁଅ ନିଭାଅ !’’ –ପ୍ରେମମାମୁ ଡାକି କରି କହିଲେ ।

 

ସମସ୍ତେ ଷ୍ଟେଜ୍‌ରୁ ଓହ୍ଲାଇଗଲେ । ଆଲୁଅସବୁ ନିଭିଲା । ଷ୍ଟେଜ୍‌ର ପର୍ଦ୍ଦାମାନ ତଳକୁ ପଡ଼ିଗଲା । ଚାରିଆଡ଼ କିଟିକିଟି ଅନ୍ଧାର ଓ ଚୁପ୍‌ଚାପ ହୋଇଗଲା ।

 

“ଆରମ୍ଭ କର !’’

 

ସତେଅବା ଅନେକ ଦୂରରୁ ଭାସିଆସୁଥିବା ପରି ସେମାନେ ସମସ୍ତେ ଆଜାନ୍* ଡାକିବାର କ୍ଷୀଣଶବ୍ଦ ଶୁଣିବାକୁ ପାଇଲେ ଏବଂ ତା’ପରେ ପର୍ଦ୍ଦାଟି ଧୀରେ ଧୀରେ ଖୋଲିଗଲା । ଷ୍ଟେଜ୍‌ଟା ଅନ୍ଧାର ଥାଏ; କେବଳ ମୁଣ୍ଡଳାକାର ଆକୃତିଗୁଡ଼ାକ କଳା ହୋଇ ଦିଶୁଥାଏ । ଆଜାନ୍‌ର ଶବ୍ଦ କ୍ରମେ ବଢ଼ିବାକୁ ଲାଗିଲା ଏବଂ ଏକ ଅତି କ୍ଷୀଣ ନୀଳ ଆଲୁଅ ଷ୍ଟେଜ୍‌ର ପଛପଟକୁ ଆଲୋକିତ କରିଦେଲା । କାନ୍ଥଗୁଡ଼ିକ ବେଶ୍ ସ୍ପଷ୍ଟ ହୋଇ ଦେଖାଗଲା,

 

* ପ୍ରାର୍ଥନା କରିବାଲାଗି ମୌଲବୀ ଯେଉଁ ଡାକ ଦେଇ ମୁସଲ୍‌ମାନମାନଙ୍କୁ ମସ୍‌ଜିଦ୍‌କୁ ଡାକନ୍ତି, ତାହାକୁ ‘ଆଜାନ୍’ କହନ୍ତି ।

Image

 

ପାହାଚଗୁଡ଼ିକ ବି ଦିଶିଲା ଓ ଗୋଟାଏ କିଲ୍ଲାଥିବା ଏହି ସହରଟିର ବଙ୍କାବଙ୍କା ପାରାପେଟି ଓ ଛାତଗୁଡ଼ିକ କ୍ରମେ ଦୃଷ୍ଟିଗୋଚର ହେଲା । ଝଲକାଏ ଲେଖାଁ ହଳଦିଆ ଆଲୁଅ ଧୀରେ ଧୀରେ ଦୃଶ୍ୟପଟଟିକୁ ଆଲୋକିତ କଲା ।

 

“ତୁମେମାନେ ଦେଖିପାରୁଚ, ଆଲୁଅସବୁ କିପରି ରାତି ପାହି ସକଳ ହେଉଚି ବୋଲି ଦେଖାଉଚନ୍ତି ।’’ –ପିଲାମାନଙ୍କର କାନରେ ଅନୁ ଥିରିଥିରି କରି କହିଲା, “ଆଜାନ୍ ଡାକରୁ ମଧ୍ୟ ସମୟଟି ସକାଳ ଏବଂ ଆବେଶଗୁଡ଼ିକରୁ ସହରଟି ମସ୍‌ଜିଦ୍‌ମାନଙ୍କର ଏକ ସହର ବୋଲି ସ୍ପଷ୍ଟ ବୁଝିହେଉଚି । ପ୍ରକୃତରେ ଏଇଟା ହେଉଚି ଦିଲ୍ଲୀ ସହର ।’’

 

“ଗାଢ଼ ହଳଦିଆ ଆଲୁଅଟାକୁ ପକାଅ !’’ ପ୍ରେମମାମୁ ପାଟି କରି କହିଲେ ।

 

“ନିଶ୍ଚୟ !’’ –ହଳଦିଆ ଆଲୋକଟି ଉଜ୍ଜ୍ୱଳତର ହେବାକୁ ଲାଗିଲା ।

 

ବର୍ତ୍ତମାନ ଷ୍ଟେଜ୍‌ଟି ଆଲୁଅରେ ସତେ ଅବା ଗାଧୋଇ ପଡ଼ିଥିବାପରି ଦେଖାଯାଉଥାଏ । ଏହି ସମୟରେ ଅନେକ ଲୋକ ବଢ଼ିଆ ବଢ଼ିଆ ପୋଷାକ ପିନ୍ଧି ଷ୍ଟେଜ୍ ଉପରକୁ ଆସିଲେ–କିଏ ପଗଡ଼ି ଲଗାଇଥାଏ, କିଏ କମକୂଟ ପଡ଼ିଥିବା ଆଚକନ୍ ପିନ୍ଧିଥାଏ ବା ସଲୱାର ଓ ଲମ୍ବା ରଙ୍ଗିନ୍ କୁର୍ତ୍ତା ଉପରେ ଉଜ୍ଜ୍ୱଳ ରଙ୍ଗର ଫତେଇକୋଟ୍ ବି ପିନ୍ଧିଥାଏ ।

 

“କେଡ଼େ ବଢ଼ିଆ ପୋଷାକସବୁ !’’ –ପାର ଥିରିଥିରି କହିଲା ।

 

“ସେ କାଳର ଲୋକମାନେ ପ୍ରକୃତରେ କିପରି ବେଶଭୂଷା ପିନ୍ଧୁଥିଲେ, ତାହା ଜାଣିବାଲାଗି ଆମକୁ ପୁରୁଣା ଚିତ୍ରମାନ ଦେଖିବାକୁ ପଡ଼ିଚି ଓ ପୋଷାକ ବିଷୟରେ କେତେ ବହି ପଢ଼ିବାକୁ ପଡ଼ିଚି ।’’ –ଅନୁ କହିଲା, “କୌଣସି ଐତିହାସିକ ନାଟକର ଅଭିନୟ କଲାବେଳେ ଅତି ଯତ୍ନ ଓ ଧୈର୍ଯ୍ୟର ସହିତ ଏହିସବୁ ଟିକିନିଖି କଥା ସଠିକ୍‌ଭାବରେ ଜାଣିବାକୁ ପଡ଼ିଥାଏ । ସେତେବେଳେ ସୈନ୍ୟମାନେ କେଉଁଭଳି ଢାଲ ଓ ତରୱାଲ ବ୍ୟବହାର କରୁଥିଲେ, ତାହା ଜାଣିବା ସକାଶେ ଆମେ ମିଉଜିଅମ୍‌କୁ ମଧ୍ୟ ଯାଇଚୁ । ଏହି ଆଫଗାନ୍ ଶାସକମାନଙ୍କର ଅସ୍ତ୍ରଶସ୍ତ୍ର ଓ ପୋଷାକପତ୍ର ରାଜପୁତ୍‌ମାନଙ୍କର ଅସ୍ତ୍ରଶସ୍ତ୍ର ଓ ପୋଷାକଠାରୁ ସମ୍ପୂର୍ଣ୍ଣ ଭିନ୍ନ ।’’

 

ନାଟକଟି ପିଲାମାନଙ୍କୁ ମଧ୍ୟଯୁଗର ଦିଲ୍ଲୀ ସହରକୁ ଉଡ଼ାଇ ନେଇଗଲା । ସେମାନେ କେତେ କେତେ ସୈନ୍ୟ ଦେଖିଲେ, ରାଜପୁତ୍ ଦେଖିଲେ, ଭିକାରି, ଗୁପ୍ତଚର, ବଣିକ ଓ ରାଜାମାନଙ୍କୁ ମଧ୍ୟ ଦେଖିବାକୁ ପାଇଲେ । ରାଜା ତୋଗଲକ୍‌ଙ୍କ ଭୂମିକାଟି ଅଭିନୟ କରୁଥିବା ବିଶାଳବପୁ ଓ ରୂପ୍‌ବାନ ଅଭିନେତା ଜଣକ ସେମାନଙ୍କୁ ପ୍ରକୃତରେ ଚମକ୍ତୃତ କରିଦେଇଥିଲେ । ତାଙ୍କର କଣ୍ଠସ୍ଵର ମଧ୍ୟ ଖୁବ୍ ଗମ୍ଭୀର ଓ ଶକ୍ତିଶାଳୀ ଶୁଣାଯାଉଥିଲା । ଯେତେବେଳେ ସୈନ୍ୟମାନେ ଆସି ରାଜମାତାଙ୍କୁ ବଜାର ଭିତରେ ହତ୍ୟା କରିବେ ବୋଲି ଟାଣିଟାଣି ନେଇଗଲେ, ସେତେବେଳେ ପାର ଭୋ’ ଭୋ’ ହୋଇ କାନ୍ଦିଉଠିଲା ।

 

“ଏ କଥା କଣ ସତରେ ଘଟିଥିଲା ?’’ –ଭଉଣୀକୁ ସାନ୍ତ୍ଵନା ଦେବାକୁ ଚେଷ୍ଟା କରି ଡିଡ଼ୋ ପଚାରିଲା–

 

“ହଁ, ଏଠି ଦେଖାଯାଉଥିବା ସବୁ କଥା ଓ ଘଟଣା ଇତିହାସରେ ପ୍ରକୃତରେ ଘଟିଥିଲା; ମାତ୍ର ନାଟକ-ଲେଖକ ଘଟଣାଗୁଡ଼ିକୁ ଏପରିଭାବରେ ଏକାଠି ଗୁନ୍ଥି କରି ରଖିଥାଏ, ଯେପରିକି ସେଥିରୁ ସେ ଆପଣାର ଦୃଷ୍ଟିକୋଣଟି ପ୍ରକାଶ କରିବାକୁ ସମର୍ଥ ହୁଏ । ଏହି ନାଟକଟିର ଲେଖକ ଗିରୀଶ୍‍ କର୍ଣ୍ଣଡ଼୍ ତୋଗଲକ୍‌ଙ୍କୁ ଜଣେ ମହାନ୍ ବ୍ୟକ୍ତିରୂପେ ଦେଖିଛନ୍ତି । ତାଙ୍କ ମତରେ ତୋଗଲକ୍‌ଙ୍କ ପ୍ରତି ତାଙ୍କର ସବୁ ବନ୍ଧୁ ଓ ମିତ୍ର ବିଶ୍ଵାସଘାତକତା କରିଥିଲେ–ଏପରିକି ରାଜମାତା ମଧ୍ୟ । ଏହିସବୁ କାରଣରୁ ତୋଗଲକ୍‌ ଆପଣା ରାଜତ୍ଵର ଶେଷଭାଗରେ ଏପରି କ୍ରୋଧୀ ଓ ନୃଶଂସ ହୋଇପଡ଼ିଥିଲେ ।’’

 

ଠିକ୍ ସେତିକିବେଳେ ଏଡ଼େ ପାଟିକରି ପ୍ରେମମାମୁ କହିଉଠିଲେ, “ରାଜୁ, ପାଟି ଖୋଲି, ପାଟି ଖୋଲି !’’

 

“ପ୍ରେମମାମୁ କ’ଣ କହିବାକୁ ଚାହୁଛନ୍ତି ?’’ –ଦୀପକ ପଚାରିଲା ।

 

“ସିଏ କହିବାକୁ ଚାହୁଚନ୍ତି ଯେ ରାଜୁ ଯାହା କହୁଚି, ତାହାକୁ ଆହୁରି ପରିଷ୍କାର ଭାବରେ ଓ ଉଚ୍ଚ ସ୍ଵରରେ କହିବ ।’’ –ଅନୁ ଉତ୍ତର ଦେଲା ।

 

ଦୃଶ୍ୟଟିରେ ରାଜା ତୋଗଲକ୍ ଏକାକୀ ବିଷଣ୍ଣ ମନରେ ଆପଣାର ପୁରାତନ ବନ୍ଧୁ ଐତିହାସିକ ବରୌନିଙ୍କ ପାଖରୁ ବିଦାୟ ନେଇ ଯାଉଥାନ୍ତି । ବରୌନି ମଧ୍ୟ ତାଙ୍କ ପ୍ରତି ବିଶ୍ଵାସଘାତକତା କରୁଥାନ୍ତି । ରାଜୁ ବରୌନି ଭୂମିକାରେ ଅଭିନୟ କରୁଥାଏ । ପ୍ରେମମାମୁଙ୍କ ନିର୍ଦ୍ଦେଶରେ ଅଭିନେତାମାନେ ପୁଣି ଥରେ ଦୃଶ୍ୟଟିର ଅଭିନୟ କଲେ ।

 

ଦର୍ଶକମାନେ ଯଦି ପରିଷ୍କାରରୂପେ ଶୁଣି ନ ପାରିବେ, ତେବେ ଖାଲି ଭଲ ଅଭିନୟ କଲେ କିଛି ଲାଭ ନାହିଁ ।’’ –ଅନୁ ବୁଝାଇ କହିଲା, “ଅଭିନେତା, ଏ କଥାଟି ପ୍ରଥମେ ଶିଖିବାକୁ ପଡ଼ିବ ।’’

Image

 

ନାଟକଟି କ୍ରମେ ଶେଷ ହୋଇ ଆସିଲା । ଶେଷ ଦୃଶ୍ୟଟିରେ ଦୀପକର ମନ ଭାରି ପ୍ରଭାବିତ ହୋଇପଡ଼ିଥିଲା । ସେହି ଦୃଶ୍ୟରେ ରାଜା ତୋଗଲକ୍ ଏକାକୀ ମୁଣ୍ଡ ପୋତି ପାହାଚ ଉପରେ ବସିଥାନ୍ତି । ନଗରୀ ଉପରେ ସନ୍ଧ୍ୟା ନଇଁଆସୁଥାଏ । ତାଙ୍କ ପଛରୁ ଷ୍ଟେଜର ଆଲୋକ କ୍ରମେ ସ୍ତିମିତ ହୋଇ ଆସୁଥାଏ । ଅଧା ଅନ୍ଧାର ଭିତରେ ସେ ସେହିପରି ବସିରହିଥାନ୍ତି ଏବଂ ତା’ପରେ ସବୁ ଅନ୍ଧାର ହୋଇଗଲା ।

 

“କେତ୍‌କର୍, କକ୍ଷର ଆଲୁଅଗୁଡ଼ିକ ଦେଇଦିଅ !’’ ପ୍ରେମମାମୁ ପାଟିକରି କହିଲେ । ସଙ୍ଗେ ସଙ୍ଗେ କକ୍ଷ ଆଲୋକିତ ହୋଇଉଠିଲା ।

 

“ଅନୁ, ଆଲୋକ ଓ ଶବ୍ଦର ବ୍ୟବସ୍ଥାଗୁଡ଼ିକୁ ମୁଁ ଜଲଦି ଜଲଦି ପୁଣି ଥରେ ଦେଖି ନେବି-।’’ –ପ୍ରେମମାମୁ କହିଲେ । “ତୁ ବର୍ତ୍ତମାନ ପିଲାମାନଙ୍କୁ ଷ୍ଟେଜ୍‍ ପଛପଟକୁ ନେଇଯା; ସେମାନେ ସେଠି ଅଭିନେତାମାନଙ୍କୁ ଦେଖିପାରିବେ ।’’

 

“ଭାରି ଭଲ ହେବ !’’ –ଦୀପକ କହିଲା, “ଅନୁ ଅପା, ତୁ ତୋଗଲକ୍ ସହିତ ମୋର ପରିଚୟ କରାଇଦେବୁ, ମନେରଖ !’’

Image

“ମତେ ସିଏ ତାଙ୍କର ଦସ୍ତଖତ୍ ଦେଇପାରିବେ ନାହିଁ ?’’ –ଡିଡ଼ୋ ପଚାରିଲା ।

 

“ନିଶ୍ଚୟ ଦେବେ । ବର୍ତ୍ତମାନ ମୋ’ ସାଙ୍ଗରେ ଆସ !’’

Image

 

ଦୃଶ୍ୟପଟର ପଛରେ

 

ଷ୍ଟେଜ୍ ଉପର ଦେଇ ସେମାନେ ଯାଇ ଗ୍ରୀନ୍‌ରୁମରେ ପହଞ୍ଚିଲେ । ସେଠାରେ ନୀଳଶାଢ଼ି ପିନ୍ଧିଥିବା ଜଣେ ବୃହତ୍‌କାୟା ଭଦ୍ରମହିଳା ଈଷତ୍ ହସି ସେମାନଙ୍କୁ ସ୍ଵାଗତ ଜଣାଇଲେ । “ଏମାନେ ତୁମର ସମ୍ପର୍କୀୟ ସାନ ଭାଇଭଉଣୀ, ଅନୁ ?’’

 

“କେବଳ ଦୀପକ ହେଉଚି ମୋର ସମ୍ପର୍କୀୟ ଭାଇ, ସତୀ ଦିଦି !’’ –ଅନୁ ଉତ୍ତର ଦେଇ କହିଲା । “ଆଉ ଏମାନେ ହେଉଚନ୍ତି ପର୍‌ବିଣ୍‍ ଓ ରଫିକ୍, ଦୀପକର ସାଙ୍ଗ ।’’

 

“ପିଲାଏ, କୋକାକୋଲା ପିଇବ ?’’ –ଭଦ୍ରମହିଳା ପଚାରିଲେ ।

 

“ହଁ ।’’

 

ସେତିକିବେଳେ କାହାର ଦମ୍ ଦମ୍ ପଦଶବ୍ଦ ଶୁଣାଗଲା ଏବଂ ରାଜା ମହମ୍ମଦ ତୋଗଲକ୍ ଆସି ସେମାନଙ୍କ ଆଗରେ ଠିଆହୋଇଗଲେ ।

 

“ଦିଦି, ମୋତେ କପେ ଚାହା ଦିଅ ।’’ –ଆପଣା ମୁଣ୍ଡରୁ ପଗଡ଼ିଟି ଖୋଲି ଦେଉ ଦେଉ ସେ କହିଲେ, “ଆରେ, ଅନୁ ଯେ !’’ ଆପଣାର ସୁନେଲି ଆଚକନ୍ ଓହ୍ଲାଉ ଓହ୍ଲାଉ ସେ ପୁଣି କହିଲେ ।

 

ଅନୁ କହିଲା, “ଅହମ୍ମଦ ସାହେବ, ଇଏ ହେଉଚି ମୋର ସମ୍ପର୍କୀୟ ଭାଇ, ଦୀପକ । ଅଭିନୟରେ ତାର ଭାରି ଆଗ୍ରହ । ଆଉ ଏମାନେ ହେଉଛନ୍ତି ପର୍‌ବିଣ୍ ଓ ରଫିକ୍, ଦୀପକର ସାଙ୍ଗ-।’’

 

“ଆଚ୍ଛା, ତେବେ ତୁମେ ଜଣେ ଅଭିନେତା ହେବାକୁ ଭାବୁଚ ?’’ –ଏତିକି କହି ଅହମ୍ମଦ ସାହେବ ବାଳକ ଦୁହିଙ୍କ ସହିତ କରମର୍ଦ୍ଦନ କଲେ ଓ ପାରର ମୁଣ୍ଡରେ ଥାପୁଡ଼ାଇ ଦେଲେ ।

 

“ଯଦି ମୁଁ ଆପଣଙ୍କ ପରି ଅଭିନୟ କରିପାରନ୍ତି !’’ –ଟିକିଏ ଲଜ୍ଜାଶୀଳ ଭାବରେ ଦୀପକ କହିଲା ।

 

“ମୁଁ ତ ଭାବୁଚି ତୁମେ ମୋଠାରୁ ବି ଆହୁରି ଭଲ ଅଭିନୟ କରିପାରିବ !’’ –ଅହମ୍ମଦ ସାହେବ ହସି ହସି କହିଲେ । ସେତେବେଳେ ସେ ଆପଣାର ମୁହଁରେ କୋଲଡ଼ କ୍ରିମ୍ ଲଗାଇ ତୁଳା ଦେଇ ତାକୁ ପୋଛିଦେଉଥାନ୍ତି ।

Image

ତାଙ୍କ ମୁହଁ ଉପରୁ ରେଖା ଓ ଚିତ୍ରିତ କୁଞ୍ଜନଗୁଡ଼ାକ ନିଭି ନିଭି ଯାଉଥାଏ । ପିଲାମାନେ ଅନାଇଁ ଦେଖିବାରେ ଲାଗିଥାନ୍ତି । ତା’ପରେ ସେ ଆପଣାର ଦାଢ଼ିରେ କିଛି ତେଲ ନେଇ ଲଗାଇଦେଲେ । ଧୂସର ଦାଢ଼ିଗୁଡ଼ାକ ସଙ୍ଗେ ସଙ୍ଗେ କଳା ହୋଇଗଲା ।

 

“ଆପଣ କଣ ଦାଢ଼ିଟା ବି କାଢ଼ିଦେବେ ?’’ –ପାର ପଚାରିଲା ।

 

“ନାଇଁ, ଏଇଟା ମୋ ନିଜ ଦାଢ଼ି ।’’ –ଅହମ୍ମଦ ସାହେବ ଉତ୍ତର ଦେଲେ, “ମାତ୍ର ବରୌନି ବର୍ତ୍ତମାନ ତାଙ୍କ ଦାଢ଼ି କାଢ଼ିଦେବେ । ତାଙ୍କୁ ଲକ୍ଷ୍ୟ କରି ଦେଖ ।’’ ବରୌନି ଭୂମିକାରେ ଅଭିନୟ କରୁଥିବା ରାଜୁ ସେତିକିବେଳେ ଆସି ଗ୍ରୀନ୍‌ରୁମରେ ପହଞ୍ଚିଲା ।

 

ରାଜୁ ଦାଢ଼ିଗୁଡ଼ାକୁ ପୁଳା ପୁଳା କରି କାଢ଼ି ଦେବାକୁ ଲାଗିଲା । ପାର ଏକାଦୃଷ୍ଟିରେ ଅନାଇ ରହିଥାଏ । ସେ ପଚାରିଲା, “ସେଗୁଡ଼ାକୁ ଆପଣ ପୁଣି କିପରି ଲଗାଇବେ ?’’

 

“ବେଶକାର ଶ୍ରୀଯୁକ୍ତ ଦେଶାଇ ମୋ’ପାଇଁ ଆଉ ଗୋଟାଏ ଦାଢ଼ି ତିଆରି କରିଦେବେ ।’’ –ରାଜୁ ଉତ୍ତରରେ କହିଲା ।

 

“ଆପଣଙ୍କର ନିଜର ଦାଢ଼ି ଥିଲେ ତ ଭଲ ହୋଇଥାନ୍ତା !’’ –ଡିଡ଼ୋ ପଚାରିଲା ।

 

ରାଜୁ ଉତ୍ତର ଦେଲା, “ଆର ନାଟକଟିରେ ମୋର ଏକ ଆଧୁନିକ ଯୁବକର ଅଭିନୟ କରିବାକୁ ଅଛି ।’’ ତା’ ମୁହଁର କୃତ୍ରିମ ବେଶଟାକୁ ଦୂର କରିଦେବାପରେ ସ୍ପଷ୍ଟଭାବରେ ପ୍ରମାଣ ହୋଇଗଲା ଯେ ରାଜୁ ପ୍ରକୃତରେ ଅତି ଅଳ୍ପ ବୟସର ଜଣେ ଯୁବକ ।

 

“ମୁଁ ଭାବିଥିଲି ଆପଣ ଜଣେ ବୁଢ଼ା ମଣିଷ ହୋଇଥିବେ । ଏପରିକି ଆପଣଙ୍କର ପାଟିଟା ମଧ୍ୟ ବୁଢ଼ାଙ୍କ ପାଟିପରି ଘଡ଼ଘଡ଼ ଶୁଭୁଥିଲା ।’’ –ପାର ଏଡ଼େ ପାଟିରେ ହସୁ ହସୁ କହିପକାଇଲା ।

 

ରାଜୁ ଉତ୍ତର ଦେଲା, “ମୁଁ ଏକଥା ଶୁଣି ଭାରି ଖୁସି ହେଲି ଯେ ତୁମେ ମୋତେ ଜଣେ ବୁଢ଼ା ବୋଲି ଭାବୁଥିଲ । କିନ୍ତୁ ଭଲ କରି ଜାଣିଥା, ଯେ ବୁଢ଼ାଙ୍କ ପରି ଘଡ଼ଘଡ଼ ହୋଇ କଥା କହିପାରିବା ମୋଟେ ସହଜ କଥା ନୁହେଁ । ମୁଁ ନିଜେ ମଧ୍ୟ ଏତେ ଚେଷ୍ଟା କରି ଯଥେଷ୍ଟ ବଡ଼ପାଟିରେ ତାହା କରିପାରେନାହିଁ ।’’

 

“ହଁ, ମାମୁଁ ସେଥିଲାଗି ମଝିରେ ଆପଣଙ୍କୁ ‘ମୁହଁ ଖୋଲି’ ବୋଲି ପାଟି କରି କହୁଥିଲେ, ନୁହେଁ ?’’ –ଦୀପକ କହିଲା ।

 

ହଁ, କହୁଥିଲେ । ଅନୁ, ମୋର କଥାଗୁଡ଼ାକ ତୁମେ ପରିଷ୍କାର ଭାବରେ ଶୁଣିପାରୁଥିଲ ତ-?’’ –ରାଜୁ ପଚାରିଲା ।

 

“ହଁ, ଯେତେବେଳେ ଦୃଶ୍ୟଟିକୁ ତୁମେ ଦୋହରାଇ କହିଲ, ସେତିକିବେଳେ ।’’

 

ରାଜୁ ପୁଣି କହିଲା, “ମାତ୍ର ଜଣେ ଯୁବକର ପାଟ୍ କରିବା ଅପେକ୍ଷା ମୋତେ ବୁଢ଼ାଙ୍କ ପାଟ୍ କରିବାକୁ ଭଲ ଲାଗେ । କାରଣ ସେଥିରେ ଅଧିକ ଚେଷ୍ଟା କରିବାକୁ ପଡ଼େ ।’’

 

ରାଜୁର କଥାଗୁଡ଼ିକ ଦୀପକ ଆପଣା ମନଭିତରେ ଲେଖିକରି ରଖିବାପରି ରଖିଲା ଓ ସ୍ଥିର କଲା ଯେ ଯେତେବେଳେ ତାକୁ ସୁଯୋଗ ମିଳିବ, ସେତେବେଳେ ସିଏ ମଧ୍ୟ ବୁଢ଼ାଙ୍କର ଭୂମିକାରେ ଅଭିନୟ କରିବାକୁ ପ୍ରଥମେ ଚେଷ୍ଟା କରିବ ।

Image

 

“ରାଣୀ କାହାନ୍ତି ?’’ –ପାର ପଚାରିଲା । “ତାଙ୍କୁ ଆମେ ଦେଖା କରିବୁ ।’’

 

“ସିଏ ଭାରି କ୍ଳାନ୍ତ ହୋଇପଡ଼ିଥିଲେ ।’’ –ଅନୁ ଉତ୍ତର ଦେଲା । “ସେ ନିଶ୍ଚୟ ନିଜର ରହିବାଜାଗାକୁ ଯାଇ ବିଶ୍ରାମ କରିବେଣି ।’’

 

ଏହି ସମୟରେ ସତୀ ଦିଦି ସେଠାରେ ଆସି ପହଞ୍ଚିଗଲେ ଓ କହିଲେ, “ପିଲାଏ, ଏଇ ନିଅ ତୁମର କୋକାକୋଲା । ତୁମ ପାଖରେ ଥିବା ଟୁକୁଡ଼ାଟୁକୁଡ଼ି ଜିନିଷଗୁଡ଼ାକ ମୋତେ ଦେଇଦିଅ ରାଜୁ ! ନ’ହେଲେ ସେଗୁଡ଼ାକ ହଜାଇପକାଇବ ।’’

 

“ନିଅ” କହି ରାଜୁ ତାଙ୍କ ହାତରେ ଖଣ୍ଡିଏ ବହି, ଟଙ୍କାଥଳି ଓ ବାଡ଼ିଟିକୁ ଧରାଇଦେଲା ।

 

“ଆଚ୍ଛା, ପିଲାମାନେ !’’ –ପ୍ରେମମାମୁ ମଧ୍ୟ ଏତିକିବେଳେ ଆସି ପହଞ୍ଚିଗଲେ ଓ କବାଟ ପାଖରୁ କହିଲେ । “ପର୍ଦ୍ଦା ଏପଟକୁ ଆସି ତୁମେମାନେ ଯାହାସବୁ ଦେଖିବାକୁ ପାଇଲ, ସେସବୁ ତୁମମାନଙ୍କୁ କିପରି ଲାଗିଲା ?’’

 

“ଭାରି ଭଲ ଲାଗିଲା, ମାମୁଁ !’’ –ଦୀପକ । “ମଞ୍ଚର ବ୍ୟବସ୍ଥାମାନ ଯେପରି ଭାବରେ କରାହୋଇଚି, ତାହା ମୋତେ ଭାରି ଭଲଲାଗିଲା । ଏସବୁ ଭାରି ସୁନ୍ଦର ହୋଇଚି ।’’

 

“ଆମେ ବମ୍ବେରୁ ଆମର ସାଜସରଞ୍ଜାମ ସାଙ୍ଗରେ ନେଇ ଏଠାକୁ ଆସିବା ସମ୍ଭବ ହେଲାନାହିଁ; ତେଣୁ ଏଇଠି ଜାତୀୟ ନାଟକ ବିଦ୍ୟାଳୟରୁ ଆମକୁ ଏସବୁ ମାଗି ଆଣିବାକୁ ପଡ଼ିଲା । ସେମାନେ ମଧ୍ୟ ଏବେ ଏହି ନାଟକଟି ଅଭିନୟ କରିଛନ୍ତି ।’’ –ପ୍ରେମମାମୁ କହିଲେ ।

 

“ସେଠି କ’ଣ ଅଭିନେତାମାନଙ୍କୁ ତାଲିମ ଦିଆଯାଏ ?’’ –ଡିଡ଼ୋ ପଚାରିଲା ।

 

Image

 

“ହଁ ।’’

 

“କେଡ଼େ ବଢ଼ିଆ କଥା !’’ –ଦୀପକ କହିଲା ।

 

ପ୍ରେମମାମୁ ତାକୁ ପୁଣି କହିଲେ, “ରାଜୁ ଏବର୍ଷ ବି. ଏ. ପାସ୍ କରିଚି । ସିଏ ମଧ୍ୟ ଏଥର ସେହି ବିଦ୍ୟାଳୟରେ ଯୋଗଦେବାକୁ ଚେଷ୍ଟା କରୁଚି ।’’

 

“କିନ୍ତୁ ମୋତେ ଏଭଳି କୌଣସି ସୁଯୋଗ ମିଳିନାହିଁ, ଦୀପକ !’’ –ଅହମ୍ମଦ ସାହେବ କହିଲେ । “ମୋ’ ପିଲାଦିନେ ଏସବୁ ତାଲିମ ଲାଗି କୌଣସି ସ୍କୁଲ ନଥିଲା । ତେଣୁ କେବଳ ଆପେ ଆପେ ଶିଖି ମୁଁ ଅଭିନେତା ହୋଇଚି । ମୁଁ ଗୋଟିଏ କଲେଜରେ ପାଠ ପଢ଼ାଏ ଓ ଖାଲି ସମୟତକ ହିନ୍ଦ୍ ମଞ୍ଚର ନାଟକମାନଙ୍କରେ ଅଭିନୟ କରେ କିମ୍ବା ମୋ’ ନିଜ କଲେଜରେ ପିଲାଙ୍କର ନାଟକଗୁଡ଼ିକରେ ନିର୍ଦ୍ଦେଶନା ଦେଇଥାଏ । ମାତ୍ର ରାଜୁ ଓ ତୁମ ବୟସର ପିଲାମାନେ ଆମଠାରୁ ଅଧିକ ଭାଗ୍ୟବାନ୍ । ତୁମେ ସବୁ ନାଟକ ବିଦ୍ୟାଳୟରେ ତାଲିମ୍ ନେଇପାରିବ ଓ ଅଭିନୟକୁ ଗୋଟିଏ ଧନ୍ଦାରୂପେ ଗ୍ରହଣ କରିପାରିବ ।’’

 

“ଦୀପକ, ତୁ ସେଇ ନାଟକ ବିଦ୍ୟାଳୟଟି ଦେଖିଯିବୁ କି ?’’ –ପ୍ରେମମାମୁ ପଚାରିଲେ । “ମୋତେ କାଲି ସେଠାକୁ ଯାଇ ସରଞ୍ଜାମସବୁ ଦେଇ ଆସିବାକୁ ପଡ଼ିବ, ବିଦ୍ୟାଳୟର ପରିଚାଳକଙ୍କୁ କୃତଜ୍ଞତା ଜଣାଇବାକୁ ପଡ଼ିବ । ବିଦ୍ୟାଳୟଟି ଦେଖିବାଲାଗି କାଲି ମଧ୍ୟ ମୋ ସାଙ୍ଗରେ ଯାଉଚି ।’’

 

“ତୋତେ ମୁଁ ବି ଯିବି, ମାମୁ !’’ –ଦୀପକ କହିଲା ।

 

ସେଇଠୁ ପ୍ରେମମାମୁ କହିଲେ, ବର୍ତ୍ତମାନ ଘରକୁ ଫେରିବାକୁ ହେବ । ସେଠାରେ ଖିଆପିଆ ସାରି ଗୋଟିଏ ବେଳକୁ ପୁଣି ଏଠାକୁ ଆସିବାକୁ ପଡ଼ିବ । ହଁ, ମନେରଖ, ଆଜି ସନ୍ଧ୍ୟା ସାଢ଼େଛଅଟା ବେଳେ ନାଟକ ଆରମ୍ଭ ହେବ ।’’

Image

 

ଅଭିନୟ ଶିଖିବା ସ୍କୁଲ

 

“ତୋଗଲକ୍‍” ନାଟକର ଅଭିନୟ ବଢ଼ିଆ ହେଲା । ସମସ୍ତେ ଏକାଠି ସହଯୋଗ କରି କିପରି ସବୁ କାମ କଲେ ଓ ଅଭିନେତାମାନେ ଯେପରି ପ୍ରତିଭାର ପରିଚୟ ଦେଲେ, ସମସ୍ତେ ତାହାର ପ୍ରଶଂସା କଲେ । ବିଶେଷକରି ଯେଉଁମାନେ ଟୋଗଲକ, ରାଜମାତା ଓ ବରୌନି ଭୂମିକାରେ ଅଭିନୟ କରିଥିଲେ, ସମସ୍ତେ ସେମାନଙ୍କର ବିଶେଷ ପ୍ରଶଂସା କଲେ । ତହିଁଆରଦିନ ସକାଳେ ଦୀପକ ଓ ଡିଡ଼ୋ ପ୍ରେମମାମୁଙ୍କ ସାଙ୍ଗରେ ଗୋଟିଏ ଟ୍ରକରେ ବସି ଥିଏଟର ଯାଏ ଗଲେ-। ସେଠାରେ ରାଜୁ ଓ କେତ୍‌କାର ଆସି ସେମାନଙ୍କୁ ଭେଟିଲେ ଓ କଢ଼ାହୋଇ ରଖାହୋଇଥିବା ସରଞ୍ଜାମଗୁଡ଼ିକ ଟ୍ରକ୍ ଉପରେ ଲଦିବାରେ ସାହାଯ୍ୟ କଲେ । ତା’ପରେ ଟ୍ରକ୍‌ଟି ଜାତୀୟ ନାଟକ ବିଦ୍ୟାଳୟଆଡ଼େ ଗଲା । ବିଦ୍ୟାଳୟଟି ଗୋଟିଏ ବିରାଟ କୋଠାରେ ଅବସ୍ଥିତ । କୋଠା ଚାରିପାଖରେ କେଡ଼େ ବଡ଼ ଗୋଟାଏ ହତା ! ସେମାନେ ସେଠାରେ ପ୍ରବେଶ କରିବା ମାତ୍ରକେ ସୁନ୍ଦର ଚେହେରାର ଜଣେ ପତଳା ଯୁବକ ସେମାନଙ୍କ ଆଡ଼କୁ ଆସିଲା ।

“ବିଦ୍ୟାଳୟରେ ମୁଁ ତୁମର ସ୍ଵାଗତ କରୁଚି, ରାଜୁ !’’ –ସେ ପାଟିକରି କହିଲା ।

“କିଏ ରମେଶ ? କିନ୍ତୁ ତୁ ଯାହା କହିଲୁ, ସେଇଟା ଅନେକ ଆଗରୁ କହିପକାଇଲୁ ।’’ –ରାଜୁ ଉତ୍ତର ଦେଲା ।

“ତୋତେ କାଲି ବରୌନି ଭୂମିକାରେ ଅଭିନୟ କରିବାର ଦେଖିବା ପରେ ମୋର ଆଉ କୌଣସି ସନ୍ଦେହ ନାହିଁ ଯେ ତୁ ନିଶ୍ଚୟ ଏଠାରେ ଏବର୍ଷ ତାଲିମ୍ ନେବାପାଇଁ ବଛା ହୋଇ ଆସିବୁ-। ତୋର ଅଭିନୟ ସକାଶେ ମୁଁ ତୋତେ ଅଭିନନ୍ଦନ ଜଣାଉଚି ।’’

 

“ଧନ୍ୟବାଦ” –ରାଜୁ ଉତ୍ତର ଦେଲା ଓ ଅନ୍ୟମାନଙ୍କ ସହିତ ତା’ର ଏହି ବନ୍ଧୁଟିର ପରିଚୟ କରାଇଦେଲା ।

 

“ଆମେ ଆଗ ସରଞ୍ଜାମ ବିଭାଗକୁ ଯାଇ ଏହି ସରଞ୍ଜାମଗୁଡ଼ିକ ରଖିଦେଇ ଆସିବା” –ରମେଶ କହିଲା ।

 

ସେମାନଙ୍କୁ ସେ ଗୋଟାଏ ମସ୍ତବଡ଼ ଘର ଭିତରକୁ ନେଇଗଲା । ସେଠାରେ ଜଣେ ଲୋକ ବିଜୁଳି-କରତ ଧରି କ’ଣ କାମ କରୁଥିଲା । କରତ ଚାଲିବାବେଳକୁ ଘଅଁ ଘଅଁ ଶବ୍ଦ କରୁଥାଏ । ସେହି ଶବ୍ଦ ଭିତରେ ଆହୁରି ବଡ଼ ପାଟି କରି ରମେଶ କହିଲା, “ଆମେ ଏଠାରେ ଆମର ସରଞ୍ଜାମ ସବୁ ତିଆରି କରୁ ।’’

 

ଡିଡ଼ୋ ଆଉ ଜଣେ ଲୋକକୁ ଘରର ଗୋଟାଏ କଣରେ କଅଣ କାମ କରୁଥିବାର ଦେଖିଲା । ରମେଶକୁ ପଚାରିଲା, “ସେ ଲୋକଟି ସେଠି କ’ଣ କରୁଚି ?’’

 

“ସିଏ ହେଉଚି ରାଓ, ଆମ ସ୍କୁଲର ଜଣେ ଛାତ୍ର । ଆମେ ନିକଟରେ ଯେଉଁ ନାଟକଟିର ଅଭିନୟ କରିବାକୁ ଯାଉଚୁ, ତାହାର ଦୃଶ୍ୟସଜ୍ଜା ସକାଶେ ସେ ଗୋଟିଏ ମଡ଼େଲ୍ ତିଆରି କରୁଚି । ଚାଲ, ପାଖକୁ ଯାଇ ଦେଖିବା ।’’

 

ମଡ଼େଲ୍ ଦେଖି ଡିଡ଼ୋ ଏକାବେଳକେ ଅବାକ୍ ହୋଇଗଲା । ସେଇଟା ଗୋଟାସୁଦ୍ଧା ଅତି ହାଲୁକା କାଠରେ ତିଆରି ହୋଇଥିଲା । ଏପରିକି ଚଉକି, ବିଛଣା, ଟୁଲ ଓ କବାଟଗୁଡ଼ାକ ମଧ୍ୟ ଠିକ୍ ମାପର ଅନୁପାତରେ ତିଆରି ହୋଇଥିଲା । ଅନାଇବାବେଳକୁ ସତେ ଯେପରି କଣ୍ଢେଇ ଘରର ବଖରାପରି ଦିଶୁଥିଲା ।

 

“ପାର ଆମ ସହିତ ଆସିଥିଲେ ଭାରି ଭଲ ହୋଇଥାନ୍ତା । ଏଇଟାକୁ ଦେଖି ସେ ପ୍ରକୃତରେ ଭାରି ଖୁସି ହୋଇଥାନ୍ତା । ମୁଁ ବି ମଡ଼େଲ ତିଆରି କରିବା ଶିଖିପାରନ୍ତି କି !’’

 

“ମୁଁ ତ ଭାବିଥିଲି ଜଣେ ଅଭିନେତା ହେବାକୁ ତୁମର ଇଚ୍ଛା ଅଛି” –ରାଜୁ କହିଲା ।

 

“ଦୀପକର ଜଣେ ଅଭିନେତା ହେବାକୁ ଇଚ୍ଛା ଅଛି”–ଡିଡ଼ୋ କହିଲା । “ମୁଁ ମୋ’ ବାପାଙ୍କ ପରି ଗୃହନିର୍ମାଣ-କଳା ଶିଖିବାକୁ ଚହୁଁଛି ।’’

 

“ଭାରି ଭଲ କଥା” –ପ୍ରେମମାମୁ କହିଲେ । “ଆମର ବି ଗୃହନିର୍ମାଣ-କଳା ଜାଣିଥିବା ଲୋକ ଭାରି ଦରକାର–ଯେଉଁମାନଙ୍କର କି ନାଟକ ଓ ଅଭିନୟ ବିଷୟରେ କିଛି ଜ୍ଞାନ ଥିବ । ତେବେ ସେମାନେ ଆମଲାଗି ଭଲ ଥିଏଟର ତିଆରି କରିପାରିବେ ।’’

 

“ଦୀପକକୁ ମଧ୍ୟ ଏହି ସରଞ୍ଜାମ ବିଭାଗରେ କାମ କରିବାକୁ ହେବ ।’’ –ରମେଶ କହିଲା । “ଏଠି ପ୍ରତ୍ୟେକ ଛାତ୍ରକୁ ଦୃଶ୍ୟସଜ୍ଜାର ଡିଜାଇନ୍ ତିଆରି କରିବାକୁ ପଡ଼େ ଓ ସେଗୁଡ଼ିକ ତିଆରି କରିବାରେ ସାହାଯ୍ୟ କରିବାକୁ ପଡ଼େ । ବର୍ତ୍ତମାନ ଆମେ କେତୋଟି କ୍ଳାସ୍‌ ବୁଲି ଦେଖିବା ।

 

ରମେଶ ସେମାନଙ୍କୁ ପ୍ରଥମେ ଏପରି ଏକ କୋଠରୀ ଭିତରକୁ ନେଇଗଲା, ଯେଉଁଠି ଛାତ୍ରମାନେ ଶୀର୍ଷାସନ ଅଭ୍ୟାସ କରୁଥିଲେ । ସେମାନେ ଯୋଗ-କ୍ଳାସ କରିବାକୁ ଆସିଥିଲେ ଏବଂ ଛାତ୍ରମାନେ ଏହି ଆସନଟି କରୁଥିବାବେଳେ ପିଲାମାନେ ସେଠାରେ ଆସି ପହଞ୍ଚିଥିଲେ । ଅଭିନେତାର ଶରୀରକୁ ସହଜ ଓ ସଞ୍ଚାଳନପଟୁ କରିବାରେ ଯୋଗ କିପରି ସାହାଯ୍ୟ କରେ ଓ ତା’ ଦେହର ମାଂସପେଶୀଗୁଡ଼ିକ କିପରି ଭାରହୀନ କରିଦିଏ, ରମେଶ ସେହି କଥା ବୁଝାଇଦେଲା । ଏସବୁ ଅଭ୍ୟାସଦ୍ଵାରା ଦେହର ସହନଶକ୍ତି ମଧ୍ୟ ବଢ଼େ । ଆର କୋଠରୀର କବାଟ ପାଖରେ ପହଞ୍ଚିଲାବେଳକୁ ସେମାନେ ଘୁଙ୍ଗୁର ଓ ତବଲା ଶବ୍ଦ ଶୁଣିବାକୁ ପାଇଲେ । ସେଠାରେ ଏକ ନାଚକ୍ଳାସ୍ ଚାଲିଥାଏ ।

 

“ସେମାନେ ଗୋଟିଏ ଲୋକନୃତ୍ୟ ଶିଖିଚନ୍ତି ।’’ –ରମେଶ କହିଲା । “ଅଭିନେତାର ଶରୀରକୁ ନୃତ୍ୟ ଅଧିକ କମନୀୟ ହେବାରେ ସାହାଯ୍ୟ କରେ । ତଦ୍ଦ୍ୱାରା ସେ ଛନ୍ଦଜ୍ଞାନ ବି ହାସଲ କରିଥାଏ । ଆମର ଅନେକ ନାଟକରେ, ବିଶେଷତଃ ଲୋକନାଟକ “(folk-play)ମାନଙ୍କରେ ସବୁବେଳେ ଅନେକ ନାଚ ବି ରହିଥାଏ ।’’

 

ଆରଘରେ ଦୁଇଜଣ ଛାତ୍ର ଗୋଟିଏ ଗୀତର ଅଭ୍ୟାସ କରୁଥିଲେ । “ଆମର ଏଠି ଗୀତ କ୍ଳାସ୍ ବି ହୁଏ । ଗୀତ ଗାଇବା କଣ୍ଠସ୍ଵରରୁ ଫୁଟାଇ ପାରିବାରେ ସହଯ୍ୟ କରେ ।’’ –ସେ କହିଲା “ବର୍ତ୍ତମାନ ଆମେ ଆମର ଟିକି କକ୍ଷ ଥିଏଟରଟି ଦେଖିବାକୁ ଯିବା ।’’

 

ଥିଏଟରଟି ଭାରି ସାନ ଥିଲା; କିନ୍ତୁ ବଡ଼ ନିଖୁଣଭାବରେ ତିଆରି ହୋଇଥିଲା । ସେଠି ଅଭିନୟର ଏକ କ୍ଳାସ୍ ଚାଲିଥାଏ । ତେଣୁ ସେମାନେ କୌଣସି ପାଟିତୁଣ୍ଡ ନକରି ଭିତରକୁ ଆସିଲେ ।

 

ରମେଶ ଧୀରେ ଧୀରେ କହିଲା, “ଛାତ୍ରମାନେ ଅଭିନୟ ଆଲୋଚନା କରୁଛନ୍ତି ।’’

 

“ତାହାର ଅର୍ଥ ?’’ –ଡିଡ଼ୋ ପଚାରିଲା

 

“ଶିକ୍ଷକ ସେମାନଙ୍କୁ ଗୋଟିଏ କାହାଣୀ ଦେଇଚନ୍ତି । ଏହି କାହାଣୀଟିକୁ ସେମାନେ ଅଭିନୟ କରି ଶିଖିବେ ଏବଂ ଶିଖୁ ଶିଖୁ ଆପଣାର ମନରୁ ମଧ୍ୟ କେଉଁଠି କିପରି ଅଭିନୟ କରିବାକୁ ହେବ, ଭାବି ଠିକ୍ କରିବେ । ଏହା ନିର୍ବାକ୍ ଭାବରେ କରିବାକୁ ହେବ; ଅର୍ଥାତ୍ ସେମାନେ କେବଳ ଅଙ୍ଗସଞ୍ଚାଳନ ଓ ଅଙ୍ଗଭଙ୍ଗୀ କରିବେ, ମୁଖଭଙ୍ଗୀ ମଧ୍ୟ କରିବେ; ମାତ୍ର କୌଣସି କଥା କହିବେ ନାହିଁ-

 

ଦୁଇଜଣ ପୁଅ ଓ ଜଣେ ଝିଅ ଷ୍ଟେଜ୍ ଉପରେ ଥିଲେ । ପୁଅ ଦୁଇଜଣ ଲଢ଼ାଲଢ଼ି ହେଉଥାନ୍ତି ଓ ଝିଅଟି ଭେଁ-ଭେଁ ହୋଇ କାନ୍ଦୁଥାଏ । ପୁଅ ଦୁହିଙ୍କୁ ସେ ଛଡ଼ାଇବାରେ ଚେଷ୍ଟା କରୁଥାଏ । ହଠାତ୍ ଦୁହିଙ୍କ ମଧ୍ୟରୁ ଜଣେ ପୁଅ ପାଗଳଙ୍କ ପରି ହାତମୁଠା ଉଠାଇଲା ଓ ଆର ପୁଅଟି ଝିଅଟିକୁ ଗୋଟିଏ ଭୁଷି ମାରିଲା । ଝିଅଟି ତଳେ ପଡ଼ିଗଲା । ତା’ପରେ ପୁଅ ଦୁଇଜଣ ଲଢ଼େଇ ବନ୍ଦ କରି ଝିଅଟିକୁ ଚେତା କରିବାକୁ ଲାଗିଲେ; ମାତ୍ର ସିଏ ହଲଚଲ ନ ହୋଇ ସେମିତି ମଲାଙ୍କପରି ପଡ଼ିଥାଏ । ତା’ପରେ ପୁଅ ଦୁଇଜଣ କାନ୍ଦିବାକୁ ଲାଗିଲେ ଓ ଝିଅଟିର ଶରୀର ଉପରେ ଅପଣା କଳହର ମୀମାଂସା କରିନେଲେ । “ଆଚ୍ଛା, ଏତିକିରେ ବନ୍ଦ ଥାଉ ।’’ –ପ୍ରଥମ ଧାଡ଼ିରେ ବସିଥିବା ଜଣେ ମହିଳା କହିଲେ । ଇଏ ହେଉଚନ୍ତି ଅଭନୟ ଶିଖାଉଥିବା ଶିକ୍ଷୟତ୍ରୀ । “ବର୍ତ୍ତମାନ ଆମେ ଦୃଶ୍ୟଟି ବିଷୟରେ ଆଲୋଚନା କରିବା ଏବଂ ଏଇଟି କିପରି ଆହୁରି ଭଲଭାବରେ ଅଭିନୀତ ହୋଇପାରନ୍ତା ସେ କଥା ଦେଖିବା ।’’

 

“ବର୍ତ୍ତମାନ ତୁମମାନଙ୍କୁ ମୁଁ ଖୋଲା ମଞ୍ଚ ଥିଏଟରକୁ ନେଇଯିବି ।’’ –ରମେଶ ଆସି ପିଲାମାନଙ୍କର କାନ ପାଖରେ କହିଲା ଓ ସେମାନେ ସେଠାରୁ ବାହାରକୁ ଚାଲିଗଲେ ।

 

“ରମେଶ, ପିଲାଏ ତୁମ ସହିତ ଯାଆନ୍ତୁ ।’’ –ପ୍ରେମମାମୁ କହିଲେ । “ମୁଁ ଏହାରି ଭିତରେ ପରିଚାଳକଙ୍କ ସହିତ ଦେଖା କରି ଆସିବି ଓ ତା’ପରେ ତୁମମାନଙ୍କୁ ଭେଟିବି ।’’

 

ସୁନ୍ଦର ମୁକ୍ତ ମଞ୍ଚ ଥିଏଟରଟି ଦେଖି ପିଲାଏ ଭାରି ଖୁସି ହୋଇଗଲେ ।

 

“ଛାତ୍ରମାନଙ୍କର ସହଯୋଗରେ ହଁ ଏଇଟି ତିଆରି ହୋଇଚି ।’’ ରମେଶ କହିଲା

 

“ଏଠାରେ ଆଉ ସବୁ କ’ଣ ଶିଖନ୍ତି ?’’ –ରାଜୁ ପଚାରିଲା

 

“ତୁମେ ଦେଖିଥିବା ନାଚ, ଯୋଗାସନ, ଗୀତ ଓ ଅଭିନୟ କ୍ଳାସ୍ ଛଡ଼ା ଆମେ ଏଠାରେ ପୋଷାକ ଓ ରଙ୍ଗମଞ୍ଚ ଡିଜାଇନ୍ କରିବା ମଧ୍ୟ ଶିଖୁ । ଭାରତୀୟ ଓ ପାଶ୍ଚାତ୍ୟ ନାଟକ ଶିଖୁ । ଆମେ ପୁରୁଣା ସଂସ୍କୃତ ନାଟକମାନ ଅଭିନୟ କରୁ ଓ ଆଧୁନିକ ଭାରତୀୟ ନାଟକମାନ ବି କରିଥାଉ ।’’

 

“ସଂସ୍କୃତ ଭାଷାରେ ?’’ –ଦୀପକ ପଚାରିଲା । ଏ କଥା ଶୁଣି ସେ ମନେମନେ ଯେପରି ଟିକିଏ ଆତଙ୍କିତ ହୋଇପଡ଼ିଥିଲା ।

 

“ନାଇଁ, ହିନ୍ଦୀରେ ।’’ –ରମେଶ ହସିକରି ଉତ୍ତର ଦେଲା । “ଆମେ କରୁଥିବା ପାଶ୍ଚାତ୍ୟ ନାଟକକୁ ମଧ୍ୟ ହିନ୍ଦୀରେ ଅନୁବାଦ କରାଯାଇଥାଏ ।’’ ତା’ପରେ ରାଜୁ ଆଡ଼କୁ ଅନାଇଁ ସେ ପୁଣି କହିଲା, “ଏଠାରେ ମୁଁ ପ୍ରଯୋଜକର ତାଲିମ ନେଉଚି । ତୁ କ’ଣ ଅଭିନୟକୁ ବିଶେଷ ବିଷୟରୂପେ ନେବୁ ?’’

 

“ହଁ, ଯଦି କେବେ ଏଠାରେ ଭର୍ତ୍ତି ହେବାର ସୁଯୋଗ ପାଏ” –ରାଜୁ ହସିକରି ଉତ୍ତର ଦେଲା ।

 

“ମୁଁ ଭାବିଥିଲି ଏଠାରେ କେବଳ ଅଭିନୟର ତାଲିମ ଦିଆଯାଉଥିବ ।’’ –ଡିଡ଼ୋ କହିଲା-

 

ନାଇଁ, ଏହି ବିଦ୍ୟାଳୟରେ ଥିଏଟର ସମ୍ବନ୍ଧୀୟ ସବୁ ବିଦ୍ୟା ଓ ଧନ୍ଦାର ତାଲିମ ଦିଆଯିଏ-। ତୁମେ ଏଠି ଅଭିନେତା ହୋଇପାରିବ, ପ୍ରଯୋଜକ ହୋଇପାରିବ, ଜଣେ ଟେକ୍‌ନିସିଆନ୍ ମଧ୍ୟ ହୋଇପାରିବ ।’’

 

“ମୁଁ ଅଭିନେତା ହେବାକୁ ହିଁ ଚାହୁଚି ।’’ –ଦୀପକ କହଲା । “ତୁମେ ଜାଣ, ବମ୍ବେ ଯିବା ଆଗରୁ ପ୍ରେମମାମୁ ଆମକୁ ଆମର ପ୍ରଥମ ନାଟକଟି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବେ ବୋଲି ଜବାବ ଦେଇଚନ୍ତି ।’’

 

“ନାଟକଟି ଠିକ୍ କେବେ ହେବ, ମୁଁ ଯେପରି ଖବର ପାଏ । ମୁଁ ନିଶ୍ଚୟ ଦେଖିବାକୁ ଆସିବି ।’’ –ରମେଶ କହିଲା–

 

“ଅବଶ୍ୟ ଆସିବେ; ମୁଁ ଜବାବ ଦେଉଚି ।’’ –ଦୀପକ ହସିକରି କହିଲା । ଠିକ୍ ସେତିକିବେଳେ ପ୍ରେମମାମୁ ଆସି ପହଞ୍ଚିଗଲେ ।

Image

 

ପ୍ରସ୍ତୁତି

 

ଅନୁ ବଗିଚାରେ ବସି ଖଣ୍ଡେ ବହି ପଢ଼ୁଥିଲା ଓ ନିଜର ଲମ୍ବା ଓ କୁଞ୍ଚୁକୁଞ୍ଚିଆ ବାଳଗୁଡ଼ାକ ଶୁଖାଉଥିଲା । ହିନ୍ଦ୍ ମଞ୍ଚର ଦ୍ଵିତୀୟ ନାଟକଟି, ଯେଉଁଥିରେ ତା’ର ମଧ୍ୟ ଗୋଟିଏ ପାଟ୍ ଥିଲା, କାଲି ରାତିରେ ସେଇଟିରେ ଅଭିନୟ ହେଲା ଏବଂ ସେଥିଯୋଗୁଁ ଅନୁ ଟିକିଏ କ୍ଳାନ୍ତ ହୋଇପଡ଼ିଥିଲା । ନାଟକଟି ଭାରି ଭଲ ହେଲା । ନାଟକଟିରେ ଏ ଯୁଗର ଅଳ୍ପବୟସ୍କ କିଶୋରମାନଙ୍କର ସମସ୍ୟା ଓ ପ୍ରସଙ୍ଗମାନ ରହିଥିଲା ଓ ଦର୍ଶକମାନଙ୍କୁ ନାଟକଟି ଭାରି ଭଲ ଲାଗିଲା ।

 

ଟପ୍‌ପୋ ଘାସ ଉପରେ ପେଟେଇ କରି ପଡ଼ିଥାଏ, ଗୋଡ଼ଦୁଇଟା ଉପରକୁ କରି ହଲାଉଥାଏ ଓ ଆପଣାର ଡ୍ରଇଁଖାତାରେ ଥିବା ଗୋଟିଏ ଛବିରେ ରଙ୍ଗ ଦେଉଥାଏ ।

 

ଠିକ୍ ଏତିକିବେଳେ ଦୀପକ ଓ ଡିଡ଼ୋ ଫାଟକବାଟେ ଦଉଡ଼ାଦଉଡ଼ି ହୋଇ ଆସି ସେଠାରେ ପହଞ୍ଚିଲେ ।

 

“ଅନୁ ଅପା !’’ –ଅନୁ ପାଖରେ ନଥ୍ କରି ବସିପଡ଼ି ଦୀପକ ସେହିପରି ଅଣନିଶ୍ଵାସୀ ଭାବରେ କହିବାକୁ ଲାଗିଲା, “ପ୍ରେମମାମୁ କହୁଚନ୍ତି ଯେ ଆମେ ପିଲାଏ ଅଭିନୟ କରିପାରିଲାଭଳି ନାଟକଟିଏ ତାଙ୍କ ପାଖରେ ଅଛି । ଏଥିରେ ସେ ଆମକୁ ସାହାଯ୍ୟ କରିବେ ବୋଲି ବି କହିଚନ୍ତି । ଅଭିନୟ କରିବାଲାଗି ମୁଁ ମୋର କେତେଜଣ ସାଙ୍ଗକୁ ମଧ୍ୟ ଅନୁରୋଧ କରି ଆସିଚି । ଏହି ନାଟକଟିରେ ତୁମେ ଆମର ନିର୍ଦ୍ଦେଶକ ହୁଅନ୍ତ ନାହିଁ ? ପ୍ରେମମାମୁ କହୁଚନ୍ତି ଯେ, ଏ ବିଷୟରେ ତୁମେ ହିଁ ଆମ ସମସ୍ତଙ୍କ ମଧ୍ୟରେ ସବୁଠାରୁ ବେଶୀ ଜାଣିଚ ଓ ସେ ପୁଣି କହୁଚନ୍ତି, ଏଥିରେ ଅଧିକାଂଶ କାମ ଆମେ ପିଲାଏ...”

 

“ଦୀପକ, ତୁ ଆଗ ଟିକିଏ ଚୁପ୍ ହେଲୁ ! ନହେଲେ ମୋ’ କାନର ପରଦାକୁ ତୁ ଶେଷରେ ଫଟାଇଦେବୁ ଦେଖୁଚି ! ପୁଣି ଅସଲ କଥା ହେଉଚି, ଏମିତି ଗାଉଁଗାଉଁ ରାଉରାଉ ହୋଇ କଥା କହିଲେ ତୁ କେବେହେଲେ କୌଣସି ଅଭିନୟ କରିପାରିବୁ ନାହିଁ ।’’ –ବାହାରକୁ ଟାଣ ଶୁଭିଲାପରି କଥାରେ ଅନୁ କହିଲା ।

 

“କିନ୍ତୁ ଅନୁ ଅପା, ତୁମେ ଜବାବ ଦେଉଚ ତ ?’’

 

“ଜବାବ କ’ଣ ପାଇଁ ?’’

 

“ଆମ ନାଟକର ନିର୍ଦ୍ଦେଶକ ହେବାକୁ ।’’

 

“କି ନାଟକ ?’’

 

“ମୁଁ ବର୍ତ୍ତମାନ କହିଲି ପରା !’’ –ସକେଇ ହେଲାପରି ଦୀପକ କହିଲା ।

 

ଏତିକିବେଳେ ଡିଡ଼ୋ ବାହାରିପଡ଼ି କହିବାକୁ ଲାଗିଲା, “ଦୀପକ, ତୁ ରହ; ମୁଁ ସବୁକଥା ବୁଝାଇ କହିଦେଉଚି । ତୁ ଏତେ ବେଶୀ ଉତ୍ତେଜିତ ହୋଇପଡ଼ିଚୁ ଯେ କଥାଟା ବୁଝିଲାଭଳି କିଛି କହିପାରିବୁ ନାହିଁ । ଅମରସିଂହ ରାଠୋରଙ୍କ ବିଷୟରେ ନାଟକଟି କରିବାଲାଗି ଦୀପକର ଆଗରୁ ଇଚ୍ଛା ଥିଲା; ମାତ୍ର ସେ ବିଷୟରେ ଆମ ପାଖରେ କୌଣସି ନାଟକ ନଥିବାରୁ ପ୍ରେମମାମୁ ଆମ ପାଇଁ ଆଉ ଗୋଟିଏ ନାଟକ ଆଣିଚନ୍ତି । ପଞ୍ଚତନ୍ତ୍ରର ଏକ କାହାଣୀକୁ ମୂଳକରି ନାଟକଟି ଲେଖାହୋଇଛି । ନାଟକଟିର ନାଆଁ ହେଉଚି ‘ଅକୃତଜ୍ଞ ମଣିଷ’ ।’’

 

“ନାଟକଟି ମୋତେ ଜଣାଅଛି ।’’ –ଅନୁ ଆଗ୍ରହର ସହିତ କହିଲା । “ସେଇଟିକୁ ମୁଁ ଖୁସିରେ କରାଇପାରିବି ।

 

“ମୁଁ–ଉ–ବି !’’ –ଅପଣାର ରଙ୍ଗବାକ୍‌ସଟା ଫୋପାଡ଼ିଦେଇ ଟପ୍‌ପୋ କହିଲା ।

 

“ହଁ, ତୁ–ଉ–ବି !’’ –ଅନୁ ଜବାବ ଦେଲା । “କିନ୍ତୁ ଦୀପକ, ନାଟକର ସବୁଯାକ ପାଟ୍ ନେବାପାଇଁ ତୋର ଯଥେଷ୍ଟ ସାଙ୍ଗ ଅଛନ୍ତି ତ ? କାରଣ ବର୍ତ୍ତମାନ ଦଶହରା ଛୁଟି ଯୋଗୁ ତୁମ କ୍ଳାସ୍‌ର ପିଲାମାନେ ଆଉ କୁଆଡ଼େ ଚାଲିଯାଇନାହାନ୍ତି ତ ।

 

“ନାଇଁ ଅନୁ ଅପା, ଆମର ଅନେକ ସାଙ୍ଗ ଏଇଠି ଅଛନ୍ତି, କୁଆଡ଼େ ଯାଇନାହାନ୍ତି । ଆଜି ସକାଳସାରା ଡିଡ଼ୋ ଆଉ ମୁଁ ଚାରିଆଡ଼େ ବୁଲିବୁଲି ପଚାରି ଆସିଚୁ । ସେମାନେ ସମସ୍ତେ ଆଜି ଚାରିଟାବେଳେ ଏଇଠି ଏକଜୁଟ୍ ହେବେ ବୋଲି ମୁଁ କହିଚି । ପ୍ରେମମାମୁ ମୋତେ କହିଚନ୍ତି ଯେ ହିନ୍ଦ୍ ମଞ୍ଚଦଳର ଅନ୍ୟ ସମସ୍ତେ ଆଜି ରାତିରେ ବମ୍ବେ ଚାଲିଯିବେ; କିନ୍ତୁ ସେ ଆଉ ତୁମେ ଛୁଟି ଶେଷ ପର୍ଯ୍ୟନ୍ତ ଏଇଠି ଆମ ଘରେ ରହିବ । ତେବେ ନାଟକ କରିବାପାଇଁ ଆମକୁ ପନ୍ଦର ଦିନ ସମୟ ମିଳିବ ।’’

 

“ନାଟକଟା ବେଶ୍ ବଡ଼ !’’ –ଅନୁ ଆପତ୍ତି କଲାପରି କହିଲା । “ଅବଶ୍ୟ ଆମେ ସେଇଟିକୁ ଟିକିଏ କାଟିକୁଟି ଛୋଟ କରିଦେଇ ପାରିବା । ହେଇ, ବାପା ବି ଆସିଲେଣି ।’’

 

ପ୍ରେମମାମୁ ନାଟକ ବହିଟି ସାଙ୍ଗରେ ନେଇ ଆସିଥିଲେ । ସେମାନେ ସମସ୍ତେ ସାଙ୍ଗେ ସଙ୍ଗେ ଏକାଠି ହୋଇ ବସିଲେ ଓ ପାଟ୍‌ଗୁଡ଼ିକୁ ଉତାରିନେଲେ । ହାତରେ ଥିବା ଏଇ ଅଳ୍ପ କେତେଦିନ ଭିତରେ ପିଲାଏ ଯେପରି ସହଜରେ ନାଟକଟିକୁ ଶିଖିପାରିବେ, ସେଥିପାଇଁ ପ୍ରେମମାମୁ ଓ ଅନୁ ସେଥିରୁ କେତୋଟି ଦୃଶ୍ୟ କମ୍ କରିଦେଲେ ।

 

“ନାଟକଟି କେଉଁଠି କରିବା ?’’ –ଅନୁ ପଚାରିଲା ।

 

“ବାହାରେ କାହା ଘର ବଗିଚାରେ କରିବା । ଶ୍ରୀଯୁକ୍ତ ଅନୱାରଙ୍କ ସହିତ ମୁଁ ଏ ବିଷୟରେ କଥାବାର୍ତ୍ତା କରିଚି ଓ ସେ କହିଚନ୍ତି ଯେ ଏଠାରୁ ଅଳ୍ପ ଦୂରରେ ତାଙ୍କର ଜଣେ ବନ୍ଧୁଙ୍କର ଘର ସାମନାରେ ବଡ଼ ବଗିଚାଟିଏ ଅଛି ଓ ସେ ତାଙ୍କୁ ସେଥିଲାଗି ଅନୁରୋଧ କରି କହିବେ ।’’

 

“ଜାଣିଲ, ସିଏ ମିଷ୍ଟର କପୁର ହୋଇଥିବେ ।’’ –ଡିଡ଼ୋ କହିଲା । “ହଁ, ଅନୁ ଅପା, ତାଙ୍କ ବଗିଚାଟି ବେଶ୍ ବଡ଼ ଏବଂ ଘାସ ଲନ୍ ଆଡ଼କୁ ମୁହଁ କରି ତାଙ୍କର ଗୋଟିଏ ଖୋଲା ବାରଣ୍ଡା ମଧ୍ୟ ରହିଚି । ଆମେ ବାରଣ୍ଡାରେ ଷ୍ଟେଜ୍ ତିଆରି କରିବା ଓ ଦର୍ଶକମାନେ ଲନ୍ ଉପରେ ବସିପାରିବେ ।’’

 

“ବାରଣ୍ଡାଟା ଅତି ବେଶୀ ଉଚ୍ଚ ନହୋଇଥିଲେ ହେଲା ।’’ –ଅନୁ କହିଲା ।

 

“ନାଇଁ ନାଇଁ, ଲନ୍‌ଠାରୁ ମୋଟେ ଦୁଇପାହାଚ ଉଚ୍ଚ ।’’

 

“ବିଲକୁଲ୍ ବଢ଼ିଆ ହେବ । ବାପା, ଆଲୁଅର ବ୍ୟବସ୍ଥା କିପରି କ’ଣ କରାଯିବ ?’’ –ଅନୁ ପଚାରିଲା ।

 

“କେବଳ ଦୁଇଟାଖଣ୍ଡେ ସ୍ପଟଲାଇଟ୍ ଛଡ଼ା ଆମର ଆଉ କିଛି ବେଶୀ ଦରକାର ହେବନାହିଁ ବୋଲି ମୁଁ ଭାବୁଚି । କାରଣ ଆମେ ଅଭିନୟଟାକୁ ସନ୍ଧ୍ୟାବେଳେ ସଅଳ ସଅଳ କରିପକାଇବା । ସେ ଦୁଇଟା କେଉଁଠୁ ଉଡ଼ାରେ ଆଣିବାଲାଗି ଆମକୁ ସାହାଯ୍ୟ କରିବାକୁ ମୁଁ ମୋର ଜଣେ ବନ୍ଧୁଙ୍କୁ କହିବି । ଆଉ ଦୀପକ, ମୁଁ ତୁମମାନଙ୍କର ମଞ୍ଚ-ପରିଚାଳକ ହେଲେ ସବୁଠାରୁ ଭଲ ହେବ । ଡିଡ଼ୋ ମୋର ସହକାରୀ ଭାବରେ କାମ କରିବ ।’’

 

“ନିଶ୍ଚୟ !’’ –ପିଲାଦୁହେଁ ଉତ୍ତର ଦେଲେ ।

 

ଅନୁ ପ୍ରସ୍ତାବ ଦେଇ କହିଲା, “ବାପା, ମୁଁ ଭାବୁଚି, ପ୍ରତ୍ୟେକ ବିଭାଗପାଇଁ ଜଣେ ବଡ଼ ମଣିଷଙ୍କ ସହିତ ପିଲାମାନଙ୍କୁ ସହକାରୀ କରି ରଖିଲେ ମଧ୍ୟ ସବୁଠାରୁ ଭଲ ହେବ । ଡିଡ଼ୋ, ତୋ’ର ଅମ୍ମା କିଛି କାମରେ ସାହାଯ୍ୟ କରିବେନି ?’’

 

“ଆମ ପୋଷାକସବୁ ତିଆରି କରିଦେବାରେ ସେ ଆମକୁ ସାହାଯ୍ୟ କରିପାରିବେ କି ନାହିଁ ପଚାରିବାକୁ ମୁଁ ବର୍ତ୍ତମାନ ପାରକୁ ପଠାଇଚି । ପୋଷାକ କାଟିବା ଓ ସିଲାଇ କରିବା କାମରେ ସେ ଭାରି ଧୁରନ୍ଧର, ଭାରି ବଢ଼ିଆ ପୋଷାକ ତିଆରି କରିପାରନ୍ତି । ବ୍ୟଙ୍ଗବେଶର ପ୍ରତିଯୋଗିତାରେ ପାର ଓ ମୁଁ ସବୁବେଳେ ପୁରସ୍କାର ପାଉ ଏବଂ ସେତେବେଳେ ଆମକୁ କୌଣସି ପୋଷାକ ବଜାରରୁ କିଣିବାକୁ ପଡ଼େନାହିଁ । ଅମ୍ମା ନିଜେ ଡିଜାଇନ୍ କରନ୍ତି ଓ ସିଲାଇ କରନ୍ତି; ପାର ତାଙ୍କୁ ଖୁସିରେ ସାହାଯ୍ୟ କରେ ।’’

 

“ମୁଁ–ଉ–ବି !’’ –ଟପ୍‌ପୋ ପାଟିକରି କହିଲା ।

 

“ସେଗୁଡ଼ାକୁ ଏକାଠି ଗୋଳେଇଘାଣ୍ଟି ପକାଇବାରେ ଟପ୍‌ପୋ ତାଙ୍କୁ ସାହାଯ୍ୟ କରେ ।’’ ଡିଡ଼ୋ ଏକଥା କହିବାମାତ୍ରକେ ସମସ୍ତେ ହୋ’ହୋ’ ହୋଇ ହସିଉଠିଲେ ।

 

ଚାରିଟାବେଳକୁ ଅନ୍ୟ ପୁଅଝିଅମାନେ ଆସି ଦୀପକ ଘରେ ପହଞ୍ଚିବାକୁ ଆରମ୍ଭ କଲେ-। ପନ୍ଦର ମିନିଟ୍ ଭିତରେ ଏତେ ବେଶୀ ପିଲା ଆସି ପହଞ୍ଚିଲେ ଯେ ଶେଷକୁ ଅନୁ ଘାସ ଲନ୍‌ରେ ଯାଇ ସତରଞ୍ଜି ପାରିଦେଲା ।

 

ସତେଅବା ଜଣେ ପ୍ରକୃତ ନିର୍ଦ୍ଦେଶକଙ୍କପରି ଅନୁ ଗମ୍ଭୀର ହୋଇ କହିବାକୁ ଆରମ୍ଭ କଲା, “ପ୍ରଥମ କଥା ହେଉଚି, ପ୍ରତିଦିନ ନାଟକ ଅଭ୍ୟାସ ବେଳକୁ ତୁମେମାନେ ଠିକ୍ ସମୟରେ ଆସି ପହଞ୍ଚିବ । ନାଟକଟି ଲାଗି ଆମ ହାତରେ ମାତ୍ର କେତୋଟି ଦିନ ସମୟ ରହିଚି; ତେଣୁ ଗୋଟାଏ ମିନିଟ୍ ନଷ୍ଟ କଲେ ବି ଚଳିବ ନାହିଁ । ଯଦି ଚାରିଟାବେଳେ ନାଟକ ଅଭ୍ୟାସ ଆରମ୍ଭ ହେବା କଥା, ତେବେ ତୁମେମାନେ ତା’ର ଦଶମିନିଟ୍ ପରେ ନୁହେଁ, ଦଶମିନିଟ୍ ଆଗରୁ ଆସି ପହଞ୍ଚିବ ।’’

 

ଯେଉଁ ପିଲାମାନେ ଡେରିରେ ଆସିଥିଲେ, ସେମାନେ ସ୍ପରସ୍ପରକୁ ଅନାଇ ଅପରାଧୀଙ୍କ ପରି ମୁରୁକି ମୁରୁକି ହସିଲେ ।

ଅନୁ ପୁଣି କହିଲା, “ଏହାଛଡ଼ା ଯିଏ ଯେଉଁ ପାଟ୍ ନେବ, ସେ ତାକୁ ନେଇ ବାହାଦୁରୀ କରି ବୁଲିବ ନାହିଁ କିମ୍ବା ମନ ଖଟା ବି କରିବ ନାହିଁ । ନାଟକରେ କେତୋଟି ପାଟ୍ ବଡ଼, ଆଉ କେତୋଟି ପାଟ୍ ଛୋଟ; ମାତ୍ର ତା’ବୋଲି କୌଣସି ପାଟ୍ କୌଣସିଟି ଠାରୁ କମ୍ ବା ବେଶୀ ମହତ୍ତ୍ଵପୂର୍ଣ୍ଣ ନୁହେଁ । ଯେଉଁମାନେ ସାନ ପାଟ୍ ନେବେ ସେମାନଙ୍କୁ କମ୍ ଶିଖିବାକୁ ପଡ଼ିବ ।’’

ପିଲାମାନେ ଥିରି ଥିରି କରି ହସୁଥାନ୍ତି ।

“ତୃତୀୟ କଥା ହେଉଚି ନିଜନିଜର ପାଟ୍‌ଗୁଡ଼ିକୁ ତୁମେମାନେ ଶୀଘ୍ର ଶିଖିନେବ । ବର୍ତ୍ତମାନ ତ କୌଣସି ସ୍କୁଲପାଠ ପଢ଼ିବାର ନାହିଁ; ତେଣୁ ତୁମମାନଙ୍କ ପାଖରେ ଅନେକ ସମୟ ଥିବ । ପାଟ୍ ଶିଖିଯିବାପରେ ତାକୁ ଆଉ ଜଣକ ପାଖରେ ଯାଇ ଶୁଣାଇବ ଓ ଯେଉଁଠି ତୁମର ମନେ ନ ପଡ଼ିବ, ସେଠି ସେ ତୁମକୁ ଖିଅ ଧରାଇଦେଉଥିବେ ।’’

“ଖିଅ ପୁଣି କ’ଣ ?’’ –ପାଟି ଭିତରେ କ’ଣ ଗୋଟାଏ ମିଠା ଜିନିଷ ଚୁଚୁମୁଥିବା ଜଣେ ମୋଟା ପିଲା ପଚାରିଲା ।

“ତୁମ ପାଟ୍‌ର ଧାଡ଼ିଗୁଡିକ ଆଗରୁ ଯୋଉସବୁ ଧାଡ଼ି ଥାଏ ତାହାକୁ ଖିଅ କହନ୍ତି । ଏଗୁଡ଼ାକ ମଧ୍ୟ ତୁମମାନଙ୍କୁ ମନେ ରଖିବାକୁ ପଡ଼ିବ; ନହେଲେ ତୁମର ପାଟ୍ କେତେବେଳେ ପଡ଼ିବ, ସେ କଥା ତୁମେମାନେ ଆଉ ଜାଣିପାରିବ ନାହିଁ । ପ୍ରକୃତ କଥା ହେଉଚି ଯେ ତୁମେ ଯେ କ୍ରମେ ଅନ୍ୟ ସମସ୍ତଙ୍କର ପାର୍ଟ ବି ମନେ ରଖି ସାରିଲଣି, ସେ କଥା ତୁମେ ନିଜେ ଜାଣିବାକୁ ପାଇବ । ଆଚ୍ଛା, ବର୍ତ୍ତମାନ ତିଆରି ହୋଇଯା’ ଓ କେହି ଦୋଅଣି ହଜାଇଲା ଭଳିଆ ମୁଁହ କର ନାହିଁ-।’’

ପରୀକ୍ଷା କରି ଅନୁ ପାଟ୍‌ଗୁଡ଼ିକୁ ବାଣ୍ଟିଦେଲା । ଦୀପକ ‘ଅକୃତଜ୍ଞ ମଣିଷ’ର ପାଟ୍ ଦିଆଗଲା । ଡିଡ଼ୋ ବ୍ରାହ୍ମଣ ହେଲା । ପାର ରାଜକନ୍ୟା ପାଟ୍ ନେଲା । ପ୍ରଥମେ ତ ସିଏ ଭାରି ଲାଜ କରୁଥିଲା ଓ ପାଟ୍ ନେବାକୁ ମଙ୍ଗୁ ନ ଥିଲା । କିନ୍ତୁ ଡିଡ଼ୋ କହିଲା, “ତୁ ତ ନିଜେ ନାଟକରେ ପାଟ୍ ନେବାକୁ କହୁଥିଲୁ । ତେଣୁ ଆଉ ଗୋଡ଼ ଲମ୍ବାଉଚୁ କାହିଁକି ?’’

ଟପ୍‌ପୋକୁ ଏକ ମାଙ୍କଡ଼ର ସାନ ପାଟ୍‌ଟିଏ ଦିଆଯିବାର ସ୍ଥିର ହେଲା । ମାତ୍ର ସେ ଆଉ ସମସ୍ତଙ୍କର ପାଟ୍ କରିବା ବୋଲି ‘ଷ୍ଟେଜ୍ ଅଞ୍ଚଳ’ର ମଝିକୁ ଏପରି ଦଉଡ଼ିଯିବାକୁ ବସୁଥାଏ ତାକୁ ସହଜରେ ଅଟକାଇ ହେଉ ନଥାଏ ।

ଦୀପକର ଘରେ ନାଟକ ଅଭ୍ୟାସ ହେଲା । ତାଙ୍କ ଦାଣ୍ଡଘରଟା ସେତେ ବେଶୀ ବଡ଼ ନଥିଲା ସତ ମାତ୍ର ତା’ର ମା ସେ ଘରୁ ଜିନିଷ କାଢ଼ିଦେଲେ । ତେଣୁ ଘରଟିର ଅଧେ ଜାଗା ଖାଲି ହୋଇଗଲା ଓ ଷ୍ଟେଜ୍‌ରୂପେ ବ୍ୟବହାର କରାଯାଇ ପାରିଲା ।

ଦ୍ଵିତୀୟ ଅଭ୍ୟାସବେଳକୁ ବେଗମ୍ ଅନାୱର୍ ବିଡ଼ାଏ କାଗଜ ଧରି ସେଠାକୁ ଆସିଲେ ଓ ଅନୁକୁ ଦେଖାଇଲେ ।

“ବାପା, ବାପା” –ଅନୁ ଭାରି ଉତ୍ସାହରେ ଡାକିକରି କହିଲା । “ଦେଖିବ ଆସ ବାପା ! ବେଗମ୍‌ଜୀ, ପ୍ରକୃତରେ ଜଣେ କାରିଗର । ଡିଜାଇନ୍ କରିବାରେ ଆପଣଙ୍କର ଦକ୍ଷତା ପ୍ରକୃତରେ ଅଦ୍‌ଭୂତ ! ସିଏ କେଡ଼େ ବଢ଼ିଆ ବଢ଼ିଆ ପୋଷାକର ଡିଜାଇନ୍ କରି ଆଣିଚନ୍ତି ଦେଖ ।’’

କେବଳ ତାଙ୍କରି ଦୁଇ ପିଲାଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ ଆନନ୍ଦ ଓ ବିସ୍ମୟରେ ଅବାକ୍ ହୋଇ ଦେଖୁଥାନ୍ତି । ପ୍ରତ୍ୟେକ ଚରିତ୍ର ଖଣ୍ଡେ ଖଣ୍ଡେ ଡ୍ରଇଁକାଗଜ ଉପରେ ଅଲଗା ଅଙ୍କା ହୋଇଥାଏ ଏବଂ ପ୍ରତ୍ୟେକ ଚରିତ୍ର କିଭଳି ପୋଷାକ ପିନ୍ଧିବ, ତାହା ଦେଖାଇ ଦିଆଯାଇଥାଏ । ପୋଷକଗୁଡ଼ିକରେ ରଙ୍ଗ କରାହୋଇଥାଏ ଏବଂ ପ୍ରତ୍ୟେକ ଚରିତ୍ର ଯେପରି ପ୍ରକାରର ଓ ଯେପରି ରଙ୍ଗର ପୋଷାକ ପିନ୍ଧିବ, ତାହାର ଖଣ୍ଡେ ନମୁନା ଚିତ୍ରର କଡ଼ରେ କ୍ଳିପ୍ ଦେଇ ଲଗାଇଦିଆଯାଇଥାଏ ।

ପ୍ରେମମାମୁ ତାଙ୍କର ଭାରି ପ୍ରଶଂସା କରି ହସିଉଠିଲେ, “ଡିଜାଇନ୍ କରିବାଟାକୁ ଆପଣ ନିଶ୍ଚୟ ଏକ ନିୟମିତ ପେଶାପରି ଗ୍ରହଣ କରିପାରିଥାନ୍ତେ !’’ ସବୁ ପିଲାଏ ଯେପରି ଡିଜାଇନ୍‌ଗୁଡ଼ିକୁ ଭଲଭାବରେ ଦେଖିପାରିବେ, ସେଥିଲାଗି ସେଗୁଡ଼ିକୁ ସେ ଗୋଟିଏ ଟେବୁଲ ଉପରେ ମେଲାଇ ରଖି କରି କହିଲେ– “ମୋର ପରବର୍ତ୍ତୀ ନାଟକଟି ଲାଗି ଆପଣ ପୋଷାକର ଡିଜାଇନ୍‍ମାନ କରିଦେଲେ ମୁଁ କେଡ଼େ ଖୁସି ହୁଅନ୍ତି !’’

ବେଗମ୍ ଅନୱାର୍ ଈଷତ୍ ହସି କହିଲେ, “ଥାଉ, ଆଉ ଅଧିକ ଚିଡ଼ାଇବାକୁ ଚେଷ୍ଟା କରନ୍ତୁ ନାହିଁ । ଅନୁ, ମୁଁ ବର୍ତ୍ତମାନ ପିଲାଙ୍କର ମାପଗୁଡ଼ାକ ନେବାକୁ ଚାହେଁ । ତେବେ କପଡ଼ା କିଣି କାଲିଠାରୁ ସେଗୁଡ଼ିକୁ କାଟିବା ଆରମ୍ଭ କରିଦେଇପାରିବି ।’’

ଅନୁ ପଚାରିଲା, “ଆପଣଙ୍କୁ ସାହାଯ୍ୟ କରିବାପାଇଁ ଯଥେଷ୍ଟ ଲୋକ ଅଛନ୍ତି ତ ?’’

“ହଁ, ଦୀପକର ମାଆ ଆଉ ଜଣେ ଦୁଇଜଣ ଝିଅ ସାହାଯ୍ୟ ଦେବେ ।’’

ଦୀପକର ସ୍କୁଲର ସଙ୍ଗୀତ ଶିକ୍ଷକ ଥରେ ନାଟକଟିର ଅଭ୍ୟାସ ଦେଖିବାକୁ ଆସିଥିଲେ । ପିଲାଙ୍କର ଅଭିନୟ ତାଙ୍କୁ ଏଡ଼େ ଭଲ ଲାଗିଲା ଯେ ସେ ପିଲାଏ ଗୀତଗୁଡ଼ିକ ଶିଖିବାରେ ସାହାଯ୍ୟ କରିବେ ବୋଲି ଜବାବ ଦେଇଗଲେ । କେତେକ ପିଲା ଅଭିନୟ ସମୟରେ ଏପରି ଲାଜ କଲେ ଯେ ପରେ ସେମାନଙ୍କର ପାଟ୍‌ଗୁଡ଼ିକୁ ଅନ୍ୟମାନଙ୍କୁ ଦେବାକୁ ପଡ଼ିଲା ।

Image

ଦୀପକ ଓ ଡ଼ିଡ଼ୋଙ୍କର ଘର ନାନାବିଧ କାର୍ଯ୍ୟରେ ସବୁବେଳେ ଖାଲି ଭଅଁ ଭଅଁ ଶୁଭିଲା, ଠିକ୍ ଦୁଇଟି ମହୁଫେଣା ପରି । ଦୀପକକୁ ନାଟକ ତିଆରି କରିବାକୁ ଅନେକ ପରିଶ୍ରମ କରିବାକୁ ପଡ଼ୁଚି ଓ ଭାରି ଆନନ୍ଦ ବି ଲାଗୁଚି । କାମ ବ୍ୟସ୍ତତାଯୋଗୁ ନୀରସ କିମ୍ବା ବିରକ୍ତ ଅନୁଭବ କରିବାକୁ ଆଉ ଗୋଟାଏ ମିନିଟ୍ ମଧ୍ୟ ମିଳୁନାହିଁ । ଅବଶ୍ୟ ମଝିରେ ମଝିରେ ନିରାଶ ଯେ ନ ଲାଗୁଚି, ତା’ ନୁହେଁ; ଉଦାହରଣସ୍ୱରୂପ–ଯେତେବେଳ ପାଟ୍‌ର ଧାଡ଼ିମାନ ଭୁଲିଯାଉଥିବାରୁ ଅନୁ ତାକୁ ଗାଳି ଦେଉଚି କିମ୍ବା ତା’ର କୁର୍ତ୍ତାଟା ତାକୁ ବେଶୀ ଟାଇଟ୍ ହୋଇଯାଉଚି । ଏଥିରେ ପାର ଏଡ଼େ ବଡ଼ ମୁହଁ କରିପକାଉଚି । କାରଣ ସେତେବେଳେ ତାର ଅମ୍ମା କୁର୍ତ୍ତାକୁ ଟିକିଏ ଢିଲା କରିବା ସକାଶେ କୁର୍ତ୍ତୀର ସିଲାଇ ଫିଟାଇବା କାମରେ ତାକୁହିଁ ନେଇ ବସାଇ ଦେଉଛନ୍ତି; ମାତ୍ର ଏଗୁଡ଼ାକ ଛୋଟ ଛୋଟ କଥା ଏବଂ ଦୀପକ ଅନୁଭବ କରୁଚି ତା’ର ସାରା ଜୀବନରେ ସେ ସତେଯେପରି ଆଉ କେବେହେଲେ ଏତେ ବେଶୀ ଖୁସି ହୋଇନଥିଲା ।

Image

 

Image

Image

 

ସେହି ସ୍ମରଣୀୟ ଦିନ

 

ଯେଉଁଦିନ ନାଟକ ହେବାର କଥା, ସେଦିନ ସକାଳେ ଦୀପକ ଆଉ ଡିଡ଼ୋ ପ୍ରେମମାମୁଙ୍କ ସହିତ ଶ୍ରୀଯୁକ୍ତ କପୁରଙ୍କ ଘରକୁ ଗଲେ । ତାଙ୍କ ଘର ଟ୍ୟାରେସ୍‌ଟା ଭାରି ସୁନ୍ଦର ଦେଖାଯାଉଥିଲା । ସେଠି ଧାଡ଼ି ଧାଡ଼ି ହୋଇ ଫୁଲକୁଣ୍ଡମାନ ଥୁଆହୋଇଥିଲା ଏବଂ ପାଚିଲା ପତ୍ର ସବୁ ଏଣେତେଣେ ଖେଳାଇ ହୋଇ ପଡ଼ିଥିଲା ।

 

“ପ୍ରଥମେ ଷ୍ଟେଜ୍‌ ଜାଗାଟିକୁ ସଫାକରିଦେବାକୁ ପଡ଼ିବ । ତା’ପରେ ଫୁଲକୁଣ୍ଡଗୁଡ଼ାକୁ ବି ଆଗରୁ ଉଠାଇନେବାକୁ ପଡ଼ିବ । ତା’ ନ ହେଲେ ଦର୍ଶକମାନଙ୍କୁ କିଛି ଦେଖାଯିବ ନାହିଁ ।’’

 

“ମାଳୀ କୁଆଡ଼େ ଗଲା ?’’ –ଦୀପକ ପଚାରିଲା ।

 

“ମାଳୀ କଅଣ କରିବ ?’’

 

“ଝାଡ଼ୁ ଆଣି ବାରଣ୍ଡାଟାକୁ ସଫା କରିଦେବ ।’’

 

“ଏଇଟା ତ ଆମେ ନିଜେ ବି କରିପାରିବା ।’’ –ପ୍ରେମମାମୁ କହିଲେ । କଣରେ ପଡ଼ିଥିବା ଗୋଟାଏ ସାନ ବଗିଚାଝାଡ଼ୁ ନେଇ ସେ ପୁଣି କହିଲେ, “ଥିଏଟରରେ ଆମେ ଗୋଟାଏ କାମ କରିଦେବାକୁ ଅନ୍ୟ ଉପରେ ନିର୍ଭର କରି ରହୁନାହିଁ । ସେଇ କାମକୁ ଆମେ ନିଜେ କରିନେଉ-।’’

 

“ମୁଁ ଯେ ନିଜେ ସେକଥା କରିବାକୁ ଇଚ୍ଛା କରୁନାହିଁ, ସେପରି କୌଣସି ଅର୍ଥରେ ମୁଁ ତାହା କହି ନଥିଲି ।’’ –ଦୀପକ ଉତ୍ତର ଦେଲା । ସେ ଟିକିଏ ଅପ୍ରସ୍ତୁତ ହୋଇପଡ଼ିଥିଲା ପରି ମୁହଁ କରୁଥାଏ ।

 

“ତୁ ଆଉ ଡିଡ଼ୋ ମିଶି ଫୁଲକୁଣ୍ଡଗୁଡ଼ାକ ଉଠାଇଦିଅ । କେବଳ ଭିତରକୁ ଯିବାର ବାଟଟିକୁ ଛାଡ଼ିଦେଇ ସେଗୁଡ଼ିକୁ ନେଇ ପଛପଟେ ସୁନ୍ଦର କରି ସଜାଇଦିଅ ।’’

 

ପିଲାଦୁହେଁ ଓ ପ୍ରେମମାମୁ ଏକାଠି ମିଶି ଅଳ୍ପ ସମୟ ମଧ୍ୟରେ ବାରଣ୍ଡାଟିକୁ ସଫା କରିଦେଲେ । ସେତିକିବେଳେ ନାଟକର ସାଜସରଞ୍ଜାମ ଧରି ଅନୁ ଓ ଦୀପକର ମାଆ ଆସି ସେଠାରେ ପହଞ୍ଚିଲେ । ପ୍ରେମମାମୁଙ୍କ ବନ୍ଧୁ ମଧ୍ୟ ସ୍ପଟ୍‌ଲାଇଟ୍ ସାଙ୍ଗରେ ଧରି ଆସିଲେ । ଗୀତ ବୋଲାହେବା ସକାଶେ ଗୋଟାଏ ଟେପ୍‌ରେକର୍ଡ଼ର ମଧ୍ୟ ସାଙ୍ଗରେ ଆଣିଥିଲେ । ଲାଇଟ୍‌ଗୁଡ଼ିକ ଠିକ୍ ଜାଗାରେ ଲଗାଇଦେବାରେ ଡିଡ଼ୋ ତାଙ୍କୁ ସାହାଯ୍ୟ କଲା ।

 

ସବୁକିଛି ବ୍ୟବସ୍ଥା ପକ୍‌କା ହୋଇଯିବା ପରେ ସେମାନେ ଘରକୁ ଖାଇବାକୁ ଗଲେ । ଖାଇସାରି ଅଳ୍ପ କିଛି ସମୟ ବିଶ୍ରାମ ନେଲେ । ନାଟକ ଛଅଟାବେଳେ ଆରମ୍ଭ ହେବାର କଥା ।

 

ଦୀପକ କହିଲା, “ଅନୁ ଅପା, ଡିଡ଼ୋ ଆଉ ମୋ ଭିତରେ ଯେଉଁ ଦୃଶ୍ୟଟି ଅଛି, ତୁମେ ସେଇଟିକୁ ଟିକିଏ ଆଉ ଥରେ ଦେଖିନେଲେ ଭଲ ହୁଅନ୍ତା– ଯେଉଁଦୃଶ୍ୟଟିରେ ମୁଁ ପାଟ୍‌ଗୁଡ଼ାକ ଗୋଳାଇ ମିଶାଇ ପକାଇବା ପରି ମନେହେଉଚି ।’’

 

“ତୁ ଏତେ ବେଶୀ ଚିନ୍ତା କରନା, ଦୀପକ ! ତୋର ଟିକିଏ ଧୀରେ ସୁସ୍ଥେ ଶିଖିବା ଉଚିତ-।’’ –ସାହସ ଦେଇ ଅନୁ କହିଲା । “ତୋର ପାଟ୍ ଭାରି ଭଲ ହେଉଚି । ତେଣୁ ନିଜକୁ ଆଉ ଅଧିକ କ୍ଳାନ୍ତ କରିପକାଇବାରେ କୌଣସି ପ୍ରୟୋଜନ ନାହିଁ ।

“ଆଉ ଟିକିଏ ଦେଖିନିଅନା !’’ –ଦୀପକ ଅନୁକୁ ରାଜି କରିବାକୁ ଚେଷ୍ଟାକଲା ।

“ଆଚ୍ଛା, ହଉ ! ମାତ୍ର କେବଳ ଥରକପାଇଁ !’’ –ଆମ ଅଳ୍ପବୟସ୍କା ନିର୍ଦ୍ଦେଶକ ହସି ହସି କହିଲେ, “ଡିଡ଼ୋ ଏଠାକୁ ଆ’ !’’

ଦୃଶ୍ୟଟିକୁ ସେମାନେ ଆଉ ଥରେ ଅଭ୍ୟାସ କରିନେଲେ । ଦୀପକ ସେଇଟାକୁ ପୁଣି ଥରେ ଅଭ୍ୟାସ କରିବାକୁ ଚାହୁଁଥିଲା; ମାତ୍ର ଅନୁ ତାକୁ ଦୃଢ଼ଭାବରେ ଜଣାଇଦେଲା ଯେ ଅନାବଶ୍ୟକ ଭାବରେ ଏପରି କ୍ଳାନ୍ତ କରିପକାଇବା ଭଲ ନୁହେଁ । ଗୋଟାଏ ଚଉକୀ ଉପରେ ଦୀପକ ଲମ୍ବ ହୋଇ ପଡ଼ିଗଲା । ତା’ର ମୁଣ୍ଡଟା ତା’ ପାଟ୍‌ର ଧାଡ଼ିଗୁଡ଼ାକରେ ସତେ ଯେପରି ଢଣ୍‍ଢଣ୍ କରୁଥାଏ । ହଠାତ୍ ସେ ଅନୁଭବ କଲା ଯେପରି ପାଟ୍‌ଗୁଡ଼ାକ ତା’ର ମୁଣ୍ଡଭିତରେ ଏକାବେଳକେ ଗୋଳାମିଶା ହୋଇଗଲେ ଏବଂ ଷ୍ଟେଜ୍ ଉପରେ ଠିଆହେବା ମାତ୍ରକେ ଯେ ସେ ସବୁଗୁଡ଼ାକ ନିଶ୍ଚୟ ପାସୋରି ପକାଇବ, ସେଥିରେ ତା’ର ଆଉ କୌଣସି ସନ୍ଦେହ ରହିଲାନାହିଁ । ସବୁ ଅଭିନେତା କ’ଣ ଠିକ୍ ଏହପରି ଅନୁଭବ କରନ୍ତି କି ?

“ଡିଡ଼ୋ !’’ –ସେ ତା’ର ସାଙ୍ଗକୁ ଡାକି କହିଲା । ସେତେବେଳକୁ ଡିଡ଼ୋ ତା’ର ଯନ୍ତ୍ରପଟା ନେଇ କ’ଣ ଗୋଟାଏ ମଡ଼େଲ ତିଆରି କରୁଥାଏ । “ଡିଡ଼ୋ, ତୋ’ ପାଟ୍‌ଗୁଡ଼ାକ ଠିକ୍ ଠିକ୍ ମନେଅଛି ? ମୋର ତ ସବୁକିଛି ଗୋଳମାଳ ହୋଇଗଲାଣି ।’’

ଡିଡ଼ୋ ଧୀର ଶାନ୍ତ ଭାବରେ ଉତ୍ତର ଦେଲା, “ଅବଶ୍ୟ ମନେଅଛି । ମୁଁ ତ ସେହି ବଦମାସ୍ ଧାଡ଼ିଗୁଡ଼ାକୁ ପ୍ରାୟ ଲକ୍ଷେ ଥର ଦୋହରାଇ ସାରିବିଣି । ଦରକାର ହେଲେ ମୁଁ ସେଗୁଡ଼ାକୁ ପଛଆଡ଼ୁ ଆରମ୍ଭ କରି ମଧ୍ୟ ଗଳଗଳ କହିଯାଇ ପାରିବି । ଦେଖିବୁ... ?

“ନାଇଁ, ନାଇଁ,–ଥାଉ,ଥାଉ !’’ –ଦୀପକ ଏଡ଼େ ପାଟି କରି କହିଲା । “ତା ହେଲେ ମୋର ମୁଣ୍ଡକୁ ତୁ ଆହୁରି ଗୋଳମାଳିଆ କରିଦେବୁ ।

ଶେଷକୁ ପାଞ୍ଚଟା ବାଜିଗଲା ଓ ସମସ୍ତେ ଶ୍ରୀଯୁକ୍ତ କପୁରଙ୍କ ବଗିଚାକୁ ଯିବାଲାଗି ସଜ ହେବାକୁ ଲାଗିଲେ ।

ବାରଣ୍ଡାର ସେପାଖକୁ ଥିବା ଗୋଟାଏ ବଖରାରେ ବେଗମ୍ ଅନୱାର୍ ଓ ଅନୁ ଆଉ ଦୁଇଜଣ ଝିଅଙ୍କ ସାହାଯ୍ୟରେ ଅଭିନେତାମାନଙ୍କୁ ସେମାନଙ୍କର ପୋଷାକମାନ ପିନ୍ଧାଇଦେଲେ ଓ ସେମାନଙ୍କୁ ବେଶଭୂଷା କରିଦେଲେ । ଛଅଟା ବାଜିବାକୁ ଆଉ କୋଡ଼ିଏ ମିନିଟ୍ ବାକି ଥାଏ ।

ନିଜର ପୋଷାକ ପିନ୍ଧି ସଜ ହୋଇସାରିବାପରେ ଦୀପକ ହଠାତ୍ ପଚାରିଲା, “ଡିଡ଼ୋ କୁଆଡ଼େ ଗଲା ?’’

“ସିଏ କଣ ଏପର୍ଯ୍ୟନ୍ତ ଆସି ପହଞ୍ଚିନାହିଁ ? ସିଏ ତ ଗୋଟାଏ ପର୍ଚୁଲା ମାଗି ଆଣିବାକୁ ଯାଇଥିଲା !’’ –ପ୍ରେମମାମୁ କହିଲେ । ସମସ୍ତେ ବ୍ୟସ୍ତ ହୋଇପଡ଼ିଲେ । ରଫିକ୍ ନଆସିବାଯାଏ ନାଟକ ଆରମ୍ଭ କରିବେ କିପରି ? ପାର ତ ପ୍ରାୟ କାନ୍ଦ କାନ୍ଦ ହୋଇଆସୁଥାଏ ।

 

“ତୁ ସେମିତି କାନ୍ଦ୍‌ନା ପାର ! ତା’ନହେଲେ ମୁହଁର ସଜ୍ଜାଗୁଡ଼ାକ ସବୁ ନିଭିଯିବ ।’’–ଅନୁ ଗାଳି ଦେଇ କହିଲା । ସିଏ ନିଜେ ବି ମନେ ମନେ ପ୍ରମାଦ ଗଣିବାକୁ ଆରମ୍ଭ କରିଥିଲା ।

Image

 

Image

 

ଠିକ୍ ଏତିକିବେଳେ ଦୀପକ ଏଡ଼େବଡ଼ ପାଟିଟାଏ କରି କହିଲା, “ହେଇ, ଡିଡ଼ୋ ଆସି ପହଞ୍ଚିଲାଣି !’’ ହତା ଭିତରକୁ ଗୋଟାଏ ଟାଙ୍ଗା ଆସିଲା । ନିଜେ ରଫିକ୍ ଟାଙ୍ଗା ଚଳାଉଥାଏ ଓ ଟାଙ୍ଗାବାଲାର କଡ଼କୁ ବସିଥାଏ । ଟାଙ୍ଗାରୁ ତଳକୁ ଡେଇଁପଡ଼ି ସେ କହିଲା, “ମୋ’ ସାଇକେଲ ଚକରୁ ପବନ ବାହାରିଗଲା । ଦୁର୍ଭାଗ୍ୟକୁ ଖଣ୍ଡେ ଟ୍ୟାକ୍‌ସି ବି ମିଳିଲା ନାହିଁ ।’’ –ସେ ଅଣନିଶ୍ଵାସୀ ହୋଇ କହିଯାଉଥାଏ । “ସେତେବେଳେ ଏଇ ଟାଙ୍ଗାଟା ସେଇ ବାଟ ଦେଇ ଆସିଲା । ଘୋଡ଼ାଟା ଭାରି ଭଲ, ବାଟଯାକ ଖାଲି କାନିମାରି ଆସିଛି !’’

 

“ଘୋଡ଼ା କଥା ସେତିକି ଥାଉ !’’ –ଅନୁ ଗାଳି ଦେଇ କହିଲା । “ଶୀଘ୍ର ଯାଇ ବେଶ ହୋଇପଡ଼ । ଯୋଗକୁ ତୋର ବେଶୀ କିଛି ବେଶ ହେବାକୁ ନାହିଁ ।’’

 

ଦୀପକ ନିଶ୍ଚିନ୍ତ ହୋଇ ନିଶ୍ଵାସ ମାରିଲା । ଆଉ ମୋଟେ ଦଶମିନିଟ୍ ସମୟ ଅଛି । ତା’ର ମନଟା ଶାନ୍ତ ହୋଇଗଲା, ସବୁ ବ୍ୟସ୍ତତା ଦୂର ହୋଇଗଲା ।

 

“ପ୍ରଥମ ଦୃଶ୍ୟ ପାଇଁ ସମସ୍ତେ ନିଜ ନିଜ ଜାଗାକୁ ଚାଲିଯାଅ ।’’ –ପ୍ରେମମାମୁ ଥିରିକରି କହିଲେ । ସେତେବେଳକୁ ପିଲାଙ୍କ ବାପାମାଆ ଓ ସେମାନଙ୍କର ବନ୍ଧୁ ବାନ୍ଧବରେ ବଗିଚା ଭର୍ତ୍ତି ହୋଇଗଲାଣି । ସେମାନେ ବସି ନିଜ ନିଜ ଭିତରେ କଥାବାର୍ତ୍ତା କରୁଥାନ୍ତି । “ମୁଁ ଦୁଇଥର ଘଣ୍ଟି ବଜାଇବି । ପ୍ରଥମଟା ଛଅଟା ବାଜିବାକୁ ପାଞ୍ଚମିନିଟ୍ ଥିବାବେଳେ ଥିବାବେଳେ ଦର୍ଶକମାନଙ୍କୁ ସତର୍କ କରିଦେବାପାଇଁ ଓ ଦ୍ଵିତୀୟ ଠିକ୍ ଛଅଟାବେଳେ । ଠିକ୍ ସେତିକିବେଳେ ନାଟକ ଆରମ୍ଭ ହେବ । ମୁଁ ସମସ୍ତଙ୍କର ସଫଳତା କାମନା କରୁଚି ।’’

 

“ଧନ୍ୟବାଦ, ମାମୁ !’’ –ଆପଣା ଆପଣାର ଜାଗାକୁ ଯାଉ ଯାଉ ପିଲାଏ ସମସ୍ଵରରେ କହିଉଠିଲେ ।

 

ଦ୍ଵିତୀୟ ଘଣ୍ଟି ବାଜିଲା । ସେହି ସ୍ମରଣୀୟ ମୁହୂର୍ତ୍ତଟି ଆସି ପହଞ୍ଚିଲା । ନାଟକ ଆରମ୍ଭ ହେଲା ।

 

ଜଣେ ସରଳ ସ୍ଵଭାବର ଦରିଦ୍ର ବ୍ରାହ୍ମଣକୁ ନେଇ ନାଟକଟି ଲେଖାହୋଇଥିଲା । ଏହି ଦାରିଦ୍ର୍ୟ ସକାଶେ ବ୍ରାହ୍ମଣ ଆପଣାର ସ୍ତ୍ରୀ’ଠାରୁ ଅନେକ ଗାଳିମନ୍ଦ ଓ ଅପବାଦ ଶୁଣୁଥିଲା । ଶେଷକୁ ସେ ଆପଣାର ଭାଗ୍ୟ ଖୋଜି ଘରୁ ବାହାରିଯିବାକୁ ସ୍ଥିର କଲା । ବାଟରେ ସେ ଗହନ ଅରଣ୍ୟ ଭିତରେ ଯାଉଥାଏ । ଏହି ସମୟରେ ‘ରକ୍ଷା କର’ ‘ରକ୍ଷା କର’ ବୋଲି ଶବ୍ଦମାନ ଶୁଣିବାକୁ ପାଇଲା ଓ ତା’ପରେ ଯାଇ ଦେଖିଲା ଯେ ଗୋଟିଏ ବାଘ, ଗୋଟିଏ ମାଙ୍କଡ଼, ଗୋଟିଏ ସାପ ଓ ଜଣେ ମଣିଷ ଗୋଟିଏ କୂଅଭିତରେ ପଡ଼ିଯାଇଚନ୍ତି । ସରଳମନା ବ୍ରାହ୍ମଣ ମାଙ୍କଡ଼, ବାଘ ଆଉ ସାପକୁ କୂଅରୁ ବାହାର କରି ଆଣିଲା । ସେମାନେ ବ୍ରାହ୍ମଣକୁ ତା’ର ଉପକାର ପାଇଁ ଅନେକ ଧନ୍ୟବାଦ ଦେଲେ ଓ କେବେ ଦରକାର ପଡ଼ିଲେ ତାକୁ ନିଶ୍ଚୟ ସାହାଯ୍ୟ କରିବେ ବୋଲି ଜବାବ ଦେଲେ । କୂଅରେ ପଡ଼ିଥିବା ମଣିଷଟିକୁ କେବେହେଲେ ଉଦ୍ଧାର ନକରିବାକୁ ସେମାନେ ବ୍ରାହ୍ମଣକୁ ସତର୍କ କରିଦେଲେ–କାରଣ ସିଏ ଜଣେ ଭାରି ଦୁଷ୍ଟ ଓ ମନ୍ଦ ଲୋକ ଥିଲା । ମାତ୍ର ଲୋକଟିର ଅବସ୍ଥା ଦେଖି ଦୟାଳୁ ବ୍ରାହ୍ମଣର ମନରେ ଦୁଃଖ ହେଲା ଏବଂ ସେ ତାକୁ ମଧ୍ୟ କୂଅଭିତରୁ ଟାଣି ବାହାରକରି ଆଣିଲା । ଲୋକଟି ଆପଣାକୁ କାଶୀର ଜଣେ ବଣିଆ ବୋଲି ପରିଚୟ ଦେଲା ଏବଂ ବ୍ରାହ୍ମଣର ଏହି ଋଣ ଅବଶ୍ୟ ପରିଶୋଧ କରିବ ବୋଲି ପ୍ରତିଜ୍ଞା କଲା ।

Image

ଥରେ ସେହି ବ୍ରାହ୍ମଣ ଏକ ବିପଦରେ ପଡ଼ିଥିବାବେଳେ ମାଙ୍କଡ଼ ତାକୁ ସାହାଯ୍ୟ କରିବାକୁ ଆସିଲା । ଆଉଥରେ ତା’ର ମିତ୍ର ବାଘ ତାକୁ କୌଣସି ଏକ ମଲାଲୋକର ବେକରୁ ପାଇଥିବା ହାରଟିଏ ଆଣିଦେଲା ।

 

ହାରଟିକୁ ନେଇ ବ୍ରାହ୍ମଣ କାଶୀ ଗଲା ଓ ବଣିଆ ପାଖରେ ଯାଇ ପହଞ୍ଚିଲା ଓ ହାରଟି ତା’ ହାତରେ ଦେଇ ସେଇଟିକୁ ତା’ ଲାଗି ବିକ୍ରି କରିଦେବାକୁ କହିଲା । ଅକୃତଜ୍ଞ ବଣିଆ ଏ କଥା ମୋଟେ ବିଶ୍ଵାସ କରିପାରିଲା ନାହିଁ ଯେ ବାଘ ପ୍ରକୃତରେ ହାରଟିକୁ ଆଣି ବ୍ରାହ୍ମଣକୁ ଦେଇଚି । ହାରଟିକୁ ସେ ଅରଣ୍ୟ ଭିତରେ ପ୍ରାଣ ହରାଇଥିବା ରାଜାଙ୍କ ପୁଅର ବୋଲି ଚିହ୍ନିଲା । ଏଇ କଥାଟିକୁ ସେ ସଙ୍ଗେ ସଙ୍ଗେ ରାଜାଙ୍କ ଆଗରେ ଯାଇ ଜଣାଇଦେଲା ଓ ରାଜପୁତ୍ରର ହତ୍ୟାକାରୀ ହିସାବରେ ବ୍ରାହ୍ମଣ ବନ୍ଦିଶାଳାରେ ରହିଲା ।

Image

ସେଇଠୁ ସାପ ଆସି ପହଞ୍ଚିଲା । ସେ ବ୍ରାହ୍ମଣକୁ କହିଲା ଯେ ସିଏ ଯାଇ ରାଜକନ୍ୟାକୁ ଦଂଶନ କରିବ ଓ ତା’ଫଳରେ ରାଜକନ୍ୟା ଏପରି ବେହୋସ ହୋଇପଡ଼ିବ ଯେ କେହି ତା’ର ଚେତା ଫେରାଇ ଆଣିପାରିବେ ନାହିଁ । ତା’ପରେ ଯେଉଁ ଗୁପ୍ତ ମନ୍ତ୍ରଟି ଦ୍ଵାରା ରାଜକୁମାରୀ ପୁଣି ଚେତା ପାଇ ଉଠି ବସିବ, ସାପ ସେଇଟିକୁ ବ୍ରାହ୍ମଣର କାନରେ ଫୁସ୍‌ଫୁସ୍ କରି କହିଦେଲା ।

Image

ସାପ ଆଗରୁ ଯାହା କହିଥିଲା, ଠିକ୍ ତାହାହିଁ ଘଟିଲା । ସାପ ଯାଇ ରାଜକନ୍ୟାକୁ କାମୁଡ଼ିବାରୁ ରାଜକନ୍ୟା ଗଭୀର ନିଦରେ ଶୋଇପଡ଼ିଲା । ତାକୁ ଆଉ କେହିହେଲେ ଉଠାଇ ପାରିଲେ ନାହିଁ । ତା’ପରେ ବ୍ରାହ୍ମଣ ଆସି ତା’ଆଗରେ ଠିଆହେଲା ଓ ରାଜକନ୍ୟା ତତ୍‌କ୍ଷଣାତ୍ ଆଖି ଫିଟାଇ ଉଠିଲା । ତା’ପରେ ଅକୃତଜ୍ଞ ବଣିଆ ତାକୁ କିପରି ହତ୍ୟାକାରୀ ବୋଲି ମିଛ ଅଭିଯୋଗ କରିଚି, ସେ ସେଇ କଥା ରାଜାଙ୍କୁ ଯାଇ କହିଲା । ମାଙ୍କଡ଼, ବାଘ ଓ ସାପ ରାଜାଙ୍କ ଦରବାରକୁ ସାକ୍ଷ୍ୟ ଦେବାକୁ ଆସିଲେ ।

 

ରାଜା ବଣିଆ ଉପରେ ଅତିଶୟ କ୍ରୂଦ୍ଧ ହୋଇଉଠିଲେ ଏବଂ ତାହାର ମୁଣ୍ଡକାଟ କରିଦେବାକୁ ବାହାରିଲେ; ମାତ୍ର ତାକୁ କ୍ଷମା ଦେବାକୁ ଦୟାଳୁ ବ୍ରାହ୍ମଣ ତା’ପାଇଁ ରାଜାଙ୍କୁ ପ୍ରାର୍ଥନା କରି କହିଲା । ତେଣୁ ବଣିଆକୁ ରାଜ୍ୟରୁ ବାହାର କରି ଦିଆଗଲା । ବ୍ରାହ୍ମଣକୁ ଅନେକ ଧନସମ୍ପଦ ଉପହାର ମିଳିଲା ଓ ସେ ମନଖୁସିରେ ନିଜର ସ୍ତ୍ରୀ ପାଖକୁ ଫେରି ଆସିଲା । ତା’ର ତିନି ସାଙ୍ଗ–ମାଙ୍କଡ଼, ବାଘ ଓ ସାପ ମଧ୍ୟ ତା’ ସହିତ ଆସିଥିଲେ ।

 

ଆଲୋକ କ୍ଷୀଣ ହୋଇଯାଇ କକ୍ଷଟାଯାକ ଅନ୍ଧାର ହୋଇଯିବାପରେ ତାଳି ଓ ହର୍ଷଧ୍ୱନିରେ ଚାରିଆଡ଼ ଫାଟିପଡ଼ିଲା । ତା’ପରେ ଅଭିନୟ କରିଥିବା ସମସ୍ତେ ନିର୍ଦ୍ଦେଶିକା ଅନୁ ସହିତ ଏକାଠି ଧାଡ଼ି ହୋଇ ବାରଣ୍ଡା ସାମନାରେ ଆସି ବସିଲେ । ଦୀପକ ମଝିରେ ଠିଆହୋଇଥାଏ । ତା’ପରେ ଆଲୁଅସବୁ ଜଳିଉଠିଲା ଏବଂ ଆହୁରି ହର୍ଷଧ୍ୱନି ହେବାକୁ ଲାଗିଲା । ପିଲାମାନେ ମୁଣ୍ଡ ନୁଆଁଇ କୃତଜ୍ଞତା ଜଣାଇଲେ ।

 

“ମୁଁ–ଉ–ବି !’’ –ପଛରୁ କାହାର ପାଟି ଶୁଭିଲା । ତା’ପରେ ଟପ୍‌ପୋ ଆଗକୁ ଦଉଡ଼ିଯାଇ ତାଳି ମାରିବାକୁ ଆରମ୍ଭ କଲା ।

 

ସମସ୍ତେ ହୋ’ ହୋ’ ହସି ଉଠିଲେ । ଅଭିନୟ ଶେଷ ହେଲା ଓ ତା’ପରେ ଅଭିନେତା ଓ ଦର୍ଶକମାନେ ଏକାଠି ମିଶି ଗପସପ ହେବାକୁ ଲାଗିଲେ ।

Image

“ଏଠି ସମସ୍ତଙ୍କ ଲାଗି କୋକାକୋଲା ଓ ମିଠେଇ ବ୍ୟବସ୍ଥା ହୋଇଚି ।’’ –ଶ୍ରୀମତୀ କପୁର ବଡ଼ପାଟିରେ କହିଲେ ଓ ଗୋଟାଏ ଭରା ଟ୍ରେ ହାତରେ ଧରି ବାହାରକୁ ଆସିଲେ ।

 

ପିଲାଏ ତାଙ୍କୁ ଘେରିଆସି ଖୁସି ହୋଇ କହିଲେ, “କେଡ଼େ ମଜା !’’

 

ସେଦିନ ରାତିରେ ଖାଇସାରିବାବେଳେ ଦୀପକ, ତା’ର ମାଆ, ଅନୁ ଓ ପ୍ରେମମାମୁ ଭାରି ଗଭୀର ଭାବରେ ସବୁ କ’ଣ ସବୁ କଥାବାର୍ତ୍ତା ହେଉଥିଲେ । ସେତେବେଳକୁ ଟପ୍‌ପୋ ବିଛଣା ଉପରେ ଘୁଙ୍ଗୁଡ଼ି ମାରୁଥାଏ । ତା’ ଆରଦିନ ଅନୁ ଓ ପ୍ରେମମାମୁଙ୍କର ବମ୍ବେ ଚାଲିଯିବାର କଥା ।

 

“ମାମୁ, ବଡ଼ହୋଇ ମୁଁ ଜଣେ ଅଭିନେତା ହୋଇପାରିବି ବୋଲି କ’ଣ ଆପଣ ପ୍ରକୃତରେ ବିଶ୍ଵାସ କରୁଚନ୍ତି ?’’

 

“ବର୍ତ୍ତମାନ ମୁଁ ଅନ୍ତତଃ ଏତିକି କହିପାରିବି ଯେ ଅଭିନୟ ଆଡ଼କୁ ତୋ’ର ରୁଚି ରହିଚି; ପ୍ରତିଭା ମଧ୍ୟ ଅଛି । ମାତ୍ର ବର୍ତ୍ତମାନ ସେ ବିଷୟରେ କିଛି ନିଷ୍ପତ୍ତି କରିବା ଲାଗି ତୋ’ର ବୟସ ହୋଇନାହିଁ । ସ୍କୁଲପାଠ ସରିବା ଆଗରୁ ବା ତା’ପରେ କଲେଜରେ ପଢ଼ୁଥିବାବେଳେ ତୁ ହୁଏତ ଆଉ କଣ ହେବୁ ବୋଲି ନିଷ୍ପତ୍ତି ବି କରିପାରୁ ।’’

 

“ଅଭିନେତା ହେବାକୁ ନିଷ୍ପତ୍ତି କରିବା କ’ଣ ଦୀପକ ଲାଗି ଠିକ୍ ହେବ ?’’ –ତା’ର ମାଆ ପ୍ରେମମାମୁଙ୍କୁ ପଚାରିଲେ ।

 

“କାହିଁକି ଯେ ନହେବ ମୁଁ ତା’ର କୌଣସି କାରଣ ଦେଖୁନାହିଁ । ନିକଟ ଭବିଷ୍ୟତରେ ଅଭିନେତାମାନଙ୍କ ଲାଗି ମଧ୍ୟ କେତେ କେତେ ଦ୍ଵାର ଖୋଲିଯିବ । ସେମାନେ ରେଡ଼ିଓକୁ ଯାଇପାରିବେ, ଟେଲିଭିଜନ୍‌କୁ ବି ଯାଇପାରିବେ । ଦେଶର ସବୁ ବଡ଼ ବଡ଼ ସହରମାନଙ୍କରେ ସ୍ଥାୟୀ ଥିଏଟର ଦଳମାନେ ଅଭିନୟ ଦେଖାଇବାଲାଗି ମଧ୍ୟ ଆଉ କଦାପି ବେଶୀ ଦିନ ଲାଗିବ ନାହିଁ ।’’

Image

“ଦୀପକ, ତୋ’ର ଏହି ପ୍ରଥମ ଅଭିଜ୍ଞତାରୁ ତୁ ପ୍ରକୃତରେ କଣ ଶିକ୍ଷା କଲୁ ବୋଲି ଭାବୁଚୁ ?’’ –ଅନୁ ପଚାରିଲା ।

 

ଦୀପକ ଉତ୍ତର ଦେଇ କହିଲା, “ମୁଁ ଆଗରୁ ଯାହା କଳ୍ପନା କରିଥିଲି, ଅଭିନୟ କରିବା ତା’ଠାରୁ ଢେର୍ ବେଶୀ କଷ୍ଟକର ଓ ଗମ୍ଭୀରତାପୂର୍ଣ୍ଣ ବୋଲି ମୁଁ ଅନୁଭବ କରିପାରିଚି । ଅଭିନୟ କରିବାକୁ ହେଲେ ମଧ୍ୟ କଠୋର ସାଧନା କରିବାକୁ ପଡ଼ିବ । ପୁଣି ନାଟକ ବିଦ୍ୟାଳୟରେ ମୁଁ ଦେଖିବାକୁ ପାଇଲି ଜଣେ ଅଭିନେତାକୁ ଥିଏଟର ସମ୍ବନ୍ଧରେ ଯାବତୀୟ ବିଷୟ ଶିକ୍ଷା କରିବାକୁ ପଡ଼ୁଚି ।’’

 

“ତାହାହିଁ ସବୁଠାରୁ ଉପାଦେୟ ତାଲିମ୍” –ପ୍ରେମମାମୁ କହିଲେ । “କାରଣ ତାହାଦ୍ୱାରା ପ୍ରତ୍ୟେକ ଲୋକ ନିଜେ ଅନ୍ୟମାନଙ୍କର ସମସ୍ୟା ଓ କାମଗୁଡ଼ିକ ସହିତ ପରିଚିତ ହୋଇପାରୁଚି । ତୁ ବେଶ୍ ବୁଝିଥିବୁ ଯେ ଗୋଟିଏ ଥିଏଟର ଦଳ କହିଲେ...”

 

“ପରସ୍ପରର ସହଯୋଗ କରୁଥିବା ଗୋଟିଏ ଦଳକୁ ବୁଝାଇବ ।’’ –ଅନୁ ଓ ଦୀପକ ଏକାବେଳକେ କହିଉଠିଲେ ।

 

“ହଁ, ଠିକ୍ ସେଇଆ ।’’ –ପ୍ରେମମାମୁ ହସିକରି କହିଲେ । “ଆପଣାର କଳାଟି ପ୍ରତି ଗଭୀର ନିଷ୍ଠା ରଖି ସେ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ହୋଇଥାଏ । ତେବେ ଯାଇ ଆମେ ଆମ ଦେଶରେ ପ୍ରକୃତରେ ମହାନ୍ ଏକ ଥିଏଟର ଆନ୍ଦୋଳନ ସମ୍ଭବ କରିପାରିବା ।’’

 

“ରାତି ଅନେକ ହେଲାଣି ।’’ –ଦୀପକର ମାଆ କହିଲେ । “କାଲି ଷ୍ଟେସନକୁ ଯିବା ଲାଗି ବଡ଼ିଭୋରରୁ ଉଠିବାକୁ ପଡ଼ିବ । ତେଣୁ ବର୍ତ୍ତମାନ ଶୋଇବାକୁ ଯିବା ଉଚିତ । ଦୀପକ, ତୁ ଯାଆ, ଦାଣ୍ଡ ଆଲୁଆଗୁଡ଼ାକୁ ନିଭାଇ ଦେଇ ଆସିବୁ ।’’

Image

ଆଦେଶ ପାଳନ କରିବାଲାଗି ଦୀପକ ସେଠାରୁ ଉଠି ବାହାରକୁ ଗଲା । “ବର୍ତ୍ତମାନଠାରୁ ପୁଣି ସେଇ ପୁରୁଣା ସ୍କୁଲ ରୁଟିନ୍‌ଟା ପାଖକୁ ଫେରିଆସିବାକୁ ପଡ଼ିବ !’’ ଟିକିଏ ବିରସ ଭାବରେ ସେ ସତେ ଅବା ଛିଗୁଲାଇଲା ପରି କହିବାକୁ ଲାଗିଲା ।

 

ସେକଥା ଶୁଣି ପ୍ରେମମାମୁ କହିଲେ, “ସଂସାରରେ ଯେତେ ଭଲକଥା ଅଛି, ସେ ଗୁଡ଼ାକର ଶେଷ ଅବଶ୍ୟ ରହିଚି । ସେହିପରି ଛୁଟିଗୁଡ଼ାକର ବି ଶେଷ ଅଛି, କିନ୍ତୁ ଏଠି ମୁଁ ଭାରତର ଭବିଷ୍ୟତ ଅଭିନେତା ଦୀପକ ଦାସଙ୍କୁ ଉଦ୍ଦେଶ୍ୟ କରି ଏକଥା କହୁଚି ।’’

 

ଏହିପରି ଏକ ଥଟ୍ଟାଳିଆ ମନ୍ତ୍ୟବ ପରେ ସମସ୍ତେ ଖୁସିରେ ଶୋଇବାକୁ ଗଲେ ।

Image